4 Youth Death On Ganesh Idol Immersion:ଗଣେଶ ଭସାଣି ବେଳେ ଅଘଟଣ: ନାଳରେ ଭାସିଯାଇଥିବା ୪ ଯୁବକଙ୍କ ମୃତଦେହ ଉଦ୍ଧାର
ଜଗତସିଂହପୁର ଏରସମାରେ ଗଣେଶ ଭସାଣି ବେଳେ ଅଘଟଣ: ନାଳରେ ଭାସିଯାଇଥିବା ୪ ଯୁବକଙ୍କ ମୃତଦେହ ଉଦ୍ଧାର, ତିନି ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ।
ଜଗତସିଂହପୁର: ଗଣେଶ ମୂର୍ତ୍ତି ଭସାଣି ବେଳେ ଘଟିଛି ଅଘଟଣ। ନାଳରେ ଭାସିଯାଇ ନିଖୋଜ ହୋଇଥିବା ୪ ଯୁବକଙ୍କ ମୃତଦେହ ଦୀର୍ଘ ପ୍ରାୟ ତିନି ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଓରନାଳ ଗ୍ରାମରେ ଏହି ଅଘଟଣ ଘଟିଛି। ଗଣେଶ ମୂର୍ତ୍ତି ଭସାଣି ସମୟରେ ପାଣିରେ ଭାସିଯାଇ ୪ ଯୁବକ ନିଖୋଜ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଏରସମା ଓ ତିର୍ତ୍ତୋଲ ପୋଲିସ, ତିର୍ତ୍ତୋଲ ଏସଡିପିଓ ଏବଂ ଏରସମା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଖୋଜ ଯୁବକମାନଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ପ୍ରାୟ ତିନି ଘଣ୍ଟା ଧରି ନାଳରେ ଖୋଜାଖୋଜି କରିବା ପରେ ୪ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଯୁବକମାନେ ହେଲେ ଅକ୍ଷୟ କୁମାର ନାୟକ, ବାବୁ ପଳେଇ, ନିମାଇଁ ଚରଣ ସ୍ୱାଇଁ ଓ ବୁଲା ବାରିକ। ଘଟଣାସ୍ଥଳରେ ଏରସମା ବିଧାୟକ ସାରଦା ପ୍ରସାଦ ଜେନା, ବିଜେପି ନେତା ସତ୍ୟସାରଥୀ ମହାନ୍ତିଙ୍କ ସମେତ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଘଟଣା ପରେ ମୃତ ଯୁବକମାନଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
