ଅକ୍ଟୋବର ପାଖେଇ ଆସିଲା, ଗଜପତିରେ ପୁଣି ଭୁସ୍ଖଳନ ଭୟ; ଚିନ୍ତାରେ ପାହାଡ଼ିଆ ଅଞ୍ଚଳବାସୀ
ଅକ୍ଟୋବର ପାଖେଇ ଆସିବା ସହ ଗଜପତି ଜିଲ୍ଲାରେ ପୁଣି ଭୁସ୍ଖଳନର ଭୟ । ପାହାଡ଼ ପର୍ବତ ଘେରା ଏହି ଜିଲ୍ଲା ପାଇଁ ବର୍ଷା ଆସିଲେ ଆସେ ଆଶଙ୍କା । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଗଜପତିବାସୀଙ୍କ ଜୀବନକୁ ଦୋହଲାଇ ଦେଉଛି । କେଉଁଠି ଭୁସ୍ଖଳନ, କେଉଁଠି ଘର ଭାଙ୍ଗୁଛି, ତ ଆଉ କେଉଁଠି ଯାଉଛି ଜୀବନ । ଏବେ ପୁଣି ଅକ୍ଟୋବର ଆସୁଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ମନରେ ଛନକା ।

ଅକ୍ଟୋବର ପାଖେଇ ଆସିବା ସହ ଗଜପତି ଜିଲ୍ଲାରେ ପୁଣି ଭୁସ୍ଖଳନର ଭୟ । ପାହାଡ଼ ପର୍ବତ ଘେରା ଗଜପତି । ପ୍ରକୃତି ଯେତିକି ସୁନ୍ଦର, ବର୍ଷା ଦିନେ ବିପଦ ସେତିକି ଭୟଙ୍କର । ବିଶେଷକରି ଅକ୍ଟୋବର ମାସ ଆସିଲେ ଭୁସ୍ଖଳନ ଓ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ନ୍ତି ପାହାଡ଼ିଆ ଅଞ୍ଚଳର ଲୋକେ । ଗଜପତି ପାଇଁ ଭୁସ୍ଖଳନ ଆଜିର ନୁହେଁ, ବର୍ଷ ବର୍ଷର ପୁରୁଣା ବିପଦ । ୨୦୧୮ ତିତିଲି ବାତ୍ୟା ପରେ ବାରଘରାରେ ଘଟିଥିବା ଭୟଙ୍କର ଭୁସ୍ଖଳନରେ ୪୮ ଜଣଙ୍କ ଜୀବନ ଯାଇଥିଲା । ପରେ ବି ଥମିନି ଭୁସ୍ଖଳନର ତାଣ୍ଡବ । ୨୦୨୨-୨୩ରେ ଭୁସ୍ଖଳନଜନିତ ମୃତ୍ୟୁ ସରକାରୀ ରେକର୍ଡରେ ରହିଛି । ଆଉ ୨୦୨୫ ଅକ୍ଟୋବରରେ ପୁଣି ଗଜପତିକୁ ଦୋହଲାଇଥିଲା ପ୍ରବଳ ବର୍ଷା ଓ ଭୁସ୍ଖଳନ । ବାପା-ପୁଅ ନିଖୋଜ ହେବା ସହ ଶହ ଶହ ଘର ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଅକ୍ଟୋବର ଆସିଲେ ଗଜପତିବାସୀଙ୍କ ମନରେ ପୁଣି ଭୟ ଘାରିବା ସ୍ୱାଭାବିକ ।” ୨୦୧୮ରୁ ୨୦୨୫ ମଧ୍ୟରେ ବର୍ଷା ଓ ଭୁସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଜିଲ୍ଲାରେ ୭୨ ଜଣଙ୍କ ଜୀବନ ଯାଇଛି । ୭୧ ହଜାର ୮୩୪ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୦୩୪ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ଗତ ଦୁଇ ବର୍ଷ ମଧ୍ୟରେ ଗୁମ୍ମା, ରାୟଗଡ଼ ଓ ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି । ୨୦୧୮ ତିତିଲି ବାତ୍ୟା ପରେ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞ ଦଳ ଜିଲ୍ଲାର ୧୩୬ଟି ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରିଥିଲେ । ହେଲେ ଏହା ପରେ ମଧ୍ୟ ବିପଦ ଟଳିନାହିଁ । ଗତବର୍ଷ ନୂଆ ଅଞ୍ଚଳରେ ଭୁସ୍ଖଳନ ଘଟି ରାୟଗଡ଼ ବ୍ଲକରେ ବାପା-ପୁଅ ନିଖୋଜ ହୋଇଥିଲେ । ଅନେକ ସ୍ଥାନରେ ଗତବର୍ଷ ଓ ତା'ପୂର୍ବ ବର୍ଷ ଘଟିଥିବା ଭୁସ୍ଖଳନ ପରେ ମରାମତି କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହେଉଛି । ଏବେ ପୁଣି ପାଖେଇ ଆସିଲାଣି ଅକ୍ଟୋବର । ଚଳିତବର୍ଷ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ରହିଥିବାରୁ ଆଗକୁ ପ୍ରବଳ ବର୍ଷା କିମ୍ବା ବାତ୍ୟା ହେଲେ ସ୍ଥିତି କଣ ହେବ, ସେନେଇ ଚିନ୍ତାରେ ପାହାଡ଼ିଆ ଅଞ୍ଚଳବାସୀ । ବିପଦ ଆସିବା ପୂର୍ବରୁ ପ୍ରସ୍ତୁତି ହିଁ ଗଜପତି ପ୍ରଶାସନର ଏବେ ମୁଖ୍ୟ ଫୋକସ୍ । ଭୁସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ନଜର ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆବଶ୍ୟକ ସମୟରେ ସ୍ଥାନାନ୍ତରଣ, ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରଖିବା ସହ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ପ୍ରଶାସନ କାମ କରୁଛି । ହେଲେ ପ୍ରଶ୍ନ ହେଉଛି—ପ୍ରତିବର୍ଷ ବିପଦ ଆସିବା ପରେ ନୁହେଁ, ବିପଦ ପୂର୍ବରୁ ସ୍ଥାୟୀ ପ୍ରତିକାର କେବେ? ଭୁସ୍ଖଳନ ସମ୍ଭାବନା ଥିବା ଅଞ୍ଚଳ ଉପରେ ନଜର ରଖିବା ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ପ୍ରତିଥର ନୂଆ ଚ୍ୟାଲେଞ୍ଜ ଆସୁଥିଲେ ମଧ୍ୟ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଗଜପତି ଜିଲ୍ଲାପାଳ । ୨୦୧୮ ତିତିଲି ବାତ୍ୟା ପରଠାରୁ ପାହାଡ଼ିଆ ଅଞ୍ଚଳର ବିପଦସଙ୍କୁଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆଯାଉଥିଲା । ହେଲେ ଗତ ଦୁଇ ବର୍ଷ ଧରି ଏହି ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ରହିଛି । ଏବେ ପୁଣି ବିପଦ ଋତୁ ପାଖେଇ ଆସୁଥିବାରୁ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବିପଦସଙ୍କୁଳ ପରିବାରଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ପୂର୍ବରୁ ନଷ୍ଟ ହୋଇଥିବା ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ।
