ପୁରା ନଦୀକୁ ସଫା କରି ଚର୍ଚ୍ଚାରେ ବିଟ୍ଟୁ- ବିଦେଶରୁ ଆସିଲା ଚାକିରୀର ଅଫର
ଏକୁଟିଆ ବିଟ୍ଟୁଙ୍କ ଏ କାମକୁ ପ୍ରଶଂସା କରି କେହି ରହିପାରିଲେନି। ବିଟ୍ଟୁଙ୍କ ଏହି ପ୍ରେରଣାଦାୟୀ ଭିଡ଼ିଓ ଯେମିତି ଇଣ୍ଟରନେଟରେ ଭାଇରାଲ ହେଲା। ଏହାକୁ ଦେଖି ନେଦରଲ୍ୟାଣ୍ଡର ପ୍ରସିଦ୍ଧ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଦି ଓସନ କ୍ଲିନଅପର ଫାଉଣ୍ଡର ତଥା ସିଇଓ ବୋୟନ ସ୍ଲେଟଙ୍କ ଯାଏ ପହଞ୍ଚିଗଲା।

ଜଣେ କଅଣ ପୁରା ନଦୀକୁ ଏକୁଟିଆ ସଫା କରିପାରିବ। ଆଉ ନିଜର ଇଛାଶକ୍ତି ବଳରେ ଏତେବଡ଼ କ୍ରାନ୍ତି ଆଣିପାରିବ। କାରଣ ନଦୀ ଓ ନାଳରେ ଥିବା ଅଳିଆ, ଦଳ ଦେଖି ସାଧାରଣତଃ ଜଣେ କହିବ, ଏହା କଅଣ ଆମର କାମ କି। ଏହା ସରକାରଙ୍କ ଦାୟିତ୍ୱ। କିନ୍ତୁ ମଧ୍ୟପ୍ରଦେଶର ବିଟ୍ଟୁ ତବାହି ଓରଫ ସୁରେନ୍ଦ୍ର ସିଂ ଚୌଧୁରୀ ନାମକ ୨୧ ବର୍ଷର ଯୁବକ ଏହି ଭାବନାକୁ ପୁରା ବଦଳାଇଦେଲେ। କୌଣସି ସରକାରୀ ସାହାଯ୍ୟ ବିନା ବା କାହାକୁ ଅପେକ୍ଷା ନ କରି ଏକୁଟିଆ ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକରେ ଭରା ଅଜନାର ନଦୀର ରୂପକୁ ବଦଳାଇଦେଲେ। ଆଉ ତାଙ୍କର ଏଭଳି ଇଛାଶକ୍ତିର ପ୍ରତିଫଳନ କେବଳ ଦେଶରେ ଆଉ ସୀମିତ ରହିନି। ବିଦେଶରେ ବି ସ୍ୱର ଗୁଞ୍ଜରିତ ହୋଇଛି। ବିଟ୍ଟୁ ସୋସିଆଲ ମିଡିଆରେ ସଫେଇ ଅଭିଯାନର ଯାତ୍ରାକୁ ସେୟାର କରିଥିଲେ। ଭିଡ଼ିଓ ଆରମ୍ଭରୁ ଅଜନାର ନଦୀର ପାଣି ଅଳିଆ ଆବର୍ଜନା, ପ୍ଲାଷ୍ଟିକ ବୋତଲ, ଥର୍ମୋକଲ, ପଲିଥିନରେ ଭର୍ତ୍ତି କାରଣରୁ ପୁରା ଭରିଯାଇଥିଲା। ନଦୀର ପାଣି ଏତେ ମଇଳା ଥିଲା ଯେ, ସେଥିରେ ଥିବା ଜଳୀୟ ଜୀବ ନିଃଶ୍ୱାସପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଥିଲେ। ବିଟ୍ଟୁ ସଫେଇ ଅଭିଯାନର ମଙ୍ଗ ଧରିଥିଲେ। ଦୈନିକ ଘଣ୍ଟା ଘଣ୍ଟା ଧରି ନଦୀରେ ପଶି ଅଳିଆ ଆବର୍ଜନା ଉଠାଇ ଏହାକୁ ଅଖାଜରିରେ ଭର୍ତ୍ତି କରି ବାହାରକୁ କାଢ଼ୁଥିଲେ। ଏହାକୁ ଦେଖି ଲୋକେ ତାଙ୍କୁ ଉପହାସ କରୁଥିଲେ। ହେଲେ ସେ ଏହାକୁ ପରବାଏ କରୁନଥିଲେ। ଆଉ ଦିନ ରାତି ପରିଶ୍ରମର ଫଳସ୍ୱରୂପ ଯେବେ ନଦୀ ସ୍ୱଛ, ସଫା ଓ ବିଶୁଦ୍ଧ ଦିଶିଲା, ତାକୁ ଦେଖି ଲୋକେ ହରଡ଼ଘଣାରେ ପଡ଼ିଗଲେ। ଏକୁଟିଆ ବିଟ୍ଟୁଙ୍କ ଏ କାମକୁ ପ୍ରଶଂସା କରି କେହି ରହିପାରିଲେନି। ବିଟ୍ଟୁଙ୍କ ଏହି ପ୍ରେରଣାଦାୟୀ ଭିଡ଼ିଓ ଯେମିତି ଇଣ୍ଟରନେଟରେ ଭାଇରାଲ ହେଲା। ଏହାକୁ ଦେଖି ନେଦରଲ୍ୟାଣ୍ଡର ପ୍ରସିଦ୍ଧ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଦି ଓସନ କ୍ଲିନଅପର ଫାଉଣ୍ଡର ତଥା ସିଇଓ ବୋୟନ ସ୍ଲେଟଙ୍କ ଯାଏ ପହଞ୍ଚିଗଲା। ବୋୟନ ସ୍ଲେଟ ପୁରା ଦୁନିଆର ସମୁଦ୍ର ଓ ନଦୀରୁ ପ୍ଲାଷ୍ଟିକ, ଅଳିଆ ହଟାଇ ଆଧୁନିକ ଜ୍ଞାନକୌଶଳରେ କାମ କରିବାରେ ପରିଚିତ। ବିଟ୍ଟୁଙ୍କ ଏ କାମ ଦେଖି ବୋୟନ ସ୍ଲେଟ ଏତେ ପ୍ରଭାବିତ ହୋଇଛନ୍ତି ଯେ, ସେ ନିଜେ ବିଟ୍ଟୁଙ୍କ ଭିଡ଼ିଓ ସେୟାର କରି ନିଜ ଟିମରେ ସାମିଲ ହେବାକୁ ସିଧାସଳଖ ଅଫର ଦେଇଛନ୍ତି। ବୋୟନ ଲେଖିଛନ୍ତି ଯେ, ବାସ୍ତବରେ ବିଟ୍ଟୁଙ୍କ କାମ କମାଲ ଅଟେ। ଆପଣ କଅଣ ଆମ ସହ କାମ କରିବାକୁ ଇଛୁକ କି। ଜଣେ ଭାରତୀୟ ଯୁବକଙ୍କୁ ଏତେ ବଡ଼ ଅନ୍ତରାଷ୍ଟ୍ରୀୟ କମ୍ପାନୀରୁ ଚାକିରୀ ଅଫର ମିଳିବା ନିହାତି ଗର୍ବର କଥା। ଭୋପାଳରୁ ୧୧୯ କିଲୋମିଟର ଦୂର ବ୍ୟାଓ୍ୱରା ଗାଁର ବିଟ୍ଟୁ। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କଠୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଯାଏ। ଅନେକ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ବିଟ୍ଟୁଙ୍କ କାମର ଭୁରି ଭୁରି ପ୍ରଶଂସା କରିଛନ୍ତି। ଜାନୁଆରୀ ୨୬, ୨୦୨୬। ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳୁଥିଲା। ଗଣତନ୍ତ୍ର ଦିବସର ମହତ୍ତ୍ୱକୁ ସାରାଦେଶ ଉପଲବ୍ଧି କରୁଥିଲା। ଲୋକତନ୍ତ୍ରର ପ୍ରକୃତ ଅର୍ଥକୁ ଆଉ ଟିକେ ବୁଝିବାକୁ ଚେଷ୍ଟା କରୁଥିଲା। ଦେଶରେ ଏକତାର ଶକ୍ତିକୁ ଆତ୍ମସମୀକ୍ଷା କରୁଥିଲା। ହେଲେ ସେହି ବଡ଼ ଦିନରେ ଏଭଳି ବଡ଼ ଅଭିଯାନ ଆରମ୍ଭ କରିଥିଲେ ବିଟ୍ଟୁ। ନା ପାଖରେ ଥିଲା ବଡ଼ ସଂଶାଧନ ନା ପାଖରେ କୌଣସି ବଡ଼ ମେସିନ। ଆଗ ହାତରେ ଅଳିଆ ଆବର୍ଜନା ସଫା କରି ବାହାର କରିବାକୁ ଲାଗିଥିଲେ। ପରେ ନିକ ପକେଟ ମନିରୁ ଜୋତା, ଅଳିଆ ଟାଣିବାକୁ ଜାଲ ଭଳି ସାମଗ୍ରୀ କିଣିଥିଲେ। ମାସ ମାସ ଧରି ପ୍ଲାଷ୍ଟିକ, ବୋତଲ, ଶୈବାଳ ଓ ଅନ୍ୟାନ୍ୟ ଅଳିଆ ବାହାର କରିବା କାମ ଜାରି ରଖିଥିଲେ। ଆରମ୍ଭରୁ ଏହି ଅଭିଯାନରେ କିଛି ଲୋକ ଯଦିଓ ତାଙ୍କ ସହ ଯୋଡ଼ି ହୋଇଥିଲେ। ହେଲେ ପରେ ସମସ୍ତେ ପଛକୁ ହଟିଗଲେ। ଫେବୃଆରୀ- ମାର୍ଚ୍ଚ ବେଳକୁ ସେ ନଦୀ ସଫେଇର ଫଟୋ ପୋଷ୍ଟ କରିବାକୁ ଲାଗିଲେ। ଏହା ଦେଖି କେହି ତାଙ୍କୁ ପାଗଳ ବୋଲି କହିଲେ ତ କେହି ତାଙ୍କୁ ଟ୍ରୋଲ କରିଥିଲେ। ଆଉ କେହି ତାଙ୍କୁ ନାଳ ସଫାଇ ବାଲା କହି କଟାକ୍ଷ କରିଥିଲେ। ଆଉ କିଛି ଲୋକ ତ କହିବାକୁ ଲାଗିଥିଲେ, ଏହା କେବଳ ସୋସିଆଲ ମିଡିଆରେ ନିଜର ୟୁଜର୍ସ ବଢ଼ାଇବା ଓ ନିଜେ ହାଇଲାଇଟ ଚକ୍କରରେ ଏ ସବୁ କରୁଛନ୍ତି। ଏ ବିବାଦ ଭିତରେ ମାର୍ଚ୍ଚ ୩୦,୨୦୨୬ରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ବିଟ୍ଟୁଙ୍କ ଭିଡ଼ିଓ ସେୟାର କରିଥିଲେ। ସେ କହିଥିଲେ ଯଦି କେହି ଲାଇକ୍ସ ପାଇବା ଆଶାରେ ଭଲ କାମ କରୁଛନ୍ତି, ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ। ସେ ବିଟ୍ଟୁ ତବାହୀଙ୍କୁ ନିଜର ଆଦର୍ଶ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ଶୁକ୍ରବାର ଭୋପାଳସ୍ଥିତ ଘରେ ଭେଟିବାକୁ ଡାକିଥିଲେ। ଭେଟିବା ପରେ ମୁଖ୍ୟମନ୍ତ୍ରୀ ବିଟ୍ଟୁଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ। ଆଉ ଏହାକୁ ରାଜ୍ୟର ଜଳଗଙ୍ଗା ସମ୍ୱନ୍ଧିତ ଅଭିଯାନ ସହ ଯୋଡ଼ିଥିଲେ। ବିଡ଼ମ୍ୱନା, ବିଟ୍ଟୁଙ୍କ ଏ ପୁରା କାହାଣୀକୁ ନେଇ ପୌରପାଳିକା ଆପତ୍ତି ଜାହିର କରୁଛି। ବିଟ୍ଟୁଙ୍କ ଭାଇରାଲ ବିଫୋର ଓ ଆଫଟର କଣ୍ଟେଣ୍ଟ ପୁରା ଚିତ୍ର ଦର୍ଶାଉନି। ସିଓମଓ ମୁତାବକ, ଯେଉଁ ଘାଟରେ ବିଟ୍ଟୁ ରିଲ୍ସ କରିଛନ୍ତି, ସ୍ୱାଭାବିକ ଭାବରେ ଅନ୍ୟ ଦିନରେ ଏହା ୮୦ରୁ ୯୦ ପ୍ରତିଶତ ସଫା ରୁହେ। ଆହୁରି ଦାବି କରାଯାଉଛି ଯେ, ଆବର୍ଜନାମୟ ନଦୀ ଘାଟର ଫଟୋ ୫ରୁ୬ ମାସର ପୁରୁଣା। ଆଉ ସଫା ଫଟୋ ପ୍ରବଳ ବର୍ଷା ପରର। ଅର୍ଥାତ ଅଳିଆ ବର୍ଷାରୁ ଭାସିଯାଇଛି। ଏକ ନିର୍ଦ୍ଦିଷ୍ଟ ଜାଗାର ଅଳିଆ ଫଟୋ ନେଇ ଏକ ସଫା ଫଟୋ ସହ ଯୋଡ଼ି ପଠାଇବା ନ୍ୟାୟୋଚିତ ନୁହେଁ। ପୌରପାଳିକା ଜଳଗଙ୍ଗା ଅଭିଯାନରେ ଲଗାତାର ୨ ମାସ ଯାଏ ନଦୀରେ କାମ ହୋଇଥିଲା। ଏତିକିବେଳେ ବିଟ୍ଟୁ ସେଠାରେ କୌଣସି କାମ କରିନଥିଲେ।
