ସୁଭଦ୍ରା ଟଙ୍କା ଆଉ ଶୁଖୁଆ ଭଜାକୁ ନେଇ ହତ୍ଯା
ଜଗତସିଂହପୁର ଜିଲ୍ଲା ବଳରାମପୁର ଗାଁରେ ଚାଞ୍ଚଲ୍ଯ। ନିଶା ପାଇଁ ସୁଭଦ୍ରା ପାଇଁ ଟଙ୍କା ଆଉ ରାତିରେ ଶୁଖୁଆ ଭାଜି ଦେବାକୁ ନେଇ କଳି, ଶେଷରେ ତେଣ୍ଟା ଭୁସି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ରାକ୍ଷସ ସ୍ୱାମୀ।
ଜଗତସିଂହପୁର: ମଦ ପାଇଁ ଟଙ୍କା ଆଉ ରାତିରେ ଶୁଖୁଆ ଭାଜି ଦେବାକୁ ନେଇ କଳି। ଶେଷରେ ଏକ ତେଣ୍ଟାରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ରାକ୍ଷସ ସ୍ୱାମୀ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁରୁ ସାମ୍ନାକୁ ଆସିଛି ଏହି ଛାତିଥରା ହତ୍ୟାକାଣ୍ଡ। ସୂଚନା ଅନୁସାରେ, ଜଗତସିଂହପୁର ସଦର ଥାନା ଅଧୀନ ଜଙ୍କୋଠି ବଳରାମପୁର ଗାଁର ଘଟଣା। ଅଭିଯୁକ୍ତ ଦିଗାମ୍ବର ସ୍ୱାଇଁ ଓରଫ ବାଦଲ। ମୃତକ ହେଉଛନ୍ତି ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି। ପୁଲିସ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିଗାମ୍ବରଙ୍କ ନିଶା ଅଭ୍ୟାସ ଥିଲା। ନିଶାସକ୍ତ ଅବସ୍ଥାରେ ପତ୍ନୀଙ୍କୁ ମାଡ଼ ମାରିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଥିଲା। ଏପରିକି ଘଟଣାକୁ ନେଇ ଗାଁ ପଞ୍ଚାୟତରେ ଅନେକଥର ସମାଧାନ ହୋଇଥିଲା। କିନ୍ତୁ ଥମିନଥିଲା ବିବାଦ। ତେବେ ୫ତାରିଖ ରାତିରେ ଦିଗାମ୍ବର ନିଶା ସେବନ କରି ଘରକୁ ଆସି ଶୁଖୁଆ ପୋଡା ଖାଇବାକୁ ମାଗିବା ସହିତ ପତ୍ନୀ ପୁଷ୍ପାଞ୍ଜଳି ପାଇଥିବା ସୁଭଦ୍ରା ଟଙ୍କାକୁ ନିଶା ଖାଇବା ପାଇଁ ମାଗିଥିଲା। ତେବେ ସୁଭଦ୍ରା ଟଙ୍କାରେ ଘରେ ସୋଲାର ଲାଗିବ ବୋଲି ପୁଷ୍ପାଞ୍ଜଳି କହିଥିଲେ, ଯେଉଁଥିରେ ଉତକ୍ଷିପ୍ତ ହୋଇ ଦିଗାମ୍ବର ଏକ ଧାରୁଆ ଲୁହା ରଡ଼ରେ ପୁଷ୍ପାଞ୍ଜଳିଙ୍କ ତଂଟିରେ ବାରମ୍ବାର ଭୂଷି ଚାଲିଥିଲେ। ଫଳରେ ରକ୍ତାକ୍ତ ହୋଇ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ପୁଷ୍ପାଞ୍ଜଳି। ଆଉ ଆଖି ଆଗରେ ମାଆଙ୍କୁ ହରାଇଥିଲା ତାଙ୍କ ୯ ବର୍ଷର ପୁଅ। ଘଟଣା ପରେ ପୁଲିସ ଦିଗାମ୍ବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତଦନ୍ତରେ ହତ୍ୟା ପଛରେ ନିଶା, ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ସନ୍ଦେହ ଥିବା କୁହାଯାଇଛି।
ନିଶା ଯେତେବେଳେ ବିବେକକୁ ଗ୍ରାସ କରେ, ଟଙ୍କା ଯେତେବେଳେ ସମ୍ପର୍କଠାରୁ ବଡ଼ ହୋଇଯାଏ, ଆଉ ସନ୍ଦେହ ଯେତେବେଳେ ସମ୍ପର୍କକୁ ରକ୍ତାକ୍ତ କରିଦିଏ, ସେତେବେଳେ ପରିଣତି କେତେ ଭୟଙ୍କର ହୋଇପାରେ, ବଳରାମପୁରର ଏହି ହତ୍ୟାକାଣ୍ଡ ତାହାର ଏକ ନିର୍ମମ ଉଦାହରଣ।
