Abadha Scheme Puri: ପୁରୀ ପାଇଁ ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍
ପୁରୀର ଭିତ୍ତିଭୂମି ବିକାଶ ଓ ତୀର୍ଥଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ଅବଢ଼ା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ ୨ ହଜାର ଆସନ ବିଶିଷ୍ଟ ବହୁମୁଖୀ ସଭାଗୃହ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବ |

ପୁରୀ ବିକାଶକୁ ମିଳିଲା ନୂଆ ଗତି | ଗତକାଲି ପୁରୀର ଭିତ୍ତିଭୂମି ଓ ତୀର୍ଥଯାତ୍ରୀଙ୍କ ସୁବିଧାର ବିକାଶକୁ ଗୁରୁତ୍ୱ ଦେଇ ଅବଢ଼ା ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର ମୋଟ ଅଟକଳ ମୂଲ୍ୟ ୫୫୭.୧୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି।ଏହି ଅର୍ଥ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୁସା ନଦୀର ସମ୍ପ୍ରସାରଣ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟୟ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମର ବିକାଶ ପାଇଁ ଆବଶ୍ୟକ ଅର୍ଥର ଅଭାବ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପରେ ନୂତନ ନିର୍ମାଣ କାର୍ଯ୍ୟକୁ ସାମିଲ କରାଯାଇଥିବାରୁ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଜଗନ୍ନାଥ ବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟର (JBPC)ର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସଭାଗୃହ ବା ମଲ୍ଟି ପର୍ପୋଜ୍ ହଲ୍ ନିର୍ମାଣ କରାଯିବ। ଏହା ବ୍ୟତୀତ ପ୍ରକଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ମଧ୍ୟ ଅଧିକ ଅର୍ଥ ବ୍ୟୟ କରାଯିବ। ପୁରୀରେ ଅବଢ଼ା ଯୋଜନାର ସମ୍ପୂର୍ଣ୍ଣ ନାମ ହେଉଛି ‘Augmentation Basic Amenities and Development of Heritage and Architecture’। ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା, ଯୋଗାଯୋଗ ବ୍ୟବସ୍ଥା ଓ ଐତିହ୍ୟର ବିକାଶ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଅତିରିକ୍ତ ଅର୍ଥ ମଞ୍ଜୁର ହେବା ପରେ ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ ଓ ବିକାଶ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ସହ ପୁରୀର ଭିତ୍ତିଭୂମି ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

