୪୮ ଘଣ୍ଟାରେ ଏନକାଉଣ୍ଟର କର- ଆତ୍ମାହୁତିର ଧମକ ଦେଲେ ଅଙ୍କିତଙ୍କ ପତ୍ନୀ
ସୀମା କହିଛନ୍ତି, ବୁଧବାର ଅପରାହ୍ନ ୪ଟା ବେଳେ ଅଙ୍କିତଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ହୋଇଥିଲା। ଅଙ୍କିତ କୌଣସି ନୂଆ ଗୀତ ଉପରେ କାମ କରୁଥିବା କଥା କହିଥିଲେ। ସେତେବେଳେ ସ୍ଥିତି ପୁରା ସ୍ୱାଭାବିକ ଥିଲା। ଅଙ୍କିତ ବି କୌଣସି ପ୍ରକାର ଚାପରେ ଥିଲା ଭଳି ଲାଗୁନଥିଲା। ସରକାର କହୁଛନ୍ତି, ୟୁପିରେ ଅପରାଧ ଘଟୁନି। କିନ୍ତୁ ସ୍ଥିତି ଏମିତି ହେଲା ଯେ, ୪ଜଣ ଆସି ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ।

ପୁଲିସକୁ ୪୮ ଘଣ୍ଟାର ମହଲତ ଦେଲେ ହରିଆଣା ଗାୟକ ଅଙ୍କିତ ବଲିୟାନଙ୍କ ପତ୍ନୀ। ଅଙ୍କିତଙ୍କ ହତ୍ୟାକାରୀଙ୍କୁ ୪୮ ଘଣ୍ଟା ଭିତରେ ଏନକାଉଣ୍ଟର ନ କଲେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ତାଙ୍କ ପତ୍ନୀ ସୀମା। ସୀମା ଦିଲ୍ଲୀରେ ସରକାରୀ ଶିକ୍ଷୟତ୍ରୀ ଅଛନ୍ତି। ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଯେଉଁଠି ସେ ଶାସନ ଓ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ କରିଛନ୍ତି। ସୀମା କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଏଥିରେ ତାଙ୍କ ଦୁନିଆ ଛାରଖାର ହୋଇଗଲା। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଔଷଧ ନ ନେଲେ ନଚଳେ। ସୀମା କହିଛନ୍ତି, ଅଙ୍କିତଙ୍କ ସହ କାହାରି କୌଣସି ବିବାଦ ନଥିଲା। ୨୦୨୩ରେ ଅବଶ୍ୟ ତାଙ୍କୁ ଫୋନରେ ଦୁଇଥର ଧମକ ମିଳିଥିଲା। ଯେହେତୁ ଅଙ୍କିତ ୟୁପିର ମୂଳବାସିନ୍ଦା। ସେଥିଲାଗି ହରିଆଣାରେ ତାଙ୍କୁ ଟିକେ ଅଣଦେଖା କରାଯାଉଥିଲା। ହରିଆଣାରୁ ତାଙ୍କୁ କୌଣସି ସପୋର୍ଟ ମିଳୁନଥିଲା। ଅଙ୍କିତଙ୍କ ହତ୍ୟାକାଣ୍ଡ ପରଠୁ ହରିଆଣାରୁ କେହି କଲ୍ ବି କରିନାହାନ୍ତି। ସୀମା କହିଛନ୍ତି, ବୁଧବାର ଅପରାହ୍ନ ୪ଟା ବେଳେ ଅଙ୍କିତଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ହୋଇଥିଲା। ଅଙ୍କିତ କୌଣସି ନୂଆ ଗୀତ ଉପରେ କାମ କରୁଥିବା କଥା କହିଥିଲେ। ସେତେବେଳେ ସ୍ଥିତି ପୁରା ସ୍ୱାଭାବିକ ଥିଲା। ଅଙ୍କିତ ବି କୌଣସି ପ୍ରକାର ଚାପରେ ଥିଲା ଭଳି ଲାଗୁନଥିଲା। ସରକାର କହୁଛନ୍ତି, ୟୁପିରେ ଅପରାଧ ଘଟୁନି। କିନ୍ତୁ ସ୍ଥିତି ଏମିତି ହେଲା ଯେ, ୪ଜଣ ଆସି ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ। ଅଙ୍କିତ ଓ ସୀମାଙ୍କର କୌଣସି ସନ୍ତାନ ବି ନାହାନ୍ତି। ନିଜର ସୁପରହିଟ୍ ଗୀତ କୋର୍ଟ ମେଁ ଗୋଲି ମାରେଙ୍ଗେ ମେରି ଜାନ୍ ରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଙ୍କିତ। ବୁଧବାର ରାତି ୭ଟାରେ ଶାମଲିରେ ଜିମରେ ଓ୍ୱାର୍କଆଉଟ କରି ବାହାରକୁ ବାହାରୁଥିଲେ ଅଙ୍କିତ। କାରରେ ବସିବାକୁ ଗଲା ବେଳେ ତାଙ୍କୁ ମାରିବାକୁ ଛକି ବସିଥିଲେ ୪ ବଦମାସ। ବାଇକରେ ଆସିଥିଲେ। ଆଉ ପ୍ରାୟ ୧୮ ରାଉଣ୍ଡ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତାଙ୍କ ମୁଣ୍ଡ ଓ ପେଟରେ ୫ଟି ଗୁଳି ଲାଗିଥିଲା। ଅଙ୍କିତଙ୍କ ମୁଣ୍ଡରେ ଗୁଳି ବାଜି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଙ୍କିତ ମୂଳତଃ ଶାମଲି ଜିଲ୍ଲାର ବଣ୍ଟିଖେଡ଼ା ଗାଁର। ସେ କିଛି ବର୍ଷ ହେଲା ହରିଆଣାର ରୋହତକ ଓ ସୋନିପତରେ ରହି ଗାଇବା ସହ ଆକ୍ଟିଂ କରୁଥିଲେ। ଅଙ୍କିତ ଗଲା ବର୍ଷେ ହେଲା ଏହି ଜିମକୁ ନିଇତି ଆସୁଥିଲେ। ହତ୍ୟା ପଛରେ ପୁରୁଣା ପ୍ରତିଶୋଧ ନଚେତ ଗ୍ୟାଙ୍ଗଓ୍ୱାର ଥିବା କୁହାଯାଉଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଶାମଲି ଥାନା ଆଗରେ ଅଙ୍କିତଙ୍କ ଶବ ରଖି ପ୍ରାୟ ଅଢ଼େଇ ଘଣ୍ଟା ଜାମ୍ ଲଗାଇଥିଲେ ପରିବାର ପରିଜନ। ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ଭିଡ଼ିଓ ପୋଷ୍ଟ କରିଥିଲେ। ହିରିଆଣି ଅନ୍ଦାଜରେ ରେ ଖାସ ଭାଇକି ଭଡ଼କ କେ ଉପର, ମର୍ଡର ମାର ଦେ ସଡ଼କ କେ ଉପର ଗୀତ ଗାଇ ପୋଷ୍ଟ କରିବା ସହ ନିଜ ଫ୍ୟାନ୍ସଙ୍କୁ ଏହାକୁ ଅଧିକରୁ ଅଧିକ ସେୟାର କରିବାକୁ କରିଥିଲେ ଅପିଲ୍। ଆଉ କିଛି ସମୟ ପରେ ତାଙ୍କୁ ନିର୍ମମ ହତ୍ୟା ଖବର ପାଇ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଥିଲେ। ଭିଡ଼ିଓର ଶେଷରେ ଜୟ ରାମଜି କି ଭୟା, ଜୟ ବପ୍ପାକୁ, ଜୟ ଭାରତ କହିଥିଲେ ଅଙ୍କିତ। ଅଙ୍କିତ ବଲିୟାନ ହରିଆଣି ମ୍ୟୁଜିକ ଓ ସୋସିଆଲ ମିଡିଆ ଜଗତରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ୟୁଟ୍ୟୁବର ଓ ହରିଆଣା ଆକ୍ଟର ଭାବେ ବି ସକ୍ରିୟ ଥିଲେ। କୁହାଯାଉଛି, ଅଙ୍କିତ ନିକଟରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଅଙ୍କିତଙ୍କ ହତ୍ୟାକାଣ୍ଡ ପଛରେ ଅସଲ କାରଣ କଅଣ। ପୁଲିସ ସିସିଟିଭି ଫୁଟେଜ ସହ ସମସ୍ତ ସମ୍ଭାବ୍ୟ ଦିଗକୁ ଛାନଭିନ କରୁଛି। ଏହାରି ଭିତରେ ହରିଆଣାର ଗୋଗି ଗ୍ରୁପ୍ ଏହି ହତ୍ୟାକାଣ୍ଡ ପଛରେ ନିଜକୁ ଦାୟୀ କରିଛି। ଇନଷ୍ଟାଗ୍ରାମରେ ଗ୍ୟାଙ୍ଗ ସହ ଜଡ଼ିତ ସୋନିପତର ଭୋଲୁ ଶାହପୁରିଆ ନାମକ ବ୍ୟକ୍ତି ପୋଷ୍ଟ ସେୟାର କରି ଲେଖିଛି ଯେ, ଅଙ୍କିତ ଆମର ଶତୃ ସହ ସାଥ୍ ଦେଉଥିଲା। ଆମ ଭାଇ ଗୋଗି ଭାଇଙ୍କ ସହ ହୋଇଥିବା ଅଘଟଣ ଉପରେ ସେ ଗୀତ କରିଥିଲା। ଏହାର ପରିଣତି ସେ ଏବେ ଭୋଗିଲା। ଯିଏ ବି ଆମର ଶତୃ ସହ ରହିବ, ସେ ସମସ୍ତଙ୍କର ଏଭଳି ପରିଣାମ ହେବ। ଏହା ତ ମାତ୍ର ଆରମ୍ଭ।
