TRAIN HIT ELEPHANT; ଟ୍ରେନ ଇଞ୍ଜିନ୍ ଧକ୍କାରେ ହାତୀର ମୃତ୍ୟୁ, ତଦନ୍ତ ଆରମ୍ଭ |
ରାୟଗଡ଼ା ଜିଲ୍ଲା ବିଷମକଟକ ଷ୍ଟେସନରୁ ଥେରୁବାଲି ଅଭିମୁଖେ ଯାଉଥିବା ଏକ 'ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍' ସହ ଗତ କାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରେନ୍ର ପ୍ରଚଣ୍ଡ ଧକ୍କା ଫଳରେ ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଯାଇଛି ।

ରାୟଗଡ଼ା ଜିଲ୍ଲା ବିଷମକଟକ ଷ୍ଟେସନରୁ ଥେରୁବାଲି ଅଭିମୁଖେ ଯାଉଥିବା ଏକ 'ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍' ସହ ଗତ କାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରେନ୍ର ପ୍ରଚଣ୍ଡ ଧକ୍କା ଫଳରେ ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଯାଇଛି । ବିଷମ କଟକରୁ ଥେରୁବାଲି ରେଳ ଲାଇନ୍ , ଯାହା ଦୀର୍ଘ ମାସ ହେବ ହାତୀଙ୍କ ମୁଖ୍ୟ ଚଳପ୍ରଚଳ ରାସ୍ତା ପାଲଟିଛି । ନିୟମ ଅନୁସାରେ, ଏପରି ସଂବେଦନଶୀଳ ଅଞ୍ଚଳରେ ଟ୍ରେନ୍ଗୁଡ଼ିକର ଗତିସୀମା କମ୍ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଆଜି ପୁଣି ଏକ ମୂଲ୍ୟବାନ ହାତୀର ଜୀବନ ଚାଲିଯାଇଛି । ଯଦି ବନ ବିଭାଗ ଓ ରେଳ ବିଭାଗ ସଜାଗ ଥାଆନ୍ତେ, ତେବେ ହୁଏତ ଏହି ଦୁର୍ଘଟଣାକୁ ଏଡ଼ା ଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ହାତୀ-ଟ୍ରେନ୍ ସଂଘର୍ଷ ରୋକିବା ପାଇଁ ସ୍ୱତନ୍ତ୍ର ଏସଓପି ଏବଂ ଗତି ନିୟନ୍ତ୍ରଣ ନିୟମ ରହିଛି । ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଦାୟିତ୍ୱ ଉଭୟ ବିଭାଗର । କିନ୍ତୁ ବାସ୍ତବରେ ଏହି ନିୟମଗୁଡ଼ିକ ସଠିକ୍ ଭାବେ ପାଳନ ହେଉଛି ତାହା ସନ୍ଦେହ ଘେରରେ ରହିଛି । ଆଜିର ଏହି ନିରୀହ ହାତୀର ମୃତ୍ୟୁ ପଛରେ କାହାର ଅବହେଳା ରହିଛି, ଟ୍ରେନର ଗତିସୀମା କମ୍ ଥିଲା ନା ନାହିଁ ଏବଂ ସଠିକ୍ ସମୟରେ ବନ ବିଭାଗ ରେଳବାଇକୁ ସୂଚନା ଦେଇଥିଲା କି ନାହିଁ | ଏସବୁର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ନଚେତ୍ ଆଗାମୀ ଦିନରେ ଏହିପରି ଅନେକ ମୂଲ୍ୟବାନ ବନ୍ୟଜନ୍ତୁ ଲୋପ ପାଇବା ସମ୍ଭାବନା ରହିଛି । ଖବର ପାଇବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦନ୍ତା ହାତୀର ବୟସ ପାଖା ପାଖି ୧୬ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ଏବଂ ଶଵ ବ୍ୟବଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ବେଳେ ,ଏନେଇ ବନବିଭାଗ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।
