ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ୍, ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ। ୨୦୨୩ରୁ ଜାରି ଥିଲା ଜାମିନବିହୀନ ପରୱାନା ।

ଗଜପତି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘଦିନ ପରେ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ। ରୋଷେଇୟା ମନ୍ମଥ କୁମ୍ଭଙ୍କୁ ଆଜି ତାଙ୍କ ନିଜ ଗ୍ରାମରୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ମନ୍ମଥ କୁମ୍ଭଙ୍କ ବିରୋଧରେ ୨୦୨୩ ମସିହାରୁ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି। ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ମନ୍ମଥ କୁମ୍ଭଙ୍କ ନାଁ ଅଭିଯୁକ୍ତ ଭାବେ ରହିଛି। ଦୀର୍ଘଦିନ ଧରି ସେ ପୋଲିସ ନଜରରେ ଥିବା ବେଳେ ଆଜି ତାଙ୍କୁ ଧରିବାରେ ସଫଳ ହୋଇଛି ପାରଳାଖେମୁଣ୍ଡି ପୋଲିସ। ଅନ୍ୟପକ୍ଷରେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଉଲ୍ଲେଖ ହେଉଥିବା ବିଦ୍ୟା ଭାରତୀ ପଣ୍ଡାଙ୍କ ପାଇଁ ମଧ୍ୟ ଆଇନଗତ ଚାପ ବଢ଼ିଛି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ମନ୍ମଥ କୁମ୍ଭଙ୍କ ଗିରଫ ପରେ ମାମଲାର ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ ତଦନ୍ତରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ନଜର ରହିଛି।
