Accident On the Way to School:ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ବାଇକକୁ ପିଟିଲା କାର
ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଯାଜପୁର ସଠିପୁର ବ୍ରଜନଗର ଗଡା ଲକ୍ଷ୍ମୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଲ ଛାଡିବାକୁ ଯାଉଥିବା ସମୟରେ ବାଇକକୁ ପିଟିଲା କାର । ଅବିଭାବକଙ୍କ ସହ ୩ ଛାତ୍ରଛାତ୍ରୀ ଗୁରୁତର; ଯାଜପୁରରୁ କଟକ ସ୍ଥାନାନ୍ତର।
ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ବାଇକକୁ ପିଟିଲା ଦ୍ରୁତଗାମୀ କାର। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅବିଭାବକଙ୍କ ସମେତ ୩ ଛାତ୍ରଛାତ୍ରୀ ଗୁରୁତର ଆହତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ସଠିପୁର-ବ୍ରଜନଗରଗଡ଼ା ଅଞ୍ଚଳରେ, ଜାତୀୟ ରାଜପଥ-୧୬ର ଲକ୍ଷ୍ମୀ ମନ୍ଦିର ନିକଟରେ। ଯାଜପୁର ବ୍ଲକ ମୂଳାପାଳ ନିକଟ ଲିଙ୍ଗେଶ୍ୱର ମନ୍ଦିର ପାଖରେ ଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଶୋକ ସାହୁ ନିଜ ପୁଅ-ଝିଅ ଓ ଅନ୍ୟ ଜଣେ ଛାତ୍ରଙ୍କୁ ବାଇକରେ ନେଇ ଯାଉଥିଲେ। ଏହି ସମୟରେ NH-16 ଉପରେ ଏକ ଦ୍ରୁତଗାମୀ କାର ଆସି ବାଇକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ସମସ୍ତେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ଅଶୋକ ସାହୁ, ତାଙ୍କ ପୁଅ ଆଶୀଷ ସାହୁ, ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟ ଜଣେ ଛାତ୍ର ସାଇଲ ଓଝା ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚାରିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଓ କାର ଚାଳକଙ୍କ ସମ୍ପର୍କରେ ପୋଲିସ ତଦନ୍ତ କରିବା ଆବଶ୍ୟକ।
