Student Election: ଛାତ୍ର ନିର୍ବାଚନକୁ ନେଇ ରାଜନୀତି ତେଜ
ଛାତ୍ର ସଂସଦ ନିର୍ବାଚନକୁ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ। ଏହାସହ BJD-କଂଗ୍ରେସ ସମ୍ପର୍କକୁ ନେଇ ବିରୋଧୀଙ୍କୁ କଟାକ୍ଷ ଦେଖିବାକୁ ମିଳୁଛି |

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ସେ କହିଛନ୍ତି, ABVP ସହ ବିଜେପିର ଚିନ୍ତାଧାରା ସମାନ ହୋଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବିଜେପି ନୁହେଁ, ABVP ଲଢ଼ିବ। କୌଣସି ବିଧାୟକଙ୍କୁ ଛାତ୍ର ସଂସଦ ନିର୍ବାଚନର ଦାୟିତ୍ୱ ଦିଆଯାଇନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ମନମୋହନ ସାମଲ କହିଛନ୍ତି, ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଇବା ସହ ଉପଯୁକ୍ତ ଛାତ୍ର ନେତୃତ୍ୱ ତିଆରି କରିବାକୁ କହିଥିଲା। ସରକାରକୁ ଆସିବା ପରେ ସେହି ପ୍ରତିଶ୍ରୁତି ପୂରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ କଲେଜ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଛାତ୍ର ସଂଗଠନଗୁଡ଼ିକର ନିର୍ବାଚନ ଲଢ଼ିବାର ଗଣତାନ୍ତ୍ରିକ ଅଧିକାର ରହିଛି। ଏହାସହ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ମନମୋହନ କହିଛନ୍ତି। ପୂର୍ବତନ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଥିବା ନେଇ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଆସନ୍ତାକାଲି କଂଗ୍ରେସ ଦେଇଥିବା ବନ୍ଦ ଡାକକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ମଧ୍ୟ ମନମୋହନ ସାମଲ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ରଫୁ ସାର୍ଟକୁ ଯେତେ ସିଲେଇ କରି ପିନ୍ଧିଲେ ବି ସେ ଚିରିଯିବ।” ବିଜେଡି କଂଗ୍ରେସ ସହ ମିଶିଯିବା ଦରକାର ବୋଲି ସେ ଟିପ୍ପଣୀ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ଦିଗହରା ଦଳ ହୋଇପଡ଼ିଥିବା ଏବଂ ଦଳର ଦୋମୁହାଁ ନୀତି ବାରି ହୋଇପଡ଼ୁଥିବା ସେ କହିଛନ୍ତି। ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲୀକ କହିଛନ୍ତି, କଲେଜ ନିର୍ବାଚନ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଲଢ଼ିବେ ଏବଂ କୌଣସି ଦଳୀୟ ଚିହ୍ନରେ ଭୋଟ ହେବ ନାହିଁ। ଛାତ୍ରଛାତ୍ରୀମାନେ ସତ୍ୟ ଓ ନ୍ୟାୟ ପାଇଁ ଲଢ଼ିବେ ଏବଂ ଶେଷରେ ସତ୍ୟ ଓ ନ୍ୟାୟର ଜୟ ହେବ ବୋଲି ସେ କହିଛନ୍ତି।
