Titlagarh Nuakhai Festival: ଟିଟିଲାଗଡ଼ରେ ନୂଆଖାଇ ଉତ୍ସବ: ମା’ ଘଣ୍ଟାଶୁଣିଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼
ନୂଆ ବସ୍ତ୍ର, ପିଠାପଣା ଓ ନୂଆ ଉତ୍ସାହରେ ଚଳଚଞ୍ଚଳ ଟିଟିଲାଗଡ଼। ମା’ ଘଣ୍ଟାଶୁଣିଙ୍କ ପୀଠରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ଲାଗି ହେବ ନୂଆ ଧାନ, ନୂଆ ଚୁଡ଼ା ଓ ଅରୁଆ ଚାଉଳ।
ଟିଟିଲାଗଡ଼: ଆଜି ନୂଆଖାଇ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ। ନୂଆଖାଇକୁ ନେଇ ଆଜି ଘରେ ଘରେ ଉତ୍ସବର ମାହୋଲ। ପିଠାପଣାର ମହକ ସାଙ୍ଗକୁ ନୂଆ ବସ୍ତ୍ର, ନୂଆ ପୋଷାକ ଓ ନୂଆ ଉତ୍ସାହରେ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହର। ନୂଆଖାଇ ପାଇଁ ସହରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ପରିବାର ସହ ନୂଆଖାଇ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଥିବା ବେଳେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ପୀଠରେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ପରମ୍ପରା ଅନୁଯାୟୀ, ଭାଦ୍ରବ ମାସ ପଞ୍ଚମୀ ତିଥିରେ ମା’ ଘଣ୍ଟାଶୁଣିଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ନୂଆଖାଇ ପାଇଁ ଲାଗି ହୁଏ ନୂଆ ଧାନ, ନୂଆ ଚୁଡ଼ା, କୁରେ ପତ୍ର, ନୂଆ ପୂଜା ବସ୍ତ୍ର ସହ ଧୂପ, ଫୁଲ ଓ ନଡ଼ିଆ।
ଏଥିସହ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ ମଧ୍ୟ ମା’ଙ୍କ ନିକଟରେ ଲାଗି କରାଯିବ। ମା’ଙ୍କ ନିକଟରେ ପୂଜା ଓ ଲାଗି ସମ୍ପନ୍ନ ହେବା ପରେ ଘରେ ଘରେ ଲୋକେ ପ୍ରସାଦ ନେଇ ନିଜ ନିଜ ଆରାଧ୍ୟ ଦେବୀଦେବତାଙ୍କୁ ଅର୍ପଣ କରିବେ। ଏହାପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇବା ସହ ପାଳନ କରିବେ ନୂଆଖାଇ ପର୍ବ। ନୂଆଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, ପରମ୍ପରା, ସଂସ୍କୃତି, ଭାଇଚାରା ଓ ସାମାଜିକ ଏକତାର ଏକ ଅନନ୍ୟ ପ୍ରତୀକ।
