US Greencard Uncertainty: ଗ୍ରୀନ୍ କାର୍ଡ ସ୍ପୋନ୍ସରସିପ୍ ପ୍ରୋଗ୍ରାମରୁ କିଏ ବାସନ୍ଦ ହେଲେ
ଆମେରିକାର ଟ୍ରମ୍ପ ପ୍ରଶାସନ ପ୍ରମୁଖ IT କମ୍ପାନୀଗୁଡ଼ିକର PERM ପ୍ରୋଗ୍ରାମ୍ ଉପରେ କଟକଣା ଲଗାଇଥିବା ଖବର ଭାରତୀୟ IT କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ସ୍ୱପ୍ନକୁ ନେଇ ଚିନ୍ତା ବଢ଼ାଇଛି । ଏହାଦ୍ୱାରା H-1B ଭିସାଧାରୀଙ୍କ ସ୍ଥାୟୀ ବାସିନ୍ଦା ହେବା ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି।

ୱାଶିଂଟନ୍:ଆମେରିକାରେ ଚାକିରି କରୁଥିବା ଏବଂ ଗ୍ରୀନ୍ କାର୍ଡ ଆଶାରେ ଥିବା ଲକ୍ଷ ଲକ୍ଷ ଭାରତୀୟ IT ବୃତ୍ତିଧାରୀଙ୍କ ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପ୍ରମୁଖ ଭାରତୀୟ IT ସଂସ୍ଥାଗୁଡ଼ିକୁ PERM (ପରମାନେଣ୍ଟ ଲେବର ସର୍ଟିଫିକେସନ୍) ପ୍ରୋଗ୍ରାମ୍ରୁ ନିଲମ୍ବିତ (Suspend) କରିଦେଇଛନ୍ତି। ବିଦେଶୀ କର୍ମଚାରୀମାନଙ୍କୁ (ବିଶେଷକରି H-1B ଭିସାଧାରୀ) ସ୍ଥାୟୀ ନାଗରିକତା କିମ୍ବା ଗ୍ରୀନ୍ କାର୍ଡ (Green Card) ପ୍ରଦାନ କରିବା ପାଇଁ ନିଯୁକ୍ତିଦାତାମାନଙ୍କ (Employers) ପାଇଁ ଏହି PERM ପ୍ରୋଗ୍ରାମ୍ ପ୍ରଥମ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ।
ଆମେରିକା ଶ୍ରମ ସଚିବ କିଥ୍ ସୋଣ୍ଡରଲିଙ୍ଗ (Keith Sonderling) ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଠୋର ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଏହି ନିଲମ୍ବନ ଦ୍ୱାରା ପ୍ରଭାବିତ ହୋଇଥିବା ବିଶ୍ୱର ପ୍ରମୁଖ IT କମ୍ପାନୀଗୁଡ଼ିକ ହେଲେ,TCS (ଟାଟା କନସଲଟାନ୍ସି ସର୍ଭିସେସ୍), ଇନଫୋସିସ୍ (Infosys), ୱିପ୍ରୋ (Wipro), HCL, କଗନିଜାଣ୍ଟ (Cognizant), କ୍ୟାପଜେମିନି (Capgemini)। ଏହା ସହିତ ଆମେରିକାର ପ୍ରସିଦ୍ଧ ଆପଲ୍, ମାଇକ୍ରୋସଫ୍ଟ ଓ ଆଡୋବ (Adobe) ଭଳି କମ୍ପାନୀ ମଧ୍ୟ ଏହି ପ୍ରୋଗ୍ରାମ୍ର ନିୟମାବଳୀ ନେଇ ପ୍ରଶ୍ନ ଘେରକୁ ଆସିଛନ୍ତି।
ଆମେରିକା ସରକାରଙ୍କ ବଡ଼ ଅଭିଯୋଗ
ସାମ୍ବାଦିକ ସମ୍ମିଳନୀରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ (JD Vance) ଏବଂ ଆଣ୍ଟି-ଫ୍ରଡ୍ ଟାସ୍କ ଫୋର୍ସର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ। ଶ୍ରମ ସଚିବ ସୋଣ୍ଡରଲିଙ୍ଗ କହିଛନ୍ତି ଯେ,"୨୦୦୯ ମସିହାରୁ କେବଳ ଏହି କମ୍ପାନୀଗୁଡ଼ିକ ପ୍ରାୟ ୩୦ ଲକ୍ଷ ବିଦେଶୀ କର୍ମଚାରୀଙ୍କ ପାଇଁ ଆବେଦନ କରିଛନ୍ତି। ସେମାନଙ୍କୁ ୨,୩୦,୦୦୦ରୁ ଅଧିକ H-1B ଭିସା ମଞ୍ଜୁରୀ ଏବଂ ୧,୦୦,୦୦୦ରୁ ଅଧିକ ସ୍ଥାୟୀ ଲେବର ସାର୍ଟିଫିକେସନ୍ ମିଳିଛି।ଏହି କମ୍ପାନୀଗୁଡ଼ିକ ଆମେରିକୀୟ ନାଗରିକଙ୍କଠାରୁ ଶହ ଶହ ହଜାର ଚାକିରି ଛଡ଼ାଇ ନେଇଛନ୍ତି।" ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମାଇକ୍ରୋସଫ୍ଟ ଉପରେ କଠୋର ଅଭିଯୋଗ ଆଣି କହିଛନ୍ତି ଯେ କମ୍ପାନୀ ୨୦୨୫ ମସିହାରେ ୬,୦୦୦ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିଥିଲା।ଏହା ଦର୍ଶାଇଥିଲା ଯେ ଯୋଗ୍ୟ ଆମେରିକୀୟ ମିଳୁନାହାନ୍ତି। କିନ୍ତୁ ସେହି ସମାନ ପଦବୀଗୁଡ଼ିକ ପାଇଁ H-1B ଭିସା ଓ PERM ଆବେଦନ କରାଯାଇଥିଲା।
ଭାରତୀୟ IT ଆବେଦନକାରୀଙ୍କ ଉପରେ କି ପ୍ରଭାବ ପଡ଼ିବ?
ନୂଆ ଆବେଦନ ବନ୍ଦ: ଆମେରିକା ସରକାର ଏହି କମ୍ପାନୀଗୁଡ଼ିକର କୌଣସି ନୂଆ PERM ଆବେଦନ ଗ୍ରହଣ କରିବେ ନାହିଁ କିମ୍ବା ପେଣ୍ଡିଂ ଥିବା ଆବେଦନକୁ ପ୍ରୋସେସ୍ କରିବେ ନାହିଁ।
ଭବିଷ୍ୟତ ଗ୍ରୀନ୍ କାର୍ଡ ଉପରେ ଅନିଶ୍ଚିତତା:
IT ସଂସ୍ଥାଗୁଡ଼ିକ ମାଧ୍ୟମରେ ଗ୍ରୀନ୍ କାର୍ଡ ପାଇବାକୁ ଆଶା ରଖିଥିବା ଭାରତୀୟ ଆବେଦନକାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ପୂର୍ବରୁ ଅନୁମୋଦିତ ଗ୍ରୀନ୍ କାର୍ଡ ସୁରକ୍ଷିତ:
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁମାନଙ୍କର ଗ୍ରୀନ୍ କାର୍ଡ ଆବେଦନ ପୂର୍ବରୁ ଅନୁମୋଦନ ହୋଇସାରିଛି, ସେଗୁଡ଼ିକ ସ୍ୱୟଂଚାଳିତ ଭାବେ ବାତିଲ ହେବ ନାହିଁ। ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ IT ସେକ୍ଟର ଏବଂ ଆମେରିକାରେ କାର୍ଯ୍ୟରତ ଭାରତୀୟ ଆବେଦନକାରୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି |
