Malkangiri Flood: ବର୍ଷା କମିଲା, ସୁଧୁରିନି ସ୍ଥିତି; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାପାଳ ବନ୍ୟା ଓ ବର୍ଷା ପରିସ୍ଥିତି ସହ ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।
ମାଲକାନଗିରିରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାପାଳ ବନ୍ୟା ଓ ବର୍ଷା ପରିସ୍ଥିତି ସହ ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ୧୮ଟି ବ୍ରିଜ୍ ଉପରେ ପାଣି ଚାଲିଥିଲା। ସେଥିମଧ୍ୟରୁ ୫ଟି ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ବ୍ରିଜ୍ର ମରାମତି ସରିଥିବା ବେଳେ ଅନ୍ୟ ବ୍ରିଜ୍ଗୁଡ଼ିକର ଯାଞ୍ଚ ଜାରି ରହିଛି।ବର୍ଷାରେ ୮୫ଟି କଚ୍ଚା ଘର ଓ ଗୋଟିଏ ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ପରିବାରଙ୍କୁ ୩୨୪ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି। ସେହିପରି ୪୬ଟି ବିଦ୍ୟୁତ୍ ଖୁଣ୍ଟି ଓ ୧୨ଟି ଟ୍ରାନ୍ସଫର୍ମର୍ କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ୧୨ ହଜାର ଗ୍ରାହକ ପ୍ରଭାବିତ ହୋଇଛନ୍ତି। TPSODL ପକ୍ଷରୁ ବିଦ୍ୟୁତ୍ ସେବା ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।ସୁରକ୍ଷା ଦୃଷ୍ଟିରୁ ୧୭୧ ଜଣ ଗର୍ଭବତୀ ମହିଳାଙ୍କୁ ମାଆଗୃହରେ ରଖାଯାଇଥିବା ବେଳେ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ୨,୪୦୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ମାଗଣା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି।ଗୋବିନ୍ଦପାଲିରେ ଅଟକି ରହିଥିବା ୧୨୦ ଜଣ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଛି। ଜିଲ୍ଲାର ସ୍ଥିତି ଉପରେ ପ୍ରଶାସନ, ଅଗ୍ନିଶମ ବାହିନୀ, ODRAF ଓ ପୋଲିସ୍ ଟିମ୍ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
