FRAUD IN NAME OF JOB:ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ
ହାଇପ୍ରୋଫାଇଲ୍ ଠକେଇ ଅଭିଯୋଗ । ଉପମୁଖ୍ୟମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଠକେଇ; ଦୀଘାରୁ ଅଭିଯୁକ୍ତକୁ ଗିରଫ କଲା ଭଦ୍ରକ ଟାଉନ୍ ଥାନା ପୋଲିସ
ଭଦ୍ରକ: ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ପଶ୍ଚିମବଙ୍ଗର ଦୀଘାରୁ ଗିରଫ କରିଛି ଭଦ୍ରକ ଟାଉନ୍ ଥାନା ପୋଲିସ। ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ଧାମନଗର ଚୁଡ଼ାକୁଟି ଅଞ୍ଚଳର ଜଗନ୍ନାଥ ବହଳିଆ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ଜଗନ୍ନାଥ ନିଜକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପିଏ ବୋଲି ପରିଚୟ ଦେଇ ବିଭିନ୍ନ ବ୍ୟକ୍ତିଙ୍କୁ ସରକାରୀ ଓ ରେଲୱେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଉଥିଲା। ଏହି ଆଧାରରେ ସେ ଲୋକଙ୍କଠାରୁ ବିପୁଳ ଟଙ୍କା ନେଇଥିବା ଅଭିଯୋଗ ରହିଛି। ସିମୁଳିଆ ମଇତାପୁର ଗାଁର ସୌରଭ ମହାପାତ୍ରଙ୍କୁ ରେଲୱେରେ ଚାକିରି କରାଇଦେବା ପାଇଁ ଅଭିଯୁକ୍ତ ଜଣକ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରେ ଚାକିରି ନମିଳିବାରୁ ସୌରଭ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଦୀଘାରେ ଥିବା ଜଣାପଡ଼ିବା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରି ଭଦ୍ରକ ଟାଉନ୍ ଥାନାକୁ ଆଣିଥିଲା।
ପୋଲିସର ପ୍ରାଥମିକ ତଦନ୍ତରେ ଅଭିଯୁକ୍ତ ଜଣକ ବିଭିନ୍ନ ବଡ଼ବଡ଼ ନେତାଙ୍କ ସହ ଫଟୋ ଉଠାଇ ସେମାନଙ୍କ ସହ ନିଜର ସମ୍ପର୍କ ଥିବା ଦାବି କରି ଲୋକଙ୍କୁ ପ୍ରଭାବିତ କରୁଥିବା ଜଣାପଡ଼ିଛି। ଏହାର ଆଧାରରେ ସେ ବହୁ ଲୋକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ସରକାରୀ ଅନୁଷ୍ଠାନର ନକଲି ନିଯୁକ୍ତିପତ୍ର ଜବତ କରାଯାଇଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ, ଚାକିରି କରାଇଦେବା ନାଁରେ ଅଭିଯୁକ୍ତ ଜଣକ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଠକେଇ ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଆଉ କେତେଜଣଙ୍କଠାରୁ ଟଙ୍କା ନିଆଯାଇଛି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ଜଗନ୍ନାଥ ବହଳିଆଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
