River breaching its banks:କୁଳ ଲଂଘୁଛି ଗୋବରୀ ନଦୀ : ସ୍ଥାୟୀ ପ୍ରତିକାର ପାଇଁ ବିଧାୟକଙ୍କୁ ନିବେଦନ
ଗୋବରୀ ନଦୀର ଭୟଙ୍କର ରୂପ। ନଦୀ ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଛି ନଦୀବନ୍ଧ । ଯିବା ଆସିବାଠୁ ନେଇ ଜରୁରୀକାଳୀନ ସେବା ଯାଏ ସବୁଥିରେ ସମସ୍ୟା | ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ଲୋକେ ।
ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଜଳେଶ୍ୱରପୁର ପଞ୍ଚାୟତ ଅଧୀନ ୪ ନମ୍ବର ୱାର୍ଡର ମହାନ୍ତି ସାହିରେ ଗୋବରୀ ନଦୀର ଭୟଙ୍କର କୁଳକ୍ଷୟ | ଗତ ଲଘୁଚାପଜନିତ ଲଗାଣ ବର୍ଷା ପରେ ନଦୀବନ୍ଧ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ଧୀରେ ଧୀରେ ମାଟି ଧୋଇଯିବା ସହ ରାସ୍ତାର ଏକ ବଡ଼ ଅଂଶ ନଦୀ ଗର୍ଭକୁ ଚାଲିଯାଇଛି । ଫଳରେ ଗମନାଗମନ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରେ ପଡ଼ିଛନ୍ତି ଗ୍ରାମବାସୀ । ପୂର୍ବରୁ ମଧ୍ୟ ଏହି ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ଘଟଣା ସ୍ଥାନୀୟ ବିଧାୟକଙ୍କ ସାରଦା ପ୍ରଧାନ ଦୃଷ୍ଟିକୁ ଆସିଥିଲା । ଅସ୍ଥାୟୀ ପ୍ରତିକାର ସ୍ୱରୂପ କାଠ ବଲ୍ଲା ଓ ଡଷ୍ଟ ଗୁଣ୍ଡ ବ୍ୟବହାର କରି ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କାମ ମଧ୍ୟ ହୋଇଥିଲା ।
କିନ୍ତୁ ମରାମତି କାମ ସରିବାର କିଛି ଦିନ ମଧ୍ୟରେ ପୁଣି ନଦୀବନ୍ଧ ଭୁଶୁଡ଼ି ନଦୀ ଗର୍ଭକୁ ଚାଲିଯାଇଛି । ନଦୀବନ୍ଧ ରାସ୍ତାଟି ଗ୍ରାମବାସୀଙ୍କ ଏକମାତ୍ର ଗମନାଗମନର ମାଧ୍ୟମ ହେଇଥିବା ବେଳେ ରାସ୍ତା ନଷ୍ଟ ହୋଇଯିବାରୁ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ହଇରାଣ ହେଉଛନ୍ତି ।ଏପରିକି ଜରୁରୀ ସମୟରେ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ପ୍ରବେଶ କରିପାରୁନଥିବା ବେଳେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ି ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରିବା ପରେ ଆଶାରେ ଗ୍ରାମବାସୀ |
