Blue-EyedTiger :ଦେହରାଦୁନ ଜୁରେ ନୀଳ-ଆଖିଆ ବାଘ ‘ତେଜସ’
ଗ୍ଵାଲିୟର ଆଉ ଦେହରାଦୁନ୍ ଭିତରେ ହେଇଛି ବାଘ ଅଦଳ ବଦଳ | ଟାଇଗର ଏକ୍ସଚେଞ୍ଜ ପ୍ରୋଗ୍ରାମରେ ବଦଳି ହେଲେ ରୟାଲ ବେଙ୍ଗଲ ଟାଇଗର 'ଭୋଳା' ଓ ନୀଳ-ଆଖିଆ ଧଳା ବାଘ 'ତେଜସ' | ମଧ୍ୟପ୍ରଦେଶର ଗ୍ଵାଲିୟର ଜୁଲୋଜିକାଲ୍ ପାର୍କରୁ ପ୍ରାୟ ୫୫୬ କିଲୋମିଟରର ଦୀର୍ଘ ସଡ଼କ ଯାତ୍ରା ଅତିକ୍ରମ କରି ଦେହରାଦୁନ୍ ଜୁ’ରେ ପହଞ୍ଚିଛି ଦେଶର ବିରଳ ନୀଳ-ଆଖିଆ ଧଳା ବାଘ 'ତେଜସ' । ଏହି ବାଘ ବଦଳ ପ୍ରକ୍ରିୟା ବନ୍ୟପ୍ରାଣୀ ସଂରକ୍ଷଣ ଓ ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଥିବା ବେଳେ, ବର୍ତ୍ତମାନ ତେଜସକୁ ୨୦ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଦେହରାଦୁନ୍: ଉତ୍ତରାଖଣ୍ଡର ଦେହରାଦୁନ୍ ଚିଡ଼ିଆଖାନା ସ୍ୱାଗତ କରିଛି ନୂଆ ଅତିଥି | ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ନୂଆ ଆକର୍ଷଣ | ରାଜ୍ୟକୁ ମିଳିଛି ତାର ପ୍ରଥମ ଧଳା ବାଘ । ଠିକ କୌଣସି ନୋଟ ବୁକର କଭର ରେ ଥିବା ଚିତ୍ର ଭଳି , ନିଜର ଚମତ୍କାର ଧଳା ରଙ୍ଗର ଚମଡ଼ା, ଗାଢ଼ କଳା ଗାର ଏବଂ ସବୁଠାରୁ ଆକର୍ଷଣୀୟ ନୀଳ ରଙ୍ଗର ଆଖି ପାଇଁ ବେଶ୍ ଲୋକପ୍ରିୟ ଧଳା ବାଘ ‘ତେଜସ’ | ମଧ୍ୟପ୍ରଦେଶର ଗ୍ଵାଲିୟର ଜୁଲୋଜିକାଲ୍ ପାର୍କରୁ ପ୍ରାୟ ୫୫୬ କିଲୋମିଟରର ଦୀର୍ଘ ସଡ଼କ ଯାତ୍ରା ଅତିକ୍ରମ କରି ତେଜସ ସୁରକ୍ଷିତ ଭାବେ ଦେହରାଦୁନରେ ପହଞ୍ଚିଛି । ଦେହରାଦୁନ୍ ଜୁ ଏବଂ ଗ୍ଵାଲିୟର ଜୁଲୋଜିକାଲ୍ ପାର୍କ ମଧ୍ୟରେ ହୋଇଥିଲା ଏକ ବିଶେଷ ବାଘ ବଦଳ ପ୍ରକ୍ରିୟା | ତେବେ ତେଜସକୁ ଉତ୍ତରାଖଣ୍ଡ ଆଣିବାପାଇଁ ବଦଳରେ ଦେହରାଦୁନ୍ ଜୁ’କୁ ଗ୍ଵାଲିୟର ଚିଡ଼ିଆଖାନାକୁ ଦେବାକୁ ପଡିଛି ଏକ ରୟାଲ ବେଙ୍ଗଲ ଟାଇଗର | ବାଘଟି ହେଉଛି ୫ ବର୍ଷର'ଭୋଳା' | ବନ୍ୟପ୍ରାଣୀ ବିବିଧତା ବୃଦ୍ଧି କରିବା ସହ ପ୍ରାଣୀମାନଙ୍କ ବଂଶବୃଦ୍ଧି ଓ ସଂରକ୍ଷଣ ପ୍ରଚେଷ୍ଟାକୁ ସହଯୋଗ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।
ଦେହରାଦୁନ୍ ଜୁ’ର ପ୍ରଭାରୀ ତଥା ରେଞ୍ଜର ଦୀକ୍ଷା ଭଟ୍ଟଙ୍କ ସୂଚନା ଅନୁଯାୟୀ,ତେଜସକୁ ଏକ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସୁରକ୍ଷିତ ରେସ୍କ୍ୟୁ ଗାଡ଼ିରେ ଅଣାଯାଇଥିଲା । ସୁରକ୍ଷା ପାଇଁ ଗାଡ଼ି ସହିତ ପଶୁ ଚିକିତ୍ସକ ଏବଂ ବନ ବିଭାଗର ଅଧିକାରୀଙ୍କୁ ମିଶାଇ ଏକ ୧୩ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ନଜର ରଖିଥିଲେ ତେଜସ ଉପରେ । ଗ୍ଵାଲିୟରରୁ ଦେହରାଦୁନ୍ ପର୍ଯ୍ୟନ୍ତ ପ୍ରାୟ ୫୫୬ କିଲୋମିଟରର ଏହି ଯାତ୍ରା କରିବାକୁ ପ୍ରାୟ ୧୨ ରୁ ୧୪ ଘଣ୍ଟା ସମୟ ଲାଗିଥିଲା । ଜୁ’ ନିୟମ ଅନୁଯାୟୀ, ତେଜସକୁ ଦେଖିବାପାଇଁ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଏବେ ଅପେକ୍ଷା କରିବାକୁ ପଡିବ କାରଣ ତେଜସକୁ ବର୍ତ୍ତମାନ ପ୍ରାୟ ୨୦ ଦିନ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ଏନକ୍ଲୋଜର ରେ ରଖାଯାଇଛି । ଏହି ସମୟରେ କେବଳ ତାର ସ୍ୱତନ୍ତ୍ର କିପର୍ ଏବଂ ଡାକ୍ତରୀ ଦଳକୁ ହିଁ ତା ପାଖକୁ ଯାଇପାରିବେ | ନୂଆ ପରିବେଶ ସହ ବାଘଟି କିଭଳି ଖାପ ଖୁଆଉଛି ଏବଂ ତାର ସ୍ୱାସ୍ଥ୍ୟ, ଖାଦ୍ୟପେୟ ଓ ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବାବେଳେ ବର୍ତ୍ତମାନ ତେଜସ ନିଜର ନୂଆ ଆବାସସ୍ଥଳୀରେ ବୁଲାବୁଲି କରିବା ସହ ଆଖପାଖର ବାୟୁକୁ ଶୁଙ୍ଘି ପରିବେଶକୁ ବୁଝିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ସାଧାରଣ ପର୍ଯ୍ୟଟକମାନଙ୍କୁ ଏହି ନୀଳ-ଆଖିଆ ସୁନ୍ଦର ବାଘକୁ ଦେଖିବା ପାଇଁ ପ୍ରାୟ ମାସେ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା 'ୱାଇଲ୍ଡଲାଇଫ୍ ୱିକ୍' ଅବସରରେ ଏହି ନୂଆ ଏନକ୍ଲୋଜରର ଉଦ୍ଘାଟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଧଳା ବାଘ କୌଣସି ଅଲଗା ପ୍ରଜାତି ବା ବ୍ରିଡ୍ ନୁହଁନ୍ତି । ଏହା ବାଘମାନଙ୍କ ଶରୀରରେ ଥିବା ଏକ ବିରଳ ଜେନେଟିକାଲ୍ ଗଠନ ଯୋଗୁଁ ହୋଇଥାଏ । ଆଲବିନୋ ପ୍ରାଣୀଙ୍କ ଭଳି ନୁହେଁ, ବରଂ ଧଳା ବାଘଙ୍କ ଶରୀରରେ ପ୍ରାକୃତିକ କଳା ଗାର ସ୍ପଷ୍ଟ ବାରି ହୋଇପଡେ । ଏହା ରୋୟାଲ ବେଙ୍ଗଲ ଟାଇଗରର ଏକ ପ୍ରାକୃତିକ ରଙ୍ଗର ପରିବର୍ତ୍ତନ ମାତ୍ର । ଏହି ବିରଳତା କାରଣରୁ ସାରା ବିଶ୍ୱର ଚିଡ଼ିଆଖାନାରେ ଧଳା ବାଘ ସବୁଠାରୁ ବଡ଼ ଆକର୍ଷଣ କେନ୍ଦ୍ର ପାଲଟିଥାନ୍ତି ।ପୂର୍ବରୁ 'ମାଲସି ଡିୟର ପାର୍କ' ଭାବେ ଜଣାଶୁଣା ଏହି ଦେହରାଦୁନ୍ ଜୁ', ମସୁରୀ ରୋଡ୍ରେ ଶିବାଲିକ ପର୍ବତମାଳାର ପାଦଦେଶରେ ଅବସ୍ଥିତ । ସହର କେନ୍ଦ୍ରସ୍ଥଳରୁ ମାତ୍ର ଅଳ୍ପ ଦୂରରେ ଥିବାରୁ ମସୁରୀ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରଧାନ ଆକର୍ଷଣ ଅଟେ । ଜୁ’ କର୍ତ୍ତୃପକ୍ଷଙ୍କ ଆଶା, ରାଜାଜୀ ନ୍ୟାସନାଲ ପାର୍କ ସହିତ ଦେହରାଦୁନ୍ ଜୁ’ରେ ‘ତେଜସ’ର ଏହି ରାଜକୀୟ ଏଣ୍ଟ୍ରି ରାଜ୍ୟର ବନ୍ୟପ୍ରାଣୀ ପର୍ଯ୍ୟଟନକୁ ବେଶ୍ ସମୃଦ୍ଧ କରିବ ଏବଂ ଏହା ଦେହରାଦୁନ୍ ଜୁ’ର ଷ୍ଟାର୍ ଆଟ୍ରାକ୍ସନ ସାଜିବ ।
