ChatGPT :ଭୁଲ ଟ୍ରେନରେ ବିହାର ପଳେଇଥିଲେ- ଚାଟଜିପିଟିରେ ଖୋଜି ଘରକୁ ଫେରିଲେ ବୃଦ୍ଧ!
କେମିତି ଘରେ ପହଞ୍ଚିବେ, ତାକୁ ନେଇ ଦ୍ୱିଧାରେ ପଡ଼ିଯାଇଥିଲେ। ଆଉ ତାଙ୍କୁ ବିଚଳିତ ଓ ଚିନ୍ତାଗ୍ରସ୍ତ ଦେଖି ଜଣେ ଯୁବକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସଂପୃକ୍ତ ଯୁବକ ନୀରଜ ଚାଟ୍ ଜିପିଟିରେ ତାଙ୍କ ଗାଁର ଠିକଣା ଠାବ କରିଥିଲେ।

ଭୁଲ ଟ୍ରେନରେ ବସି ବିହାର ପହଞ୍ଚିଯାଇଥିଲେ ବୃଦ୍ଧ। ପଞ୍ଜାବର ବୃଦ୍ଧ ହରଡ଼ଘଣାରେ ପଡ଼ିଯାଇଥିଲେ। ଆଉ ଶେଷରେ ସାହାରା ସାଜିଲା ଚାଟ୍ ଜିପିଟି। ଚାଟ୍ ଜିପିଟିରେ ନିଜ ଘର ଖୋଜିଲେ ଓ ନିଜ ପରିଜନଙ୍କ ପାଖରେ ପହଞ୍ଚିପାରିଲେ। ଚାଟ୍ ଜିପିଟି ଓ ଏଆଇ ଚାଟବଟର ବ୍ୟବହାର କେବଳ ଦୈନନ୍ଦିନ କାମ କି ଇମେଲ ଲେଖିବାରେ ସାହାଯ୍ୟ କରେନା। ବରଂ ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ପହଞ୍ଚାଇପାରେ। ଏ ଘଟଣା ତାହାର ଜ୍ୱଳନ୍ତ ଉଦାହରଣ। ଲୁଧିଆନାର ଫତେଗଡ଼ ଗୁଜରାନ ଗାଁର ବୟସ୍କ ଚମନଲାଲ ଅମୃତସରରୁ ତୀର୍ଥଯାତ୍ରା ବେଳେ ନିଜ ଗ୍ରୁପରୁ ଅଲଗା ହୋଇ ଭୁଲରେ ବିହାର ଯିବାକୁ ଥିବା ଟ୍ରେନ୍ ରେ ଚଢ଼ିଯାଇଥିଲେ। ଆଉ ଗୟାଜିରେ ପହଞ୍ଚିଯାଇଥିଲେ। କେମିତି ଘରେ ପହଞ୍ଚିବେ, ତାକୁ ନେଇ ଦ୍ୱିଧାରେ ପଡ଼ିଯାଇଥିଲେ। ଆଉ ତାଙ୍କୁ ବିଚଳିତ ଓ ଚିନ୍ତାଗ୍ରସ୍ତ ଦେଖି ଜଣେ ଯୁବକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସଂପୃକ୍ତ ଯୁବକ ନୀରଜ ଚାଟ୍ ଜିପିଟିରେ ତାଙ୍କ ଗାଁର ଠିକଣା ଠାବ କରିଥିଲେ। ସେପ୍ଟେମ୍ୱର ୧୧ରେ ସ୍ୱର୍ଣ୍ଣମନ୍ଦିର ଦର୍ଶନ ଲାଗି ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନାରେ ଅମୃତସର ଯାଇଥିଲେ ଚମନ। ଚମନଙ୍କ ପରିବାରଙ୍କ କହିବା କଥା, ତାଙ୍କ ସ୍ମୃତି ଶକ୍ତିରେ ଦୁର୍ବଳତା ଅଛି। ତାଙ୍କୁ ସବୁ କଥା ମନେ ରୁହେନା। ତେବେ ବିହାରରେ ପହଞ୍ଚିବା ପରେ ନିଜ ଗାଁ ଫତେଗଡ଼ ଗୁଜରାନ ବୋଲି କେବଳ ତାଙ୍କର ମନେ ଥିଲା। ଘରର ପୁରା ଠିକଣା କହିପାରିନଥିଲେ। ନୀରଜ ତାଙ୍କୁ ନିଜ ଘରକୁ ନେଇଥିଲେ। ଖାଇବାକୁ ଦେଇ ତାଙ୍କ ସମ୍ପର୍କୀୟଙ୍କ ନାଁ ଜାଣିବାକୁ ଚାହିଁଥିଲେ। ନୀରଜ କ୍ରମାଗତ ୪ ଦିନ ଧରି ତାଙ୍କୁ ନିଜ ପରିବାର ସହ ରଖିଥିଲେ। ସମାନ୍ତରାଳ ଭାବେ ଚମନ ଲାଲ କହିଥିବା ନାଁ ଆଧାରରେ ଗାଁକୁ ଖୋଜିବାକୁ ଆରମ୍ଭ କରିଥିଲେ। ଏଥିଲାଗି ନୀରଜ ଓପନ ଏଆଇ ଓ ଏଆଇ ଚାଟ୍ବଟ ଚାଟଜିପିଟିର ବ୍ୟବହାର କରିଥିଲେ। ନୀରଜ ଗାଁର ନାଁକୁ ଅଲଗା ଅଲଗା କମ୍ୱିନେସନର ବ୍ୟବହାର କରି ଚାଟ୍ ଜିପିଟି ଓ ଇଣ୍ଟରନେଟରେ ପ୍ରାୟ ୩ ଦିନ ଯାଏ ସର୍ଚ୍ଚ କରିଥିଲେ। ଗାଁର ଠିକଣା ଜଣାପଡ଼ିବା ପରେ ସେ ଚମନଙ୍କୁ ଧରି ସାଙ୍ଗରେ ନେଇ ତାଙ୍କ ପରିବାର ପାଖରେ ପହଞ୍ଚାଇଥିଲେ।
