Old Revenge: ପୂର୍ବ ଶତୃତାରୁ ସଂଘବଦ୍ଧ ଆକ୍ରମଣ: ବାପ ମୃତ, ପୁଅ ଗୁରୁତର
ଭଦ୍ରକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁକୁଡ଼ା ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ। ଆକ୍ରମଣରେ ବାପା ମୃତ; ପୁଅ କଟକ ସ୍ଥାନାନ୍ତର।
ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁକୁଡ଼ା ଦୋକାନୀ ଓ ତାଙ୍କ ପୁଅଙ୍କ ଉପରେ ସଂଘବଦ୍ଧ ଆକ୍ରମଣ। ଆକ୍ରମଣରେ କୁକୁଡ଼ା ଦୋକାନୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଆନ୍ଦିଆ ପଞ୍ଚାୟତର ଜେନା ସାହିରେ। ସୂଚନା ଅନୁସାରେ, ଜେନା ସାହିର ଲକ୍ଷ୍ମୀଧର ଜେନାଙ୍କ ସହ ସେହି ଗାଁର କିଛି ଲୋକଙ୍କର ପୂର୍ବରୁ ଝଗଡ଼ା ଲାଗିଥିବା କୁହାଯାଉଛି। ଗତକାଲି ଗଣେଶ ଭସାଣି ସମୟରେ ସମ୍ପୃକ୍ତ ଲୋକମାନେ ଲକ୍ଷ୍ମୀଧରଙ୍କ କୁକୁଡ଼ା ଦୋକାନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପାଇ ଲକ୍ଷ୍ମୀଧର ଜେନା ଓ ତାଙ୍କ ପୁଅ ପର୍ଶୁରାମ ଜେନା ଘଟଣାସ୍ଥଳରେ ପହଞ୍ଚି ଦୋକାନର ଭଙ୍ଗାରୁଜା ନେଇ ଫଟୋ ଉଠାଉଥିବା ବେଳେ ହଠାତ୍ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀଧର ଓ ପର୍ଶୁରାମଙ୍କୁ କାଚ ବୋତଲ ଏବଂ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ଏଥିରେ ଲକ୍ଷ୍ମୀଧର ଜେନା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଛନ୍ତି। ପର୍ଶୁରାମଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।
