Robot Rabbits to Kill Pythons:: ଫ୍ଲୋରିଡା ଜଙ୍ଗଲରେ 'ରୋବୋଟ୍ ଠେକୁଆ' ମାଧ୍ୟମରେ ଅଜଗର ଶିକାର
AI କରିବ ଅଜଗର ଶିକାର | ଫ୍ଲୋରିଡାର ଏଭରଗ୍ଲେଡ୍ସରେ ବର୍ମିଜ୍ ପାଇଥନ୍ (ଅଜଗର)ଙ୍କ ବଂଶବୃଦ୍ଧି ନିୟନ୍ତ୍ରଣ ବାହାରେ | ରୋକିବା ପାଇଁ ବନ୍ୟଜନ୍ତୁ ବିଭାଗର ଅଭିନବ ଉପାୟ । ସୌରାଚାଳିତ ରୋବୋଟିକ୍ ଠେକୁଆ ଅଜଗରମାନଙ୍କୁ ଲୁଚି ରହିଥିବା ସ୍ଥାନରୁ ବାହାରକୁ ଆକର୍ଷିତ କରୁଛି ।
ଆମେରିକାର ଫ୍ଲୋରିଡାର ଆଦ୍ରଭୂମି ଜଙ୍ଗଲରେ ତୀବ୍ର ଗତିରେ ବଢୁଥିବା ବର୍ମିଜ୍ ଅଜଗର ଆବାଦୀ ସ୍ଥାନୀୟ ଜୀବଜନ୍ତୁଙ୍କ ପାଇଁ ବଡ଼ ବିପଦ ସାଜିଛି। ପ୍ରାୟ ୧ ଲକ୍ଷରୁ ୩ ଲକ୍ଷ ବର୍ମିଜ୍ ଅଜଗର ରହିଥିବା ଆକଳନ କରାଯାଉଥିବା ବେଳେ, ଜୈବ ବିବିଧତାରେ ସନ୍ତୁଳନ ଆଣିବା ପାଇଁ AI ର ସାହାରା ନେଇଛନ୍ତି ବୈଜ୍ଞାନିକ ମାନେ | ଏହି ଅଜଗରମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସାଉଥ୍ ଫ୍ଲୋରିଡା ୱାଟର ମ୍ୟାନେଜମେଣ୍ଟ ଡିଷ୍ଟ୍ରିକ୍ଟ ଏବଂ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ମିଳିତ ଭାବେ AI-ଚାଳିତ ରୋବୋଟିକ୍ ଠେକୁଆ ପ୍ରସ୍ତୁତ କରିଛନ୍ତି। ଏହି ରୋବୋଟ୍ ଗୁଡ଼ିକ ସାଧାରଣ ଶିକାର ଭଳି ଉତ୍ତାପ ଏବଂ ଗନ୍ଧ ସୃଷ୍ଟି କରନ୍ତି, ଯାହା ଅଜଗରଙ୍କୁ ନିକଟକୁ ଆସିବାକୁ ଆକର୍ଷିତ କରିଥାଏ।ରୋବୋଟ୍ ନିକଟକୁ ଅଜଗର ଆସିବା ମାତ୍ରେ ସେଥିରେ ଥିବା AI କ୍ୟାମେରା ତୁରନ୍ତ ଆଖପାଖ ର ନିରୀକ୍ଷଣ କରି ଅଧିକାରୀମାନଙ୍କୁ ସ୍ଥାନ ସହ ରିଅଲ ଟାଇମ ଆଲର୍ଟ ପଠାଇଥାଏ। ସୂଚନା ପାଇବା ପରେ ତାଲିମପ୍ରାପ୍ତ ସ୍ପେଶାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଧରିଥାନ୍ତି। ୧୯୭୦ ଦଶକରୁ ବ୍ୟାପିଥିବା ଏହି ଅଜଗର ଏବେ 18 ଫୁଟ ଯାଏ ଲମ୍ବା ହେବାର ଏବଂ 70 ତା ପର୍ଯ୍ୟନ୍ତ ଅଣ୍ଡା ଦେବାର କ୍ଷମତା ରଖିଥାଏ | 2012 ଏକ ଆମେରିକୀ ଭୂବିଜ୍ଞାନ ସର୍ବେକ୍ଷଣ ରିପୋର୍ଟ ଦର୍ଶାଏ ଯେ ଅଜଗରର ଅତ୍ୟଧିକ ଶିକାର ଯୋଗୁଁ ଏଭରଗ୍ଲେଡ୍ସରେ ରକୋନ୍ (Raccoon) ଏବଂ ଓପୋସମ୍ (Opossum) ଭଳି ପ୍ରାଣୀଙ୍କ ସଂଖ୍ୟା ୯୯% ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ଅତ୍ୟାଧୁନିକ ଯାନ୍ତ୍ରିକ ଅସ୍ତ୍ର ଛଡା ସ୍ଥାନୀୟ ସରକାର ମଣିଷ ମାଧ୍ୟମରେ ମଧ୍ୟ ଅଜଗରର ଶିକାର କରୁଛି | ୨୦୨୬ରେ 'ଫ୍ଲୋରିଡା ପାଇଥନ୍ ଚ୍ୟାଲେଞ୍ଜରେ' 30ଟି ଜିଲ୍ଲା ଓ ବିଦେଶୀରୁ ଆସିଥିବା ୯୦୭ ଜଣ ଶିକାରୀ ପ୍ରତିଯୋଗୀ ଭାଗ ନେଇ ୨୮୦ଟି ଅଜଗର ଧରିଥିବା ବେଳେ କେବଳ ଟମ୍ ରାହିଲ 96 ଟି ଅଜଗର ଧରି 10,000 ଡଲାର ପୁରସ୍କାର ପାଇଥିଲେ | ୨୦୧୭ରୁ ଏପର୍ଯ୍ୟନ୍ତ ୧୯,୦୦୦ରୁ ଅଧିକ ସାପଙ୍କୁ ଉଦ୍ଧାର କରାଯାଇସାରିଛି। ଏବେ ଏହି AI 'ରୋବୋଟ୍ ଠେକୁଆ' ମାଧ୍ୟମରେ ଅଭିଯାନ କୁ ଦ୍ରୁତଗତି ମିଳିବାର ଅନୁମାନ କରାଯାଉଛି |
