କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିଲେ ସିଦ୍ଧରମେୟା

ସିଏମ ଚୌକି- ଛାଡ଼ିଲେ ସିଦ୍ଧରମେୟା, ବସିବେ ଶିବକୁମାର
ଶେଷରେ ମାନିଲେ ସିଦ୍ଧରମେୟା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିଲେ। ସିଏମ ଚୌକି କ୍ଷମତା ବଣ୍ଟନର ଫର୍ମୁଲାକୁ ଏଥର ଆଉ ଏଡ଼ାଇପାରିଲେନି। କାରଣ ଏଥର ସିଏମ୍ ଚୌକି ଛାଡ଼ିବାକୁ ଥିଲା ହାଇକମାଣ୍ଡଙ୍କ ନିର୍ଦେଶ। ସିଏମ ପଦ ନ ଛାଡ଼ିବାକୁ ସିଦ୍ଧରମେୟାଙ୍କ ସମର୍ଥକ ବି ଆନ୍ଦୋଳନ କରିଥିଲେ। ହେଲେ ଦିଲ୍ଲୀରେ ପ୍ରାୟ ୭ଘଣ୍ଟା ଧରି ଚାଲିଥିଲା ମାରାଥନ ବୈଠକ। ଶେଷରେ ରାହୁଲଙ୍କ ସହ ଚର୍ଚ୍ଚା ପରେ ପଦ ଛାଡ଼ିବାକୁ ସହମତି ଦେଇଥିଲେ ସିଦ୍ଧରମେୟା। କର୍ଣ୍ଣାଟକ ପାଓ୍ୱାର କ୍ରାଇସିସ ଭିତରେ ସିଦ୍ଧରମେୟା ଆଜି ସକାଳେ କ୍ୟାବିନେଟ ବୈଠକରେ ପଦ ଛାଡିବେ ବୋଲି କରିଥିଲେ ଘୋଷଣା। ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ବି ଦେଇଥିଲେ ସଂକେତ। ସିଦ୍ଧରମେୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଶିବକୁମାର। ଆଜି ସିଦ୍ଧରମେୟାଙ୍କ ଆବାସରେ ଆୟୋଜିତ ବ୍ରେକଫାଷ୍ଟ ବୈଠକରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ପୂର୍ବରୁ ବି କର୍ଣ୍ଣାଟକ ସିଏମ୍ ଚୌକି ଛକାପଞ୍ଝାକୁ ନେଇ ବ୍ରେକଫାଷ୍ଟ ପଲିଟିକ୍ସ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ବେଶ୍ ଦୀର୍ଘ ଦିନ ହେଲା ଚାଲିଥିଲା ଟଣାଓଟରା। ଶେଷରେ ଦିଲ୍ଲୀ ଦରବାରରେ ଏହାର ଅବସାନ ହୋଇଛି। ରାଜ୍ୟରେ ସରକାର ସତ୍ତା ବଣ୍ଟନ ଫର୍ମୁଲାରେ ସ୍ଥିର ହୋଇଥିଲା। ୫ ବର୍ଷ ଶାସନ କାଳ ଭିତରେ ସିଦ୍ଧରମେୟା ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଗାଦିରେ ରହିବେ। ଆଉ ବାକି ଅଢ଼େଇ ବର୍ଷ ଶିବକୁମାର ସିଏମ୍ ହେବେ। ଏ ଦାବିକୁ ଉଠାଇ ଆସୁଥିଲେ ଶିବକୁମାର। ଅନେକ ଥର ଶିବକୁମାରଙ୍କ ସମର୍ଥକ ଦିଲ୍ଲୀରେ ଡେରା ପକାଉଥିଲେ। କଂଗ୍ରେସ ନେତୃତ୍ୱ ସହ ଚର୍ଚ୍ଚା କରୁଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରୁନଥିଲା। ରାଜ୍ୟରେ ରାଜ୍ୟପାଳ ଥାଓ୍ୱରଚାନ୍ଦ ଗେହଲଟ ନଥିବା ସତ୍ତ୍ୱେ ଆଜି ଅପରାହ୍ନରେ ଲୋକଭବନ ଯାଇ ଇସ୍ତଫା ଦେଇପାରନ୍ତି ସିଦ୍ଧରମେୟା। ମେ ୧୩, ୨୦୨୩। କର୍ଣ୍ଣାଟକରେ କଂଗ୍ରେସ ୧୩୫ ଆସନ ଜିତି କ୍ଷମତାକୁ ଆସିଲା। ମେ ୧୮, ୨୦୨୩। ସିଏମ୍ ପଦ ପାଇଁ ସିଦ୍ଧରମେୟା ଓ ଶିବକୁମାରଙ୍କ ସହ ବୈଠକ କରିଥିଲେ ଶୀର୍ଷ ନେତୃତ୍ୱ। ଏହି ବୈଠକରେ ସିଦ୍ଧରମେୟା ଓ ଶିବକୁମାରଙ୍କ ଭିତରେ ଅଢ଼େଇ ବର୍ଷ ଲେଖାଏଁ ସିଏମ ରହିବା ଡିଲ୍ ଫାଇନାଲ ହୋଇଥିଲା। ପ୍ରଥମ ଅଢ଼େଇ ବର୍ଷ ସିଏମ ରହିବାକୁ ଚାହୁଁଥିଲେ ଶିବକୁମାର। କିନ୍ତୁ ବରିଷ୍ଠତା ଭିତ୍ତିରେ ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମେୟାଙ୍କୁ ସିଏମ କରାଯାଇଥିଲା। ଏହି ସର୍ତ୍ତରେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ ଶିବକୁମାର। ଏମିତିରେ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ସିଦ୍ଧରମେୟା ସିଏମ ଚୌକିରେ ବସିଲେଣି। ରାଜ୍ୟରେ କଂଗ୍ରେସ ସରକାରକୁ ୩ ବର୍ଷ ପୁରିସାରିଲାଣି।
