UAE Investors: ୟୁଏଇରେ ଓଡ଼ିଶା ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନ
ୟୁଏଇରେ ଓଡ଼ିଶା ସରକାରଙ୍କ ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନରେ ଉଚ୍ଚସ୍ତରୀୟ ବୈଠକ, ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା ଓ ନିବେଶ ସୁଯୋଗ ନେଇ ମତବିନିମୟ।

ଭୁବନେଶ୍ବର: ୟୁଏଇରେ ଓଡ଼ିଶା ସରକାରଙ୍କ ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ବ୍ୟବସାୟିକ ଆଲୋଚନା ଅନୁଷ୍ଠିତ ହେବ। ନିବେଶ ଆକର୍ଷଣ, ଶିଳ୍ପ ସହଭାଗିତା ଏବଂ ଓଡ଼ିଶା-ୟୁଏଇ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍ର ଅଧ୍ୟକ୍ଷ ମହାମାନ୍ୟ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ଓଡ଼ିଶା ପ୍ରତିନିଧି ଦଳର ବୈଠକ ହେବ। ଏଥିରେ ଓଡ଼ିଶାରେ ନିବେଶ ସୁଯୋଗ, ଅର୍ଥନୈତିକ ସହଯୋଗ ଏବଂ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ନେଇ ଆଲୋଚନା ହେବ। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଏକକ ବୈଠକ ମାଧ୍ୟମରେ ଓଡ଼ିଶାରେ ଉପଲବ୍ଧ ନିବେଶ ସୁଯୋଗ, ଶିଳ୍ପ ଭିତ୍ତିଭୂମି ଓ ସମ୍ଭାବ୍ୟ ଶିଳ୍ପ ସହଭାଗିତା ନେଇ ଆଲୋଚନା କରାଯିବ।
ଓଡ଼ିଶାର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଏବଂ ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ରହିଥିବା ନିବେଶ ସମ୍ଭାବନାକୁ ନେଇ ଶିଳ୍ପ ପ୍ରତିନିଧିଙ୍କ ସହ ରାଉଣ୍ଡଟେବୁଲ୍ ବୈଠକ ହେବ। ଆଲୁମିନିୟମ୍ ଆଧାରିତ ମୂଲ୍ୟବର୍ଦ୍ଧିତ ଶିଳ୍ପକୁ ଓଡ଼ିଶାରେ ଆହୁରି ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ କାଉନସିଲ୍ (IBPC) ସହ ବୈଠକରେ ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାରେ ନିବେଶର ବିଭିନ୍ନ ସୁଯୋଗ ନେଇ ଆଲୋଚନା ହେବ। ଓଡ଼ିଶା ପ୍ରତିନିଧି ଦଳ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ (EGA) ପରିଦର୍ଶନ କରିବ। ଏହି ଅବସରରେ ଆଲୁମିନିୟମ୍ ଓ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ସହଯୋଗର ସମ୍ଭାବନା ଏବଂ ନୂଆ ନିବେଶ ସୁଯୋଗ ଅନୁଧ୍ୟାନ କରାଯିବ।
ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସହ ଶିଳ୍ପ ରାଉଣ୍ଡଟେବୁଲ୍ ବୈଠକରେ ରିସାଇକ୍ଲିଂ, ସର୍କୁଲାର୍ ଇକୋନୋମି ଏବଂ ସ୍ଥାୟୀ ଶିଳ୍ପ ବିକାଶ ସମ୍ପର୍କିତ ସମ୍ଭାବନା ଉପରେ ଆଲୋଚନା ହେବ। ଦିନର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଓଡ଼ିଶାର ବ୍ୟବସାୟିକ ପ୍ରତିନିଧି ଦଳ ସହ ଏକ ଇଣ୍ଟରଆକ୍ଟିଭ୍ ସେସନ୍ ଅନୁଷ୍ଠିତ ହେବ। ଏଥିରେ ବ୍ୟବସାୟିକ ସୁଯୋଗ, ବଜାର ସଂଯୋଗ ଏବଂ ଓଡ଼ିଶା-ୟୁଏଇ ଅର୍ଥନୈତିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ନେଇ ମତବିନିମୟ ହେବ। ୟୁଏଇରେ ଓଡ଼ିଶା ସରକାରଙ୍କ ଏହି ନିବେଶ ଅନ୍ୱେଷଣ ଅଭିଯାନ ମାଧ୍ୟମରେ ଓଡ଼ିଶାର ଶିଳ୍ପ ଓ ନିବେଶ ସମ୍ଭାବନାକୁ ବିଶ୍ୱ ନିବେଶକଙ୍କ ସମ୍ମୁଖରେ ପହଞ୍ଚାଇବା ସହ ରାଜ୍ୟରେ ନୂଆ ଶିଳ୍ପ ଓ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି ଉପରେ ଗୁରୁତ୍ୱ ରହିବ।
