BJD Media Cell:ନବୀନଙ୍କ ମିଡିଆ ଟିମ୍- ଅରୁଣ,ସଞ୍ଜୟ ଓ ପ୍ରତାପଙ୍କୁ ଗୁରୁଦାୟିତ୍ୱ
ଅରୁଣ, ସଞ୍ଜୟ ଓ ପ୍ରତାପଙ୍କୁ ଦେଇଛନ୍ତି ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଅନୁସାରେ ମିଡିଆ ସେଲ୍। ଡକ୍ଟର ଅରୁଣ ସାହୁଙ୍କୁ ଇଲେକଟ୍ରୋନିକ୍ସ ମିଡିଆ ପାଇଁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି।ଦଳର ଜାତୀୟ ମୁଖପାତ୍ର ତାଲିକାରେ ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ବିଧାୟକ କଳିକେଶ ନାରାୟଣ ସିଂଦେଓ ଅଛନ୍ତି।

ନବୀନଙ୍କୁ ମିଡିଆ ଚିନ୍ତା। ମିଡିଆ ସେଲ ପୁନର୍ଗଠନରେ କିଏ କେଉଁ ମିଡିଆ ହ୍ୟାଣ୍ଡେଲ କରିବ, ତାକୁ ଠିକରେ ପରଖି ବାଣ୍ଟିଛନ୍ତି ଗୁରୁଦାୟିତ୍ୱ। ଅରୁଣ, ସଞ୍ଜୟ ଓ ପ୍ରତାପଙ୍କୁ ଦେଇଛନ୍ତି ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଅନୁସାରେ ମିଡିଆ ସେଲ୍। ଡକ୍ଟର ଅରୁଣ ସାହୁଙ୍କୁ ଇଲେକଟ୍ରୋନିକ୍ସ ମିଡିଆ ପାଇଁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି। ବିଧାୟକ ଦେବେଶ ଆଚାର୍ଯ୍ୟ ବରିଷ୍ଠ ସଂଯୋଜକ ଓ ଲେନିନ ମହାନ୍ତିଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରିଣ୍ଟ ମିଡିଆ ପାଇଁ ସଞ୍ଜୟ ଦାସବର୍ମା ମୁଖ୍ୟ ସଂଯୋଜକ ହୋଇଥିଲା ବେଳେ ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ବରିଷ୍ଠ ସଂଯୋଜକ ଓ ପ୍ରିୟବ୍ରତ ମାଝୀଙ୍କୁ ସଂଯୋଜକ କରାଯାଇଛି। ସେହିଭଳି ସୋସିଆଲ ମିଡିଆ ଓ ଆଇଟିରେ ପ୍ରତାପ ଜେନାଙ୍କୁ ମୁଖ୍ୟ ସଂଯୋଜକ, ପ୍ରଣବ ବଳବନ୍ତରାୟଙ୍କୁ ବରିଷ୍ଠ ସଂଯୋଜକ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି। ସୋସିଆଲ ମିଡିଆର ସଂଯୋଜକ ଭାବେ ସ୍ୱୟଂପ୍ରକାଶ ମହାପାତ୍ର ଓ ଆଇଟି ସେଲର ସଂଯୋଜକ ଭାବେ ଅମରେଶ ପତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ। ଦଳର ଜାତୀୟ ମୁଖପାତ୍ର ତାଲିକାରେ ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ବିଧାୟକ କଳିକେଶ ନାରାୟଣ ସିଂଦେଓ ଅଛନ୍ତି। ଏହା ସହ ଏହି ତାଲିକାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସମେତ ଚିରଞ୍ଜିବୀ ବିଶ୍ୱାଳ, ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ମୁଖପାତ୍ର ତାଲିକାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅଶ୍ୱିନୀ ଷଡ଼ଙ୍ଗୀ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡିଂ, ଟୁକୁନି ସାହୁ, ରମେଶ ମାଝୀ, ପ୍ରୀତରଞ୍ଜନ ଘଡ଼େଇ, ଦିବ୍ୟଶଙ୍କର ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାଷ ସିଂ, ଲୋପାମୁଦ୍ରା ବକ୍ସିପାତ୍ର, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଅଛନ୍ତି। ବିଶେଷ କରି ମୁଖପାତ୍ର ମଣ୍ଡଳୀରେ ଅଭିଜ୍ଞ, ଅନୁଭବୀ ଓ ଦକ୍ଷ ନେତାଙ୍କୁ ସ୍ଥାନ ଦିଆଯାଇଥିଲା ବେଳେ ପ୍ରଥମ ଥର ଏତେ ଲମ୍ୱା ତାଲିକା କରିଛନ୍ତି ନବୀନ। ଏମିତିରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରୋକଠୋକ କହି ଦଳ ଭିତରେ ଚାଲିଥିବା କନ୍ଦଳ, ବାଦବିବାଦ ଓ ପରିଚାଳନାକୁ ନେଇ ସୁପ୍ରିମୋଙ୍କ ଶରବ୍ୟର ଶୀକାର ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କୁ ଦଳର ତୁଣ୍ଡ ଭାବେ ବିବେଚନା କରିଛନ୍ତି ନବୀନ। ବିଜେଡି ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବା ଅବସରରେ ସବୁବେଳେ ସୋସିଆଲ ମିଡିଆରେ ଦଳର ସକ୍ରିୟତାକୁ ନେଇ ବାରମ୍ୱାର ଅପିଲ କରିଆସୁଛନ୍ତି ନବୀନ। ଅନ୍ୟ ଦଳ ତୁଳନାରେ ବିଜେଡିର ମିଡିଆ କଣ୍ଟାକ୍ଟର ପରିସରକୁ ବ୍ୟାପକ କରିବା, ସୋସିଆଲ ମିଡିଆରେ ବିରୋଧୀଙ୍କୁ ଟାର୍ଗେଟ ଭଳି ଅନେକ କଥାର ଗୁରୁମନ୍ତ୍ର ବି ଦେଇଥିଲେ ନବୀନ। ଆଉ ଏଭଳି ସନ୍ଦର୍ଭରେ ଲମ୍ୱାଚଉଡ଼ା ତାଲିକାକୁ ଦେଖିଲେ ଲାଗୁଛି, ଯେମିତି କେହି ଅସନ୍ତୁଷ୍ଟ ନ ହୁଅନ୍ତୁ। କିନ୍ତୁ ମୁହଁରେ ବାଡ଼ବତା ରହୁ ଓ ସୀମାରେ ରୁହନ୍ତୁର ରଣନୀତିରେ ଅରୁଣ, ସଞ୍ଜୟ ଓ ପ୍ରତାପଙ୍କ ଉପରେ ଅଧିକ ଭରସା କରିଛନ୍ତି। ଅରୁଣ,ସଞ୍ଜୟ ଓ ପ୍ରତାପ ଏକଦା ନବୀନଙ୍କ ବ୍ଲୁଆଏଡ ବୟ ଥିଲେ। ଆଉ ଏବେ ପୁଣି ଏହି ତାଲିକାକୁ ଦେଖିଲେ ନବୀନଙ୍କ ଖାସ୍ ଚେହେରା ଭାବେ ଓ ବିଶ୍ୱସ୍ତ ବୋଲି ଏହା ପ୍ରମାଣିତ ହେଉଛି ବୋଲି ଚର୍ଚ୍ଚା ହେଲାଣି।
