IAS Anya Das: ପ୍ରୋଟୋକଲ ବିବାଦରେ ଆଇଏଏସ ଅନ୍ୟା- ଏଥର ଜିଲ୍ଲାପାଳ ଭୂମିକାରେ..
ନବରଙ୍ଗପୁରରେ କାର୍ଯ୍ୟରତ ଥିଲା ବେଳେ ନୂଆ ବର୍ଷ ଦିନ ହକି ବିଶ୍ୱକପକୁ ସ୍ୱାଗତ ବେଳେ ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ସେ ମଞ୍ଚରୁ ଓହ୍ଲାଇଦେଇଥିଲେ। ହୁ ଆର ୟୁ ବୋଲି ପଚାରିଥିଲେ। ପ୍ରୋଟୋକଲର ପାଠ ପଢ଼ାଇ ଜିଲ୍ଲାପ୍ରଶାସନର ଅଧିକାରୀଙ୍କ ସହ କେମିତି ସ୍ଥାନୀୟ ପୌରପାଳିକାର ନିର୍ବାଚିତ ପ୍ରତିନିଧି ଏକାଠି ତାଙ୍କ ସହ ମଞ୍ଚ ସେୟାର କରିବେ ବୋଲି କହି ବିବାଦକୁ ଡାକି ଆଣିଥିଲେ।

ଆଜି ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଲେ ୨ ଜିଲ୍ଲାର ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା ବେଳେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି। ଅନ୍ୟା ଦାସଙ୍କୁ ନବରଙ୍ଗପୁର ଓ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି। ତେବେ ଆଜିକା ବଦଳି ନିର୍ଦ୍ଦେଶରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ଅନ୍ୟା ଦାସ। ଅନ୍ୟା ଦାସ ହେଉଛନ୍ତି ୨୦୧୯ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ। ଓଡ଼ିଆ ଝିଅ। ସେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ। ତେବେ ରାଜଧାନୀରେ ପୋଷ୍ଟିଂ ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାମ କରିଥିଲେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ତାହେଲେ ଅନ୍ୟାଙ୍କୁ ନବରଙ୍ଗପୁରରେ ପୁଣି ଥରେ ପୋଷ୍ଟିଂ ତା ପୁଣି ଜିଲ୍ଲାପାଳ ଭାବେ, ଏହାକୁ ନେଇ କାହିଁକି ତାହେଲେ ଏତେ ଚର୍ଚ୍ଚା। କଥା ପଡ଼ିଛି। ଦୁଇ ବର୍ଷ ତଳେ ଆଇଏଏସ ଅନ୍ୟା ଦାସ ବେଶ୍ ବିବାଦୀୟ ହୋଇପଡ଼ିଥିଲେ। ନବରଙ୍ଗପୁରରେ କାର୍ଯ୍ୟରତ ଥିଲା ବେଳେ ନୂଆ ବର୍ଷ ଦିନ ହକି ବିଶ୍ୱକପକୁ ସ୍ୱାଗତ ବେଳେ ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ସେ ମଞ୍ଚରୁ ଓହ୍ଲାଇଦେଇଥିଲେ। ହୁ ଆର ୟୁ ବୋଲି ପଚାରିଥିଲେ। ପ୍ରୋଟୋକଲର ପାଠ ପଢ଼ାଇ ଜିଲ୍ଲାପ୍ରଶାସନର ଅଧିକାରୀଙ୍କ ସହ କେମିତି ସ୍ଥାନୀୟ ପୌରପାଳିକାର ନିର୍ବାଚିତ ପ୍ରତିନିଧି ଏକାଠି ତାଙ୍କ ସହ ମଞ୍ଚ ସେୟାର କରିବେ ବୋଲି କହି ବିବାଦକୁ ଡାକି ଆଣିଥିଲେ। କୁନୁ ନାୟକ ବି ଅନ୍ୟା ଦାସଙ୍କ ଆପତ୍ତି ପରେ କିଛି ନ କହି ଚୁପଚାପ ମଞ୍ଚରୁ ଓହ୍ଲାଇ ପଡ଼ିଥିଲେ। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଅପମାନକୁ ଗଣ୍ଠି କରିଥିଲା ବିଜେପି। ବିଜେଡି ସରକାରରେ ବ୍ୟୁରୋକ୍ରାଟଙ୍କୁ ଏତେ କ୍ଷମତା କରିଦିଆଯାଇଛି ଯେ, ଜଣେ ମହିଳା ଅଧିକାରୀ ଏଭଳି ଢଙ୍ଗରେ ନଗରପାଳଙ୍କୁ ଅସମ୍ମାନିତ ଓ ଅପମାନିତ କରିବକୁ ସାହାସ କଲେ କହି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ବିଜେପି ନେତା ଓ କର୍ମୀ। ଜିଲ୍ଲାପରିଷଦ ଅଫିସରେ ତାଲା ପକାଇଦେଇଥିଲେ। ୧୨ ଘଣ୍ଟିଆ ନବରଙ୍ଗପୁର ସହର ବନ୍ଦ ହେଲା। ଜିଲ୍ଲାପାଳଙ୍କ ଅଫିସ ଆଗରେ ବି ଧାରଣା ଦେଇଥିଲେ କୁନୁ ନାୟକ ଓ ବିଜେପି ନେତା ଗୌରିଶଙ୍କର ମାଝୀ। ଗୌରିଶଙ୍କର ଏବେ ନବରଙ୍ଗପୁର ବିଧାୟକ। ସେତେବେଳେ ଜିଲ୍ଲାପାଳ ବି ବିଜେପି ନେତାଙ୍କ ଆପତ୍ତି ଅଭିଯୋଗ ଶୁଣି ଧାରଣା ସ୍ଥଳରୁ ଅନ୍ୟାଙ୍କୁ ଫୋନ୍ କରି ଘଟଣା ବୁଝିଥିଲେ। ବିଜେପି ନେତାଏ ଅଡ଼ି ବସିଥିଲେ, ଧାରଣାସ୍ଥଳକୁ ଆସି ଅନ୍ୟା ନିଜର ଆଚରଣ ଲାଗି କ୍ଷମା ମାଗନ୍ତୁ। କିନ୍ତୁ ଜିଲ୍ଲାପାଳ ଯେତେବେଳେ ଫୋନ କଲେ, ଅନ୍ୟା କହିଲେ ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି। କି ଧାରଣାସ୍ଥଳକୁ ଯିବେନି। ନଗରପାଳ ନିଜର ପରିଚୟ ନ ଦେଇ କାଉନସିଲର ବୋଲି କହିବାରୁ ସେ ପ୍ରୋଟୋକଲ ଦେଖି ତାଙ୍କୁ ମଞ୍ଚ ତଳକୁ ଯିବାକୁ କେବଳ କହିଥିଲେ। ଜିଲ୍ଲାପାଳ ଚାହିଁଲେ, ତାଙ୍କ ଉପରେ ଯାହା ଆକ୍ସନ ନେବା କଥା ନେଇପାରନ୍ତି ବୋଲି ସଫା ସଫା ଶୁଣାଇଦେଇଥିଲେ। ଜଣେ ଅଧସ୍ତନ ଅଧିକାରୀଙ୍କଠୁ ଏଭଳି ଶୁଣି ଲୋକପ୍ରିୟ ଜିଲ୍ଲାପାଳ କମଳଲୋଚନ ମିଶ୍ର ବି ନିରୁପାୟ ଓ ଅସହାୟତା ଦେଖାଇଥିଲେ। କାରଣ ସେ ଅନ୍ୟାଙ୍କ ସହ ଫୋନରେ କଥାବାର୍ତ୍ତା ବେଳେ ଫୋନକୁ ଲାଉଡ ସ୍ପିକରରେ ରଖିଥିଲେ। ଅବଶ୍ୟ ଅଧସ୍ତନ ଅଧିକାରୀଙ୍କ ଏଭଳି ଆଚରଣରେ ନିଜ ଆଡ଼ୁ ଦୁଃଖପ୍ରକାଶ କରି ବିଜେପି ନେତାଙ୍କ ମାନଭଞ୍ଜନ କରିଥିଲେ ତତ୍କାଳୀନ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ଧାରଣାରୁ ଓହରିବା ସତ୍ତ୍ୱେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସହ ୧୫ ଦିନ ଭିତରେ ଅନ୍ୟାଙ୍କୁ ବଦଳି ଲାଗି ଅଲଟିମେଟମ ଦେଇଥିଲା ଦଳ। ଉମରକୋଟ ବିଧାୟକ ତଥା ଏବେକାର କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଅନ୍ୟାଙ୍କ ଏଭଳି ଆଚରଣକୁ ନେଇ ସେତେବେଳେ କଡ଼ା ସମାଲୋଚନା କରିଥିଲେ। ଲୋକପ୍ରତିନିଧିଙ୍କୁ ସମ୍ମାନ ବିଜେଡି ସରକାରରେ ମିଳିପାରୁନି ବୋଲି କହିଥିଲେ ନିତ୍ୟାନନ୍ଦ। ନିଜେ ସେ ଧାରଣାରେ ବସିବା ସହ ବନ୍ଦ ପାଳନରେ ସାମିଲ ହୋଇଥିଲେ। ୨୪ରେ ନବରଙ୍ଗପୁରର ୪ ନିର୍ବାଚନମଣ୍ଡଳୀରୁ ଉମରକୋଟକୁ ଛାଡ଼ିଦେଲେ ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁରେ ବିଜେଡିର ବିଧାୟକ ଥିଲେ। ଆଉ ୨୪ ନିର୍ବାଚନ ପରେ ଚିତ୍ର ବଦଳିସାରିଛି। କେବଳ ଡାବୁଗାଁକୁ ଛାଡ଼ିଦେଲେ ବାକି ୩ଟିରେ ବିଜେପି ବିଧାୟକ। ରୋଚକ କଥା ହେଉଛି। ଯେଉଁ ଅନ୍ୟା ଦାସଙ୍କୁ ନେଇ ଏତେ ବିବାଦ ଉଠିଥିଲା। ଆଜି ସେ ଅନ୍ୟାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ସରକାର। ଦେଖିବାର କଥା, ଦୁଇ ବର୍ଷ ଭିତରେ ସିନା ରାଜନୀତିର ଚିତ୍ର ବଦଳିଯାଇଛି ନବରଙ୍ଗପୁରରେ। ହେଲେ ଦୁଇ ବର୍ଷ ଭିତରେ ଆଇଏଏସ ଅନ୍ୟାଙ୍କ ସେ ପ୍ରୋଟୋକଲ ନିଶା ଭାଙ୍ଗିଛି ନା ବଳବତ୍ତର ରହିଛି। କାରଣ ଏବେ ସେ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ। ଆଉ ନିର୍ବାଚିତ ପ୍ରତିନିଧିଙ୍କ ସହ କେମିତି ଓ କେଉଁ ଷ୍ଟାଇଲରେ କାମ କରିବେ, ତା ଉପରେ ରହିବ ସମସ୍ତଙ୍କ ନଜର। ଶାନ୍ତ ନବରଙ୍ଗପୁର ଜିଲ୍ଲାରେ ଅନ୍ୟା ନିଜର ପ୍ରଶାସନିକ ଦକ୍ଷତା ଛାଡିଛନ୍ତି ସତ। ହେଲେ ଲୋକପ୍ରିୟତା ସାଉଁଟିପାରିନାହାନ୍ତି। ସେଥିଲାଗି ତ ପୁରା ନବରଙ୍ଗପୁରରେ ଚର୍ଚ୍ଚା, ଆସୁଛନ୍ତି ଜିଲ୍ଲାପାଳ। ଏବେ ଜିଲ୍ଲାପାଳ ଭୂମିକାରେ କେମିତି ପୁରା ଜିଲ୍ଲାକୁ ସମ୍ଭାଳିବେ। ତା ପୁଣି ସହଯୋଗ, ସମନ୍ୱୟ ଓ ସମର୍ଥନରେ ଦେଖିବାର କଥା।
