Husband Killed:ପ୍ରେମନଗରରେ ସ୍ୱାମୀ ପାଇଁ କାଳ ସାଜିଲା ପତ୍ନୀ ଓ ପଡୋଶୀ ପ୍ରେମ
ସନ୍ଦେହ ନେଲା ହତ୍ୟାକାଣ୍ଡର ରୂପ | ପତ୍ନୀ ଓ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ସନ୍ଦେହ କରୁଥିଲେ ଦେହରାଦୁନର ମଦନ ମୁଖିଆ | ତେବେ କିଛି ଭୁଲ ଅନୁମାନ କରିନଥିଲେ ମଦନ | ପଡ଼ୋଶୀର ମୋବାଇଲରେ ନିଜ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଦେଖିବା ପରେ ବିରୋଧ କରିବା ସାଜିଲା କାଳ | ବଦ୍ଲା ନେବା ପାଇଁ ସ୍ୱାମୀକୁ ଜଙ୍ଗଲକୁ ଡାକି ନିର୍ମମ ଭାବେ ହତ୍ୟା କରିଛନ୍ତି ପତ୍ନୀ ଓ ପଡୋଶୀ ପ୍ରେମିକ |
ଉତ୍ତରାଖଣ୍ଡ:ଉତ୍ତରାଖଣ୍ଡର ଦେହରାଦୁନର ପ୍ରେମନଗରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ମାମଲା | ୩୨ ବର୍ଷୀୟ ମଦନ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କ ପତ୍ନୀ ଦେବୀ ଓ ପଡ଼ୋଶୀ ଲଲନ ଶର୍ମା | ଗତ ଶନିବାର ଦିନ ମଦନଙ୍କ ରକ୍ତାକ୍ତ ଶବ ପ୍ରେମନଗରର ଏକ ଜଙ୍ଗଲିଆ ଅଞ୍ଚଳରୁ ମିଳିଥିଲା, ଯାହାଙ୍କ ଶରୀରରେ ଅନେକ ଛୁରୀ ଆଘାତର ଚିହ୍ନ ଥିଲା। ଘଟଣା ପଛରେ ଥିବା କାରଣ ଭାବେ ପୁଲିସ ଏକ ପ୍ରେମ ସମ୍ପର୍କକୁ ଦର୍ଶାଇଛି। ପୁଲିସ କହିଛି, ଦେବୀ ଓ ଲଲନଙ୍କ ମଧ୍ୟରେ ପ୍ରାୟ ୨ରୁ ୩ ବର୍ଷ ଧରି ଅବୈଧ ପ୍ରେମ ସମ୍ପର୍କ ଥିଲା। ଉଭୟ ଲଲନ ଓ ମଦନ ଦୁହେଁ ମଜୁରିଆ ଭାବେ କାମ କରୁଥିଲେ।
ପତ୍ନୀ ଓ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ମଦନ ଆଗରୁ ସନ୍ଦେହ କରୁଥିବାବେଳେ ଘଟଣାର ପ୍ରାୟ ଦୁଇ ଦିନ ପୂର୍ବରୁ ମଦନ ଲଲନଙ୍କ ଫୋନରେ ନିଜ ପତ୍ନୀଙ୍କ ଫଟୋ ଓ ଭିଡିଓ ଦେଖିଥିବା ପୁଲିସ କହିଛି। ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ମଦନ ଅନ୍ୟମାନଙ୍କୁ ସମ୍ପର୍କ ବିଷୟରେ କହିଦେବେ ବୋଲି ଦୁହିଁଙ୍କୁ ଧମକ ଦେଇଥିଲେ। ଏହି ଭୟରେ ପତ୍ନୀ ଦେବୀ ଏବଂ ଲଲ୍ଲନ ମିଶି ମଦନଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଦେବୀ ଏକ ବାହାନା କରି ମଦନଙ୍କୁ ମଦ ପିଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଡାକିଥିଲେ,ଯେଉଁଠାରେ ପୂର୍ବରୁ ଲଲ୍ଲନ ଲୁଚି ରହିଥିଲା। ପୁଲିସର ଦାବି ଅନୁସାରେ, ଦୁହେଁ ମିଶି ଛୁରିରେ ମଦନଙ୍କୁ ଆକ୍ରମଣ କରିଥିଲେ।ପରେ ଜଙ୍ଗଲ ଅଞ୍ଚଳରୁ ମଦନଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା।ସିସିଟିଭି ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତ କରି ପୁଲିସ ଲଲନଙ୍କୁ ଗିରଫ କରିଥିଲା। ପରେ ଦେବୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି।
