ECI Appointnment Row:ନିର୍ବାଚନ କମିଶନରେ ନିଯୁକ୍ତି ପ୍ରକ୍ରିୟା- ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ଆବେଦନକାରୀ ସୁରୀ ପାୟଲା (Suri Payala) ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ଅଭିଯୋଗ ହୋଇଛି ଯେ, ୨୦୨୩ରେ ପ୍ରଣିତ ନିଯୁକ୍ତି ଆଇନ ଅନୁଯାୟୀ ଯେଉଁ ପ୍ରକ୍ରିୟା ପାଳନ ହେବା କଥା, ତାହା ପାଳନ କରାଯାଇନଥିଲା।

ଭାରତର ନିର୍ବାଚନ ଆୟୋଗର ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣି ଥରେ ଆଇନଗତ ବିବାଦ ସାମ୍ନାକୁ ଆସିଛି। ଆବେଦନକାରୀ ସୁରୀ ପାୟଲା (Suri Payala) ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ଅଭିଯୋଗ ହୋଇଛି ଯେ, ୨୦୨୩ରେ ପ୍ରଣିତ ନିଯୁକ୍ତି ଆଇନ ଅନୁଯାୟୀ ଯେଉଁ ପ୍ରକ୍ରିୟା ପାଳନ ହେବା କଥା, ତାହା ପାଳନ କରାଯାଇନଥିଲା। ଆବେଦନରେ ୨୦୨୪ ଓ ୨୦୨୫ର ନିଯୁକ୍ତି ସମ୍ପର୍କିତ ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଛି।
ମୁଖ୍ୟ ଅଭିଯୋଗ କ’ଣ?
ପ୍ରଥମ ଅଭିଯୋଗ: ଦୁଇଟି ପଦ ପାଇଁ ମାତ୍ର ୬ ଜଣଙ୍କ ନାମ
୨୦୨୪ ମାର୍ଚ୍ଚରେ ଦୁଇଟି ନିର୍ବାଚନ ଆୟୁକ୍ତ ପଦ ଖାଲି ହୋଇଥିବା ସମୟରେ ସର୍ଚ୍ଚ କମିଟି ୬ ଜଣଙ୍କ ନାମ ସୁପାରିସ କରିଥିଲା। ସୁରୀ ପାୟଲାଙ୍କ ଆବେଦନ ଅନୁସାରେ, ୨୦୨୩ ଆଇନର ଧାରା ୬ ଅନୁଯାୟୀ ପ୍ରତ୍ୟେକ ଖାଲି ପଦ ପାଇଁ ୫ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ରହିବା ଦରକାର। ତେଣୁ ଦୁଇଟି ପଦ ପାଇଁ ୧୦ ଜଣଙ୍କ ନାମ ରହିବା ଉଚିତ୍ ଥିଲା ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଆବେଦନରେ ସୁପ୍ରିମକୋର୍ଟଙ୍କ ୨୨ ମାର୍ଚ୍ଚ ୨୦୨୪ର ଏକ ଆଦେଶର ଉଲ୍ଲେଖ କରାଯାଇଛି। ସେହି ଆଦେଶରେ ମଧ୍ୟ ଦୁଇଟି ଖାଲି ପଦ ପାଇଁ ୧୦ ଜଣଙ୍କ ନାମ ଚୟନ କରାଯିବା ଉଚିତ୍ ବୋଲି ଅଦାଲତ ସୂଚିତ କରିଥିବା ଆବେଦନକାରୀ କହିଛନ୍ତି।
ଦ୍ୱିତୀୟ ଅଭିଯୋଗ: ଯୋଗ୍ୟତା ଓ ନିର୍ବାଚନ ପରିଚାଳନାର ଅଭିଜ୍ଞତା
୨୦୨୩ ଆଇନର ଧାରା ୫ ଅନୁଯାୟୀ, ନିର୍ବାଚନ ଆୟୁକ୍ତ ପଦ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କର ଭାରତ ସରକାରଙ୍କ ସଚିବ ପଦ ସହ ସମକକ୍ଷ ପଦରେ କାର୍ଯ୍ୟ କରିବାର ଅଭିଜ୍ଞତା, ସଚ୍ଚୋଟତା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କିତ ଜ୍ଞାନ ଓ ଅଭିଜ୍ଞତା ରହିବା ଆବଶ୍ୟକ। ଆବେଦନକାରୀଙ୍କ ଦାବି ହେଉଛି, ଜ୍ଞାନେଶ କୁମାର, ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ସାର୍ବଜନୀନ ସେବା ରେକର୍ଡରେ ନିର୍ବାଚନ ପରିଚାଳନା ସମ୍ପର୍କିତ ଅଭିଜ୍ଞତା ସ୍ପଷ୍ଟ ଭାବେ ଦର୍ଶାଯାଇନାହିଁ। ତେବେ ଆବେଦନରେ ଏହା ମଧ୍ୟ ସ୍ୱୀକାର କରାଯାଇଛି ଯେ, ସାର୍ବଜନୀନ ରେକର୍ଡରେ ନଥିବା ଅନ୍ୟ କୌଣସି ନିର୍ବାଚନ ସମ୍ପର୍କିତ ଦାୟିତ୍ୱର ତଥ୍ୟ ସରକାର କିମ୍ୱା ନିର୍ବାଚନ ଆୟୋଗଙ୍କ ପାଖରେ ଥାଇପାରେ। ଆବେଦନରେ ଦାବି କରାଯାଇଛି ଯେ, ମାର୍ଚ୍ଚ ୧୩ରେ ସର୍ଚ୍ଚ କମଟିର ବିଜ୍ଞପ୍ତିର ଅବଧି ଶେଷ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ୨ଶହରୁ ଅଧିକ ଲୋକଙ୍କ ତାଲିକା ପଠାଇ ଦିଆଯାଇଥିଲା। ଏହାର ପର ଦିନ ସର୍ଚ୍ଚ କମିଟି ୬ଜଣଙ୍କ ନାଁ ସୁପାରିଶ କରିଥିଲା। ଆଉ ସେହିଦିନ ହିଁ ଚୟନ କମିଟି ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ନାଁ ଉପରେ ମୋହର ଲଗାଇଦେଇଥିଲେ।
ତୃତୀୟ ଅଭିଯୋଗ: ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା
ଆବେଦନକାରୀ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ:
ଚୟନ କମିଟି ନିଯୁକ୍ତି ପୂର୍ବରୁ ନିଜର ଚୟନ ପଦ୍ଧତି ନିର୍ଦ୍ଧାରଣ କରିଥିଲା କି?
ପ୍ରାର୍ଥୀଙ୍କ ନାମ ଚୟନ କରିବାର ମାନଦଣ୍ଡ ସ୍ପଷ୍ଟ ଥିଲା କି?
ଜ୍ଞାନେଶ କୁମାରଙ୍କୁ CEC ପଦକୁ ପଦୋନ୍ନତି ଦେବା ସମୟରେ ପୁନର୍ବାର ଆବଶ୍ୟକ ଚୟନ ପ୍ରକ୍ରିୟା ପାଳନ କରାଯାଇଥିଲା କି?
ଆବେଦନରେ ୨୦୨୪ ଓ ୨୦୨୫ର ସର୍ଚ୍ଚ କମିଟି ଏବଂ ଚୟନ କମିଟିର ମୂଳ ରେକର୍ଡ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ସୁପ୍ରିମକୋର୍ଟଙ୍କୁ କ’ଣ ଅନୁରୋଧ କରାଯାଇଛି?
ସୁରୀ ପାୟଲାଙ୍କ ଆବେଦନରେ ମୁଖ୍ୟତଃ ନିମ୍ନଲିଖିତ ପ୍ରତିକାର ମଗାଯାଇଛି:
1. Quo warranto ରିଟ୍: ତିନି ଅଧିକାରୀ କେଉଁ ଆଇନଗତ ଅଧିକାର ବଳରେ ନିଜ ପଦରେ ରହିଛନ୍ତି, ତାହା ଦର୍ଶାଇବାକୁ ନିର୍ଦ୍ଦେଶ।
2. ନିଯୁକ୍ତିର ବୈଧତା ଯାଞ୍ଚ: ଆଇନ ଉଲ୍ଲଂଘନ ହୋଇଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ପଦଗୁଡ଼ିକୁ ଖାଲି ଘୋଷଣା କରିବା।
3. ମୂଳ ରେକର୍ଡ ସଂରକ୍ଷଣ: ନିଯୁକ୍ତି ସମ୍ପର୍କିତ ସମସ୍ତ ମୂଳ ଦସ୍ତାବିଜ ରଖିବା ଏବଂ ଅଦାଲତରେ ଦାଖଲ କରିବା।
ଭବିଷ୍ୟତ ନିଯୁକ୍ତିରେ ସୁରକ୍ଷା ବ୍ୟବସ୍ଥା: ପ୍ରତ୍ୟେକ ପଦ ପାଇଁ ୫ ଜଣଙ୍କ ପ୍ୟାନେଲ୍, ଚୟନ ମାନଦଣ୍ଡର ପୂର୍ବ ପ୍ରକାଶ ଏବଂ ଚୟନର କାରଣ ରେକର୍ଡ କରିବା।
ଏହି ମାମଲାରେ ଦୁଇଟି ମୁଖ୍ୟ ପ୍ରଶ୍ନ ଉଠିଛି:
ଆଇନର ପାଳନ: ନିର୍ବାଚନ ଆୟୋଗର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ସମୟରେ ଆଇନର ପ୍ରତ୍ୟେକ ନିୟମ ପାଳନ ହୋଇଥିଲା କି ନାହିଁ?
ନିର୍ବାଚନ ଆୟୋଗର ସ୍ୱାଧୀନତା: ନିଯୁକ୍ତି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ସମସ୍ତଙ୍କ ନିକଟରେ ବିଶ୍ୱସନୀୟ?
ଏହି ମାମଲାର ଶୁଣାଣି ୨୭ ଅକ୍ଟୋବର ୨୦୨୬ରେ ହେବ ବୋଲି ସୂଚନା ରହିଛି। ୨୦୨୩ର ନୂଆ ଆଇନକୁ ନେଇ ପୂର୍ବରୁ ମଧ୍ୟ ବିବାଦ ରହିଛି
ଏହି ଆବେଦନ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ବଡ଼ ଆଇନଗତ ବିବାଦର ଅଂଶ ବୋଲି କୁହାଯାଉଛି। କାରଣ ୨୦୨୩ର ଆଇନ ଅନୁସାରେ, CEC ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀ ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଏହି ବ୍ୟବସ୍ଥାରେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟରେ ଉଲ୍ଲେଖିତ ଭାରତର ମୁଖ୍ୟ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ରଖାଯାଇଛି। ୨୩ ସେପ୍ଟେମ୍ବର ୨୦୨୬ରେ ଏହି ଆଇନକୁ ଚ୍ୟାଲେଞ୍ଜ କରୁଥିବା ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଥିଲା। ଏହି ଆଇନର ସାମ୍ୱିଧାନିକ ବୈଧତା ଯାଞ୍ଚ ପାଇଁ ବୃହତ୍ତର ଖଣ୍ଡପୀଠ ଗଠନ କରାଯିବ କି ନାହିଁ, ସେ ବିଷୟରେ ଉଭୟ ବିଚାରପତି ଏକମତ ହୋଇପାରିନଥିଲେ। ମାମଲାଟି ପରବର୍ତ୍ତୀ ନିଷ୍ପତ୍ତି ପାଇଁ CJIଙ୍କ ନିକଟକୁ ପଠାଯାଇଥିଲା।
