ରାଜ୍ୟସଭା ଅଫରକୁ କାହିଁକି ପ୍ରତ୍ୟାଖାନ କଲେ ସିଦ୍ଧରମେୟା

ସିଦ୍ଧରମେୟା ବନାମ ସତ୍ତା, ସମ୍ପତ୍ତି ଓ ସାମ୍ପ୍ରଦାୟିକ ଶକ୍ତି
ହାଇକମାଣ୍ଡଙ୍କ କଥା ମାନି ସିଏମ୍ ଚୌକି ସାକ୍ରିଫାଇଜ କରିଦେଲେ ସିଦ୍ଧରମେୟା। ହେଲେ ରାଜ୍ୟସଭାକୁ ଯିବାର ଅଫରକୁ ପ୍ରତ୍ୟାଖ୍ୟାନ କରିଦେଲେ। କ୍ଷମତା ବଣ୍ଟନର ଫର୍ମୁଲାକୁ ଏମିତିରେ ଏଡ଼ାଇ ଚାଲିଥିଲେ ସିଦ୍ଧରମେୟା। ଅଢ଼େଇ ବର୍ଷ ସିଏମ ଚୌକିରେ ବସିବା ପରେ ବି ବାକି ଅଢ଼େଇ ବର୍ଷ ଡିକେ ଶିବକୁମାରଙ୍କୁ ଛାଡ଼ିବା ନେଇ ହୋଇଥିବା ଡିଲ୍ ମାନୁନଥିଲେ। ଶେଷରେ ପ୍ରାୟ ୩ ବର୍ଷ ପାଖାପାଖି ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପରେ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ପଦ ଛାଡ଼ିଲେ। ଲୋକଭବନରେ ରାଜ୍ୟପାଳ ନଥିବା ସତ୍ତ୍ୱେ ତାଙ୍କ ଦପ୍ତରକୁ ଯାଇ ଇସ୍ତଫା ଦେଇଥିଲେ। ୨୮ରେ ଇସ୍ତଫା ଦେଇଥିଲେ ହେଁ ଆଜି ତାଙ୍କ ଇସ୍ତଫା ପତ୍ରକୁ ବିଧିବଦ୍ଧ ଭାବେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ। ଡିକେ ଶିବକୁମାର ସିଏମ ଚୌକିରେ ବସିବେ। ଇସ୍ତଫା ଦେବା ପରେ ଦିଲ୍ଲୀ ଯାଇ ଖଡ଼ଗେ, ସୋନିଆ ଓ ରାହୁଲଙ୍କୁ ସାକ୍ଷାତ କରିଛନ୍ତି ସିଦ୍ଧରମେୟା। ସିଦ୍ଧରମେୟାଙ୍କ ଇସ୍ତଫାରେ କ୍ଷୁବ୍ଧ ତାଙ୍କ ସମର୍ଥକ ଆନ୍ଦୋଳନ କରିଛନ୍ତି। ସିଦ୍ଧରମେୟାଙ୍କୁ ଚକ୍ରାନ୍ତ କରି ପଡ ଛଡ଼ାଇ ନିଆଗଲା ବୋଲି ଆରୋପ ଲଦୁଛନ୍ତି। ସେପଟେ ନା ରାଜ୍ୟସଭା ନା ରାଷ୍ଟ୍ର ରାଜନୀତିକୁ ଯିବେ। ମୃତ୍ୟୁ ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜନୀତିରେ ରହିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ସିଦ୍ଧରମେୟା। ଚଳିତ ବର୍ଷ କର୍ଣ୍ଣାଟକରେ ୩ଟି ରାଜ୍ୟସଭା ସିଟ୍ ଖାଲି ପଡ଼ିବ। ଏଥିରୁ ଗୋଟିଏ ସିଟ୍ ସିଦ୍ଧରମେୟାଙ୍କୁ ଅଫର୍ କରିଥିଲେ ହାଇକମାଣ୍ଡ। ଦ୍ୱିତୀୟ ଆସନ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ତୃତୀୟ ଆସନ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ ଦିଆଯାଇପାରେ। ବିନା ହଟଚମଟରେ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ି ବିରୋଧୀଙ୍କୁ କୌଣସି ଚର୍ଚ୍ଚା ଲାଗି ଖୋରାକ ଅବଶ୍ୟ ଯୋଗାଇନାହାନ୍ତି ସିଦ୍ଧରମେୟା। ଏତେ ସହଜରେ ସତ୍ତା ହସ୍ତାନ୍ତର ହୁଏନା। ଦଳର ଆଦେଶ ମାନି ତୁରନ୍ତ ପଦ ଛାଡ଼ିଥିବାରୁ ସିଦ୍ଧରମେୟାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସଞ୍ଜୟ ରାଉତ। ଏମିତି କେହି ବିନା ପ୍ରତିବାଦରେ ପଦ ଛାଡ଼ନ୍ତିନି।
୫୦ ବର୍ଷର ଲମ୍ୱା ରାଜନୈତିକ କ୍ୟାରିଅର। ତାଙ୍କ ରାଜନୈତିକ ଜୀବନ ଖୋଲା ବହି ଭଳି କହିଛନ୍ତି ସିଦ୍ଧରମେୟା। ସେ କେବେ ବି ସମ୍ପତ୍ତି, ସତ୍ତା ପଛରେ ପଡ଼ିନାହାନ୍ତି। ସେ ରାଜନୀତିରେ ଶେଷନିଃଶ୍ୱାସ ଯାଏ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢ଼ିବେ ବୋଲି କହିଛନ୍ତି।
