Mahatma Gandhi Photo:ନୋଟରେ ଥିବା ଗାନ୍ଧିଜୀଙ୍କ ଫଟୋ କିଏ ଉଠାଇଥିଲେ ଏବଂ କେମିତି ନୋଟ୍ରେ ସ୍ଥାନ ପାଇଲା
ଆପଣଙ୍କ ପକେଟ୍ରେ ଥିବା ନୋଟ୍ରେ ମହାତ୍ମା ଗାନ୍ଧିଙ୍କ ହସହସ ମୁହଁର ଚିତ୍ର କୌଣସି ହାତଟଣା ସ୍କେଚ୍ ବା କମ୍ପ୍ୟୁଟର ଚିତ୍ର ନୁହେଁ। ଏହା ୧୯୪୬ ମସିହାରେ ଦିଲ୍ଲୀରେ ଉଠାଯାଇଥିବା ଏକ ପ୍ରକୃତ ଫଟୋର ଅଂଶବିଶେଷ, ଯାହାକୁ କିଛି ପରିବର୍ତ୍ତନ କରାଯାଇ ଭାରତୀୟ ନୋଟ୍ରେ ବ୍ୟବହାର କରାଯାଉଛି | ତେବେ ଜାଣନ୍ତୁ ଏହା କିଏ ଉଠାଇଥିଲେ ଏବଂ କେମିତି ନୋଟ୍ରେ ସ୍ଥାନ ପାଇଲା |
ପ୍ରତିଦିନ କୋଟି କୋଟି ଭାରତୀୟ ମହାତ୍ମା ଗାନ୍ଧିଙ୍କ ଚିତ୍ର ଥିବା କରେନ୍ସି ନୋଟ୍ ବ୍ୟବହାର କରନ୍ତି। କିନ୍ତୁ ଆମ ପକେଟ୍ରେ ଥିବା ଏହି ପ୍ରସିଦ୍ଧ ଫଟୋ ପଛର ଇତିହାସ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଅନେକ ଲୋକ ଭାବନ୍ତି ଯେ ଏହା ଏକ ସରକାରୀ ଚିତ୍ର କିମ୍ବା କୌଣସି କଳାକାରଙ୍କ ଦ୍ୱାରା ଅଙ୍କାଯାଇଥିବା ସ୍କେଚ୍, କିନ୍ତୁ ବାସ୍ତବରେ ଏହା ଏକ ପୁରୁଣା ଐତିହାସିକ ଫଟୋର କ୍ରପ୍ କରାଯାଇଥିବା ରୂପ ଅଟେ।ଏହି ମୂଳ ଫଟୋଟି ୧୯୪୬ ମସିହାରେ ଦିଲ୍ଲୀର ଭାଇସରେଗାଲ ହାଉସ (ବର୍ତ୍ତମାନର ରାଷ୍ଟ୍ରପତି ଭବନ) ବାହାରେ ଉଠାଯାଇଥିଲା। ସେହି ସମୟରେ ବ୍ରିଟିଶ ଶାସନଠାରୁ ଭାରତକୁ କ୍ଷମତା ହସ୍ତାନ୍ତର କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକରେ, ଯୋଗଦେବାକୁ ଆସିଥିବା ବ୍ରିଟିଶ କୂଟନୀତିଜ୍ଞ ଲର୍ଡ ଫ୍ରେଡେରିକ ୱିଲିୟମ ପେଥିକ-ଲରେନ୍ସଙ୍କ ସହ ଗାନ୍ଧିଜୀ ଛିଡ଼ା ହୋଇ କଥା ହେଉଥିଲେ। ସେହି ମୁହୂର୍ତ୍ତରେ ଗାନ୍ଧିଜୀଙ୍କ ମୁହଁରେ ଏକ ସ୍ୱାଭାବିକ ହସ ଥିଲା। ସେହି ସମୟରେ ଉଠାଯାଇଥିଲ ଫୋଟୋଟି | ତେବେ,ଏହି ଫଟୋଟିକୁ କିଏ ଉଠାଇଥିଲେ, ତାହାକୁ ନେଇ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଥବାବେଲେ ଅଧିକାଂଶ ଗବେଷକଙ୍କ ମତରେ ବ୍ରିଟିଶ ପ୍ରଶାସନ ପାଇଁ କାମ କରୁଥିବା ଜଣେ ଅଜ୍ଞାତ ପ୍ରେସ୍ ଫଟୋଗ୍ରାଫର ଏହି ଫଟୋଟିକୁ କ୍ୟାମେରାରେ କଏଦ କରିଥିଲେ।
ପରବର୍ତ୍ତୀ ସମୟରେ, ଯେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନୋଟ୍ ଡିଜାଇନ୍ ପାଇଁ ଗାନ୍ଧିଜୀଙ୍କ ଚିତ୍ର ଚୟନ କଲା, ସେତେବେଳେ ସୁରକ୍ଷା ଡିଜାଇନର୍ମାନେ ଏହି ମୂଳ ଫଟୋଟିକୁ କ୍ରପ କରିଥିଲେ। ସେମାନେ ଫ୍ରେମ୍ରୁ ଲର୍ଡ ପେଥିକ-ଲରେନ୍ସଙ୍କୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦେଇ କେବଳ ଗାନ୍ଧିଜୀଙ୍କ ମୁହଁ ଓ କାନ୍ଧର ଅଂଶକୁ ଅଲଗା କରିଥିଲେ। ଏହା ସହିତ ମୂଳ ଫଟୋଟିକୁ ହୋରିଜଣ୍ଟାଲି ଫ୍ଲିପ୍ କରାଯାଇଥିଲା। ୧୯୪୬ର ମୂଳ ଫଟୋରେ ଗାନ୍ଧିଜୀ ନିଜ ଡାହାଣ ପଟକୁ ଚାହିଁ ଲରେନ୍ସଙ୍କ ସହ କଥା ହେଉଥିବା ବେଳେ, ବର୍ତ୍ତମାନର ବ୍ୟାଙ୍କ ନୋଟ୍ରେ ସେ ବାମ ପଟକୁ ଚାହିଁଥିବା ଭଳି ଦେଖାଯାଉଛନ୍ତି। ତେବେ ଆମେ କହିପାରିବା ଯେ ଆମ ନୋଟ୍ରେ ଥିବା ବାପୁଙ୍କର ଏହି ଫୋଟୋଟି ଏକ ଗମ୍ଭୀର ରାଜନୈତିକ ଆଲୋଚନା ମଝିରୁ ଆସିଥିବା ଏକ ସରଳ ମୁହୂର୍ତ୍ତର ପ୍ରତିଫଳନ ଅଟେ।
