Muzafarnagar Murder:ଗାର୍ଡ ହତ୍ୟାକାଣ୍ଡ- ପୁଲିସ ଏନକାଉଣ୍ଟର ନକଲେ ପ୍ରତିଶୋଧ ନେବ ପୁଅ!
ପୁଲିସ ଯଦି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିବନି, ତାହେଲେ ସେ ନିଜେ ସେମାନଙ୍କୁ ମାରି ବାପାଙ୍କ ହତ୍ୟାର ପ୍ରତିଶୋଧ ନେବେ ବୋଲି କହିଛନ୍ତି। କାରଣ ବାପାଙ୍କ ସହ ତାଙ୍କୁ ବି ମାରିବାକୁ ପ୍ଲାନିଂ ହୋଇଥିଲା।

ମୁଜାଫରନଗରର କୋତଓ୍ୱାଲି କ୍ଷେତ୍ରର ବୁଢ଼ାନା- ପୀନନା ଗାଁରେ ମଙ୍ଗଳବାର ସକାଳେ ସିକ୍ୟୁରିଟି ଗାର୍ଡ ସୁବାଷ ବଲିୟାନଙ୍କୁ ଗୁଳି କରି ହତ୍ୟା ପରେ ପ୍ରତିଶୋଧର ନିଆଁରେ ଜଳୁଛି ପୁରା ପରିବାର। ମୃତକଙ୍କ ସାନ ପୁଅ ସାଗର ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ ପୁଲିସ ସେମାନଙ୍କୁ ଏନକାଉଣ୍ଟର କରୁ ବୋଲି ଦାବି କରିଛନ୍ତି। ପୁଲିସ ଯଦି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିବନି, ତାହେଲେ ସେ ନିଜେ ସେମାନଙ୍କୁ ମାରି ବାପାଙ୍କ ହତ୍ୟାର ପ୍ରତିଶୋଧ ନେବେ ବୋଲି କହିଛନ୍ତି। କାରଣ ବାପାଙ୍କ ସହ ତାଙ୍କୁ ବି ମାରିବାକୁ ପ୍ଲାନିଂ ହୋଇଥିଲା। ଅଭିଯୁକ୍ତଙ୍କୁ ପୁଲିସ ନ ମାରିଲେ, ସେମାନେ ସାଗରକୁ ମାରିଦେବେ। ସାଗରଙ୍କ ଏ ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଗର କହିଛନ୍ତି, ହତ୍ୟା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ଓ ତାଙ୍କ ବାପାଙ୍କୁ ଘରକୁ ଡାକିଥିଲେ। ଉଭୟଙ୍କୁ ମାରିବାକୁ ଯୋଜନା କରିଥିଲେ। କିନ୍ତୁ ସଂଯୋଗବଶତଃ ଉଭୟ ଯାଇନଥିଲେ। ଏହା ପରେ ତାଙ୍କ ବାପା ଡ୍ୟୁଟିକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ ଘେରିଥିଲେ ଆଉ ଗୁଳି ମାରିଦେଲେ। କୁହାଯାଉଛି, ସୁବାଷଙ୍କ ବଡ଼ ପୁଅ ଆକାଶଙ୍କ ସହ ଗାଁର ଜଣେ ଝିଅ ସହ ପ୍ରେମପ୍ରସଙ୍ଗ ଥିଲା। ଦୁହେଁ ମାସକ ତଳୁ ଘରୁ ପଳାଇବା ପରେ ବିବାଦ ଆରମ୍ଭ ହୋଇଥିଲା। ପୁଲିସ ଏ ମାମଲାରେ ଆକାଶକୁ ଜେଲ୍ ପଠାଇଦେଇଥିଲା। ଆଉ ଝିଅକୁ ମିରଟ ସ୍ଥିତ ନାରୀ ନିକେତନକୁ ପଠାଇଥିଲା। ଏହି ହତ୍ୟାକାଣ୍ଡ ଆଗରୁ ଦୁଇ ଦିନ ତଳେ ଗାଁ ପଞ୍ଚାୟତରେ ବୈଠକ ବସିଥିଲା। ପଞ୍ଚାୟତରେ ଭାରତୀୟ କିଷାନ ୟୁନିଅନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତ ବି ପହଞ୍ଚିଥିଲେ। କୁହାଯାଉଛି, ପଞ୍ଚାୟତର ଦୁଇ ପକ୍ଷ ଭିତରେ ନିଜ ନିଜ ପିଲାଙ୍କ ଭିତରେ ବୁଝାମଣା ଓ ପରସ୍ପରଠୁ ଅଲଗା ରହିବାକୁ କଥା କୁହାଯାଇଥିଲା । କିନ୍ତୁ ପୁଅ ସପକ୍ଷରେ ବୟାନ ଦେଇଥିଲା ଝିଅ। ତେବେ ପୁଲିସ ତଦନ୍ତ କରୁଛି, ହତ୍ୟାର ପ୍ରକୃତ କାରଣ କଅଣ। ସୁବାଷ ଏକ ପ୍ରାଇଭେଟ ଫ୍ଯାକଟ୍ରିରେ ସିକ୍ୟୁରିଟି ଗାର୍ଡ ଥିଲେ। ପରିବାରରେ ପତ୍ନୀ ପିଙ୍କି ଓ ଦୁଇ ପୁଅ ସାଗର ଓ ଆକାଶ। ଏହି ଗାଁରେ ସନ୍ତେନ୍ଦରଙ୍କ ପରିବାର ବି ରୁହନ୍ତି। ତାଙ୍କର ଦୁଇ ପୁଅ ହରିଓମ ଓ ଶୁଭମ। ସୁବାଷଙ୍କ ପୁଅ ଆକାଶର ସନ୍ତେନ୍ଦରଙ୍କ ଝିଅ ସହ ପ୍ରେମସମ୍ପର୍କ ଥିଲା। ଦୁହେଁ ଗୋଟିଏ ଜାତିର। କିନ୍ତୁ ତାଙ୍କ ପରିବାର ବିବାହ ଲାଗି ରାଜି ନଥିଲେ।
