ନବରଙ୍ଗପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ପୀଡ଼ିତାଙ୍କ ପାଖରେ ବିଜେଡି ଟିମ୍,
ନବରଙ୍ଗପୁର ଜିଲ୍ଲାର ଏକ ସ୍କୁଲରେ ନବମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ଚର୍ଚ୍ଚା ତୀବ୍ର ହୋଇଛି। ଘଟଣାର ଅନୁଧ୍ୟାନ ପାଇଁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରତିନିଧି ଦଳ ପହଞ୍ଚିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପରିସରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଘଟଣାରେ ପୀଡ଼ିତାଙ୍କ ପାଖରେ ବିଜେଡି ପହଞ୍ଚିଥିବାବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି।
ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୧ ତାରିଖରେ ତେନ୍ତୁଳୀଖୁଣ୍ଟି ଥାନା ଅଞ୍ଚଳର ଏକ ସ୍କୁଲରେ ହିନ୍ଦୀ ଶ୍ରେଣୀ ଚାଲିଥିବା ସମୟରେ ନବମ ଶ୍ରେଣୀର ଛାତ୍ରୀ ଜଣକ ଶୌଚାଳୟକୁ ଯାଇଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏକ ଅବ୍ୟବହୃତ ବାଥରୁମ୍କୁ ନେଇ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀ ଜଣକ ଶିକ୍ଷକଙ୍କୁ ଏ ସମ୍ପର୍କରେ ଜଣାଇଥିବା କୁହାଯାଇଛି। ତେନ୍ତୁଳୀଖୁଣ୍ଟି ଥାନାରେ ଏହି ଘଟଣାକୁ ନେଇ କେସ୍ ନମ୍ବର ୨୦୨/୨୬ ରୁଜୁ ହୋଇଛି। ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ସନ୍ଧାନରେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ସହ ବୈଷୟିକ ତଦନ୍ତ ମଧ୍ୟ ଚାଲିଥିବା କୁହାଯାଇଛି। ଏହି ଘଟଣା ପରିପ୍ରେକ୍ଷୀରେ ବିଜେଡିର ଏକ ପ୍ରତିନିଧି ଦଳ ତେନ୍ତୁଳୀଖୁଣ୍ଟି ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରିଛି। ଜିଲ୍ଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ଟିମ୍ଟି ସମ୍ପୃକ୍ତ ସ୍କୁଲକୁ ଯାଇ ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲା। ବିଜେଡି ପକ୍ଷରୁ କୁହାଯାଇଛି ଯେ, ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଏହାର ଏକ ରିପୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେଡି ପ୍ରତିନିଧି ଦଳରେ ମନୋହର ରନ୍ଧାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଓ ଜିଲ୍ଲା ପରିଷଦ ସଦସ୍ୟମାନେ ସାମିଲ ଥିଲେ। ତେବେ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନଥିବାକୁ ନେଇ ପୀଡ଼ିତାଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ସ୍କୁଲ ପରିସରରେ ଏଭଳି ଅଭିଯୋଗ ଆସିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବାବେଳେ, କେତେକ ଛାତ୍ରୀ ଘଟଣା ପରଠାରୁ ସ୍କୁଲକୁ ଯାଉନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଏବଂ ତଦନ୍ତର ଅଗ୍ରଗତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।
