CJP Protest:କାଲି ଜନ୍ତରମନ୍ତରରେ ସିଜେପିର ଆନ୍ଦୋଳନ- ଦିଲ୍ଲୀରେ ହାଇଆଲର୍ଟ
ସମ୍ୱିଧାନ ରକ୍ଷା ସକାଶେ ଏ ଲଢ଼େଇ। ଯୁବ ଓ ଜେନ-ଜିଙ୍କ ଆନ୍ଦୋଳନକୁ ମଝଭୁତ କରିବାକୁ ପଡ଼ିବ। ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ସାମିଲ ହେବେ ଟିକାୟତ। ସିଜେପି କହିଥିଲା, ବିଜେପି ସରକାର ବୋଧହୁଏ ଗୃହଯୁଦ୍ଧ କରିବାକୁ ଚାହୁଁଛନ୍ତି।

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କାଲି ଦିଲ୍ଲୀର ଜନ୍ତରମନ୍ତରରେ ସିଜେପିର ବଡ଼ ଆନ୍ଦୋଳନ। ଏହି ବଡ଼ ଆନ୍ଦୋଳନକୁ ଅନେକ ଦଳ ଓ ସଂଗଠନ ସମର୍ଥନ ଦେଇଥିଲା ବେଳେ କୃଷକ ସଂଗଠନ ବି ସମର୍ଥନ ଦେବାକୁ ଘୋଷଣା କରିଛି। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ସିଜେପି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି। ସଂଗଠନରେ ଜଡ଼ିତ ଯୁବଗୋଷ୍ଠୀ ଯିଏ ଚାହିଁବେ ଦିଲ୍ଲୀ ଯାଇପାରିବେ ନଚେତ ନିଜ ନିଜ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରିବେ। ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବେ। ସମ୍ୱିଧାନ ରକ୍ଷା ସକାଶେ ଏ ଲଢ଼େଇ। ଯୁବ ଓ ଜେନ-ଜିଙ୍କ ଆନ୍ଦୋଳନକୁ ମଝଭୁତ କରିବାକୁ ପଡ଼ିବ। ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ସାମିଲ ହେବେ ଟିକାୟତ। ସିଜେପି କହିଥିଲା, ବିଜେପି ସରକାର ବୋଧହୁଏ ଗୃହଯୁଦ୍ଧ କରିବାକୁ ଚାହୁଁଛନ୍ତି। ସିଜେପି ମୁଖପାତ୍ର ସୌରଭ ଦାସ ଆରୋପ ଲଦିଥିଲେ ଯେ, ବିଜେପି ନିଜ କର୍ମକର୍ତ୍ତାଙ୍କୁ ଦିଲ୍ଲୀ ପହଞ୍ଚି ପଥରମାଡ଼ ସହ ଲାଠି ଚଳାଇବାକୁ ଉସୁକାଉଛି। ସରକାର ସୁଧୁରିଯାଆନ୍ତୁ। ଦେଶର ଯୁବ ପୀଢ଼ି ସରକାରଙ୍କୁ ଜବାବଦେହୀ କରିବାକୁ ଚାହୁଁଛି। ଅତୀତ ଭୁଲର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଛନ୍ତି। ପେପର ଲିକ୍ ମାମଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ୩୬ ଦିନ ଧାରଣା ଦେଇଥିଲା ସିଜେପି। ସିଜେପିର ଆନ୍ଦୋଳନକୁ ଦେଖି ଜନ୍ତରମନ୍ତର ଆଖପାଖରେ ବଡ଼ ସଂଖ୍ୟାରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆନ୍ଦୋଳନକୁ ଅନୁମତି ଦେଇନି ପୁଲିସ। ଏହା ସହ ଧାରା ୧୬୩ ଲାଗୁ ହୋଇଛି। ଆଜି ସିଜେପି ବିରୁଦ୍ଧରେ ଲାଲ ହିଟ୍ ଜନତା ପାର୍ଟି ବ୍ୟାନରରେ ପ୍ରାୟ ୨ଶହ ଲୋକ ଏକାଠି ହୋଇ ଦିଲ୍ଲୀ ଜନପଥରେ ଆନ୍ଦୋଳନ କରିଛନ୍ତି। ଜନ୍ତରମନ୍ତରରେ ପୂର୍ବରୁ ଆନ୍ଦୋଳନ ବେଳେ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ, ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗର ନିନ୍ଦା କରିଛି ଲାଲ ହିଟ୍ ଜନତା ପାର୍ଟି। ଲାଲ ହିଟ୍ ଜନତା ପାର୍ଟିର ନାଁ ଏକ କୀଟ ନିୟନ୍ତ୍ରଣର ଲୋକପ୍ରିୟ ବ୍ରାଣ୍ଡ ସହ ମେଳ ଖାଉଛି। ଆଉ ଏହାକୁ ସିଜେପିକୁ ଜବାବ ଦେବା ଲାଗି ବ୍ୟଙ୍ଗାତ୍ମକ ଅନ୍ଦାଜରେ ହୋଇଥିବା ସଂଗଠନ ବୋଲି କୁହାଯାଉଛି। କାଲି ସିଜେପି ଆନ୍ଦୋଳନ ଲାଗି ଟ୍ରାଫିକ ଜାମ ହେବ। ଏଥିଲାଗି ରେଲଓ୍ୱେ ବଡ଼ ନିଷ୍ପତ୍ତି ନେଇଛି। ଆଜିଠୁ ଦ୍ୱିପ୍ରହର ୨ଟା ପରେ ସମସ୍ତ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ରଦ୍ଦ ହେବ। ଯାହାକୁ କାଲି ଭୋର ୪ଟାରୁ ଦ୍ୱିପ୍ରହର ୨ଟା ଭିତରେ ନୂଆଦିଲ୍ଲୀ ବା ହଜରତ ନିଜାମୁଦ୍ଦିନ ଷ୍ଟେସନ ପହଞ୍ଚିବାର ଥିବ। ଅର୍ଥାତ ଦିଲ୍ଲୀ ଯିବାକୁ ଥିବା ମେଲ୍- ଏକ୍ସପ୍ରେସ ଟ୍ରେନ ରଦ୍ଦ ହେବ। ଅକ୍ଟୋବର ୧୦ ଭୋର ୪ଟାରୁ ଦ୍ୱିପ୍ରହର ୨ଟା ଯାଏ ଟ୍ରେନ ଚଳାଚଳରେ ଲାଗିବ ରୋକ୍। ଦିଲ୍ଲୀ ପୁଲିସର ଗୁଇନ୍ଦା ସୂଚନା ଅନୁସାରେ, ପ୍ରାୟ ୫୦ହଜାର ଲୋକ ସମାଗମର ସମ୍ଭାବନା ଅଛି। ସହରର ପୁଲିସକୁ ସହାୟତା ଲାଗି ୨୩ହଜାର କେନ୍ଦ୍ରୀୟ ବଳକୁ ଡକାଯାଇଛି। ଅକ୍ଟୋବର ୮ରୁ ୧୨ ତାରିଖ ଯାଏ ଏହି ୨୨୧ କମ୍ପାନୀ ପୁଲିସ ଫୋର୍ସ ମୁତୟନ ରହିବେ। ୫ଟି ମହିଳା ଅର୍ଦ୍ଧସୈନିକ କମ୍ପାନୀକୁ ମୁତୟନ କରାଯିବ। ଆଜି ଓ କାଲି ଦୁଇ ଦିନ ଧରି ମଦ ଦୋକାନ ବନ୍ଦ। ମଧ୍ୟ ଦିଲ୍ଲୀରେ ଥିବା ହୋଟେଲରେ ରୁମ ବୁକିଂକୁ ସୀମିତ କରିବାକୁ ନିର୍ଦେଶ ଦିଆଯାଇଛି। ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ସିଆରପିଏଫର କମ୍ପାନୀକୁ ଡକାଯାଇଛି।
