Forest Conservation:ଛାମୁଣ୍ଡିଆରେ ୭୨ତମ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଛାମୁଣ୍ଡିଆରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ଆଲୋଚନା | ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା ସହ ବାଘ ଓ ଜୈବବିବିଧତା ସୁରକ୍ଷାସଚେତନତା ସୃଷ୍ଟି କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ ।
ମଣିଷ-ବନ୍ୟଜନ୍ତୁ ସଂଘର୍ଷ ରୋକିବାକୁ ଛାମୁଣ୍ଡିଆରେ ମହାସଙ୍କଳ୍ପ | ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୨ତମ ସର୍କଲ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ଛାମୁଣ୍ଡିଆ ରେଞ୍ଜଠାରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନୟାଗଡ଼ ବନଖଣ୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା, ଜନସଚେତନତା ସୃଷ୍ଟି ଏବଂ ପରିବେଶାନୁକୂଳ ପର୍ଯ୍ୟଟନର ବିକାଶ ସମ୍ପର୍କରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ରାମପଦ ଅରବିନ୍ଦ ମିଶ୍ର, ଏସିଏଫ୍ ଦେବୀପ୍ରସାଦ ରାଉତ ଏବଂ ଛାମୁଣ୍ଡିଆ ରେଞ୍ଜର ପ୍ରଦୀପ ଭୁତିଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଡିଏଫ୍ଓ ଶ୍ରୀ ମିଶ୍ର ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଏବଂ ଜୈବବିବିଧତା ରକ୍ଷାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ଡର କର୍ମଚାରୀ ଓ ଅଧିକାରୀଙ୍କ ସମେତ ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା, ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ବୃଦ୍ଧି କରିବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ ।
