Form Fill Up Fee: କପ୍ତିପଦା କଲେଜରେ ଫର୍ମ ଫିଲଅପ୍ ଫିକୁ ନେଇ ବିବାଦ
ଫର୍ମ ଫିଲଅପ୍ ନାଁରେ ୩ ହଜାର ଟଙ୍କା? ନିର୍ଦ୍ଧାରିତ ଫି’ଠାରୁ ଅଧିକ ଆଦାୟ ଅଭିଯୋଗ, କଲେଜ ବିରୋଧରେ ଛାତ୍ରଙ୍କ ଅସନ୍ତୋଷ।
କପ୍ତିପଦା: ସରକାରଙ୍କ ଜ୍ଞାନୋଦୟ ଯୋଜନାରେ K.G ରୁ P.G ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ଥିବା ନେଇ ସରକାରୀ ବ୍ୟବସ୍ଥା ରହିଥିବା ବେଳେ, ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କେତେକ କଲେଜରେ ଫର୍ମ ଫିଲଅପ୍ ନାମରେ ନିର୍ଦ୍ଧାରିତ ଫି'ଠାରୁ ଅଧିକ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ଆସିଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଏକ ପ୍ରମୁଖ ଡିଗ୍ରୀ କଲେଜ ପୁଣିଥରେ ଚର୍ଚ୍ଚାକୁ ଆସିଛି। କିଛିଦିନ ପୂର୍ବରୁ କଲେଜର ବିଭିନ୍ନ ଅନିୟମିତତା ନେଇ ଖବର ପ୍ରସାରଣ ହୋଇଥିବା ବେଳେ, ଏବେ ଫର୍ମ ଫିଲଅପ୍ ଫି ଆଦାୟକୁ ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଯୁକ୍ତ 3 ବର୍ଷର ୫ମ ସେମିଷ୍ଟର ଫର୍ମ ଫିଲଅପ୍ ଚାଲିଛି। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଆଖପାଖର ଅନ୍ୟ କଲେଜଗୁଡ଼ିକରେ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ ଫି' ଅନୁଯାୟୀ ଟଙ୍କା ନିଆଯାଉଛି। ସେଠାରେ ଫର୍ମ ଫିଲଅପ୍ ବାବଦରେ ପ୍ରାୟ ୧୧୫୦ ଟଙ୍କା ସହ ୨୦୦ ଟଙ୍କା ସେଣ୍ଟର ଚାର୍ଜ ରହିଥିବା ଦାବି କରାଯାଉଛି। କିନ୍ତୁ କପ୍ତିପଦା ଉପଖଣ୍ଡର ଲୁଇପା ଡିଗ୍ରୀ କଲେଜରେ ଏହାଠାରୁ ଅଧିକ ଟଙ୍କା ଆଦାୟ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଫର୍ମ ଫିଲଅପ୍ ପାଇଁ ୨,୯୦୦ରୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। କପ୍ତିପଦା ଏକ ଆଦିବାସୀ ବହୁଳ ଅଞ୍ଚଳ। ଏଠାରେ ବହୁ ଛାତ୍ରଛାତ୍ରୀ ଆର୍ଥିକ ଭାବେ ଦୁର୍ବଳ ପରିବାରରୁ ଆସି ପାଠ ପଢ଼ୁଛନ୍ତି। ତେଣୁ ନିର୍ଦ୍ଧାରିତ ଫି'ଠାରୁ ଅଧିକ ଟଙ୍କା ଦାବି କରାଯାଉଥିବା ଅଭିଯୋଗକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ୱବିଦ୍ୟାଳୟର ଉପକୁଳପତିଙ୍କୁ ପଚାରିବାରୁ, ତାଙ୍କ ପାଖକୁ ଏପର୍ଯ୍ୟନ୍ତ ଏ ସମ୍ପର୍କିତ କୌଣସି ଲିଖିତ ଅଭିଯୋଗ ଆସିନଥିବା କହିଥିଲେ। ଅଭିଯୋଗ ମିଳିଲେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଅଭିଯୋଗର ତଦନ୍ତ କେବେ ହେବ? ନିର୍ଦ୍ଧାରିତ ଫି'ଠାରୁ ଅଧିକ ଟଙ୍କା ଆଦାୟ ହୋଇଥିଲେ, ତାହାର ଦାୟୀ କିଏ? ଏବଂ ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ।
