Cyclone 'Arnab' Threat:ବାତ୍ୟା 'ଅର୍ଣ୍ଣବ' କୁ ମୁକାବିଲା-ସଜାଗ ରହିଛି ଅଗ୍ନିଶମ ବିଭାଗ
"ସବୁ ବର୍ଷତ ଏଇ ସମୟରେ ବାତ୍ୟା ଆସେ,ଆମେ ମୁକାବିଲା କରି ଆସିଛୁ,କରୁଛୁ ଆଉ ଆଗକୁ କରିବୁ ମଧ୍ୟ" କହିଛନ୍ତି, ଅତିରିକ୍ତ ଫାୟାର ଅଫିସର ଶୁଶାନ୍ତ ସେଠି | ବାତ୍ୟା 'ଅର୍ଣ୍ଣବ' ତାଣ୍ଡବ ପୂର୍ବରୁ ଅଗ୍ନିଶମ ବିଭାଗର ମାଇକ୍ରୋ ଲେବଲ ପ୍ଲାନିଂ |
ମାଲକାନଗିରି : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସାରା ରାଜ୍ୟରେ ଆଶଙ୍କା ବଢୁଥିବାବେଳେ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ସେବାର ସମ୍ପୂର୍ଣ୍ଣ ଆଲର୍ଟ ମୋଡ। ବିଶେଷକରି ମାଲକାନଗିରି ଜିଲ୍ଲାରେ ବନ୍ୟା ଓ ବାତ୍ୟା ଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋ ରେ ବ୍ୟାପକ ପ୍ରସ୍ତୁତି । ମାଲକାନଗିରି ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ୮ଟି ଅଗ୍ନିଶମ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ 24 ଘଣ୍ଟା ହାଇ ଆଲର୍ଟରେ ରଖାଯିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ରେସ୍କ୍ୟୁ ଟିମ୍ ନିୟୋଜିତ କରାଯାଇଛି।
ଅଗ୍ନିଶମ ବିଭାଗ ପରିସ୍ଥିତି ର ସାମ୍ନାକରିବାକୁ ମାଇକ୍ରୋ ଲେବଲ ପ୍ଲାନିଂ କରୁଥିବାବେଳେ, ମାଲକାନଗିରିର କାଲିମେଳା, ପୋଟରୁ, ମୋଟୁ ଓ ପାଙ୍ଗାମା ଭଳି ଜଳବନ୍ଦୀ ସମ୍ଭାବନା ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ପାଖରେ ରବର ବୋଟ୍, ଲାଇଫ୍ ଜାକେଟ୍, ଲାଇଫ୍ ବୟ, ଆସ୍କା ଲାଇଟ୍, ଟେଲିସ୍କୋପିକ୍ ଲାଇଟ୍, ପାୱାର ସ’ ମେସିନ୍ ଏବଂ ହାଇଡ୍ରୋଲିକ୍ ପାୱାର ପ୍ୟାକ୍ ଭଳି ଆଧୁନିକ ଯନ୍ତ୍ରାଂଶ ମହଜୁଦ ରହିଛି। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ମଧ୍ୟ ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି।
