ସୁଟକେସରେ ଶବ : ୨୪ଦିନ ପରେ ମଣିପୁରରୁ ଦମ୍ପତ୍ତି ଗିରଫ- ଓଡ଼ିଶା ଲିଂକ୍
ମାଣିକ ଉଦ୍ଦିନର ଘର ଆସାମର କଛାର ଜିଲ୍ଲାରେ। ତା ପତ୍ନୀ ଭଗବତୀଙ୍କ ଘର ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ। ଦୁହେଁ ମହିଳାଙ୍କୁ ହତ୍ୟା କରି ଠିକଣା ଲଗାଇବାକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଟ୍ରେନରେ ରଖିଦେଇ ଛୁ ମାରିଥିଲେ।

ଟ୍ରଲି ବ୍ୟାଗରେ ଶବ। ଅଭିଯୁକ୍ତ ଦମ୍ପତ୍ତି ମଣିପୁରରେ ଗିରଫ। ଶବକୁ ନାଲି ସୁଟକେସରେ ଭର୍ତ୍ତି କରି ଟ୍ରେନରେ ରଖି ଫେରାର୍ ହୋଇଯାଇଥିଲେ ଦମ୍ପତ୍ତି। ତାମିଲନାଡ଼ୁ ଏକ୍ସପ୍ରେସ ଆଗ୍ରା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର ଅଣସଂରକ୍ଷିତ ବଗିରୁ ଏକ ଟ୍ରଲି ବ୍ୟାଗ୍ ଉଦ୍ଧାର କରାଯାଇଥିଲା। ବ୍ୟାଗରୁ ଦୁର୍ଗନ୍ଧ ଆସିବା ପରେ ଯାତ୍ରୀ ଆରପିଏଫକୁ ସୂଚନା ଦେଇଥିଲେ। ଆଉ ବ୍ୟାଗ ଖୋଲିବା ପରେ ତାହା ଭିତରେ ଥିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର। ଚେନ୍ନାଇ ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ୨୪ ଦିନ ପରେ ଦମ୍ପତ୍ତିଙ୍କୁ ମଣିପୁରରୁ ଗିରଫ କରିଛି। ଅଗଷ୍ଟ ୨୯ରେ ମଣିପୁରର ଜିରିବାମ ଜିଲ୍ଲାର କାସିମପୁରରୁ ୨୨ ବର୍ଷୀୟ ମାଣିକ ଉଦ୍ଦିନ ଲସ୍କର ଓ ତାଙ୍କର ୨୧ ବର୍ଷୀୟା ପତ୍ନୀ ଭଗବତୀ ମାଝୀ ଓରଫ ଆୟେଶା ବେଗମକୁ ଗିରଫ କରିଛି। ମଣିପୁର ଓ ତାମିଲନାଡ଼ୁର ମିଳିତ ପୁଲିସ ଟିମ୍ ଏମାନଙ୍କୁ ଧରିବାରେ ସଫଳ ହୋଇଛି। ତଦନ୍ତରୁ ଜଣାପଡ଼ିଛି, ମାଣିକ ଉଦ୍ଦିନର ଘର ଆସାମର କଛାର ଜିଲ୍ଲାରେ। ତା ପତ୍ନୀ ଭଗବତୀଙ୍କ ଘର ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ। ଦୁହେଁ ମହିଳାଙ୍କୁ ହତ୍ୟା କରି ଠିକଣା ଲଗାଇବାକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଟ୍ରେନରେ ରଖିଦେଇ ଛୁ ମାରିଥିଲେ। ରବିବାର ଗିରଫ ଦମ୍ପତ୍ତିଙ୍କୁ ମଣିପୁରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଗୁଡୁଓ୍ୱାଞ୍ଚେରୀ ପୁଲିସ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ତାମିଲନାଡ଼ୁର ତାମ୍ୱରମରେ ପହଞ୍ଚିଛି। ହତ୍ୟା ପଛର ଅସଲ କାରଣକୁ ନେଇ ଜେରା ଚାଲିଛି। ଏ ମାମଲା ଅଗଷ୍ଟ ୫ ତାରିଖର। ମୃତ ମହିଳାଙ୍କ ନାଁ ହୟାତୁନ ନିଶା। ବୟସ ୩୮। ତାଙ୍କ ଘର ବି ଓଡ଼ିଶାରେ। ସେ ଗୁଡୁଓ୍ୱାଞ୍ଚେରିରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।
