Cm Nuakhai Greetings: ‘ସମ୍ କୁ ମୋର ନୂଆଁଖାଇ ଜୁହାର୍’- ମୁଖ୍ୟମନ୍ତ୍ରୀ
ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ମାଟି, ସଂସ୍କୃତି ଓ ସାମାଜିକ ଏକତାର ପର୍ବ ନୂଆଁଖାଇ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ।
ଭୁବନେଶ୍ୱର: ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶା, ଖୁସି, ସୁଖ ଓ ସମୃଦ୍ଧି ଆଣୁ ବୋଲି ସେ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ସମ୍କୁ ମୋର ନୂଆଁଖାଇ ଜୁହାର୍।” ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମ ମାଟି, ସଂସ୍କୃତି, ଚାଲିଚଳଣ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଆନନ୍ଦମୟ ପର୍ବରେ ମନର ସମସ୍ତ ଭେଦଭାବ, ତିକ୍ତତା ଓ ଅହଂକାରକୁ ପଛରେ ପକାଇ ବଡ଼ ଗୁରୁଜନଙ୍କ ପାଦତଳେ ‘ଜୁହାର-ମୁଣ୍ଡିଆ’ ଜଣାଇବା ସହ ସାନମାନଙ୍କୁ ଭଲପାଇବା ଓ ଆଶୀର୍ବାଦ ଦେବାର ପରମ୍ପରା ରହିଛି। ଏହି ସୁନ୍ଦର ପରମ୍ପରା ପରିବାର, ସମାଜ ଓ ଭାଇଚାରାର ବନ୍ଧନକୁ ଆହୁରି ମଜବୁତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ। ଏଥିପାଇଁ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ଶ୍ରମିକ, କିଶାନ ଓ ଜୱାନଙ୍କ ସମେତ ସମସ୍ତଙ୍କୁ ଏହି ଶୁଭ ଦିନରେ ସେ ଆହ୍ୱାନ ଜଣାଇଛନ୍ତି। ନୂଆଁଖାଇ ସମସ୍ତଙ୍କ ଜୀବନରେ ନୂଆ ଆଶା ଆଣିଦେଉ ଏବଂ ମା’ ସମଲେଇଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ହସଖୁସି, ସୁଖଶାନ୍ତି, ଉନ୍ନତି, ପ୍ରଗତି ଓ ସଫଳତାରେ ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ଶେଷରେ ରାଜ୍ୟବାସୀଙ୍କୁ ପୁଣିଥରେ ନୂଆଁଖାଇ ଜୁହାର ଜଣାଇବା ସହ “ଜୟ ଜଗନ୍ନାଥ, ଜୟ ମା’ ସମଲେଇ” ବୋଲି ଅଭିବାଦନ ଜଣାଇଛନ୍ତି।
