Margaret Hamilton:ଆପୋଲୋ-୧୧ ମିଶନ୍ର ସଫ୍ଟୱେର୍ ନିର୍ମାତା ହାମିଲଟନ୍ଙ୍କ ପରଲୋକ
ମଣିଷର ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଘଟଣା ସହିତ ଜଣେ ମହିଳାଙ୍କ କୋଡିଂ କାର୍ଯ୍ୟ ମଧ୍ୟ ଜଡ଼ିତ ଥିଲା। 'ଆପୋଲୋ-୧୧' ମିଶନ୍ ସମୟରେ ଯେତେବେଳେ କମ୍ପ୍ୟୁଟର ଏକ ଆଲାର୍ମ ବଜାଇଥିଲା, ସେତେବେଳେ ତାଙ୍କ ଦ୍ୱାରା ପ୍ରସ୍ତୁତ ସଫ୍ଟୱେର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଐତିହାସିକ ମିଶନ୍ ପଛର ସଫ୍ଟୱେର୍ କ୍ଷେତ୍ରର ବିନ୍ଧାଣି ମାର୍ଗାରେଟ୍ ହାମିଲଟନ୍ଙ୍କର ପରଲୋକ ଘଟିଛି।
ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦଥାପିବା ପଛରେ ଥିଲା ଜଣେ ମହିଳାଙ୍କର ଅବଦାନ | ଯେତେବେଳେ ଆମେରିକାର 'ଆପୋଲୋ ୧୧' (Apollo 11) ମିଶନ୍ ମାଧ୍ୟମରେ ଚନ୍ଦ୍ରରେ ପହଞ୍ଚିଥିଲା, ସେତେବେଳେ ଏହି ସଫ୍ଟୱେରର ସଫଳତା ପଛରେ ଥିଲା ତାଙ୍କ କୋଡିଂ | ତାଙ୍କ ନାମ ଥିଲା ମାର୍ଗାରେଟ୍ ହାମିଲଟନ୍। ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ନେଇଯାଇଥିବା ସେହି ମିଶନ୍ ପାଇଁ ସଫ୍ଟୱେର୍ ପ୍ରସ୍ତୁତ କରିଥିବା ଦଳର ସେ ନେତୃତ୍ୱ ନେଇଥିଲେ। ମାର୍ଗାରେଟ୍ ହାମିଲଟନ୍ ୯୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ୭ ଅକ୍ଟୋବର ୨୦୨୬ରେ ତାଙ୍କ ମୃତ୍ୟୁ ଖବର ଘୋଷଣା କରିଥିଲା | ସେ ୩୦ ସେପ୍ଟେମ୍ବରରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ମାର୍ଗାରେଟ୍ ହାମିଲ୍ଟନ୍ ଏକ MIT ଲ୍ୟାବରେ ପ୍ରୋଗ୍ରାମିଂ ଶିଖିଥିଲେ। ପ୍ରାରମ୍ଭରେ, ସେ ଏପରି ସଫ୍ଟୱେର୍ ଉପରେ କାମ କରିଥିଲେ ଯାହା ଶତ୍ରୁ ବିମାନକୁ ଚିହ୍ନଟ କରିବାରେ ସାହାଯ୍ୟ କରେ। ପରେ, ଯେତେବେଳେ MIT କୁ NASAର ଆପୋଲୋ ମିଶନ୍ ପାଇଁ ମହାକାଶଯାନ ସଫ୍ଟୱେର୍ ବିକାଶ କରିବାର ଦାୟିତ୍ୱ ଦିଆଗଲା, ମାର୍ଗାରେଟ୍ ମଧ୍ୟ ଏହି ପ୍ରକଳ୍ପରେ ଯୋଗ ଦେଇଥିଲେ। ଚନ୍ଦ୍ରରେ ଅବତରଣର କିଛି ମୁହୂର୍ତ୍ତ ପୂର୍ବରୁ ମହାକାଶଯାନର କମ୍ପ୍ୟୁଟରରେ ୧୨୦୨ ଆଲାର୍ମ ବାଜିଥିଲା। ରାଡାର୍ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ କମ୍ପ୍ୟୁଟର ଉପରେ ଅତିରିକ୍ତ ଚାପ ପଡ଼ିଥିଲା। ଏଭଳି ସ୍ଥିତିରେ ମିଶନ୍ ବିଫଳ ହେବାର ଆଶଙ୍କା ଥିଲା। କିନ୍ତୁ ହାମିଲଟନ୍ଙ୍କ ଟିମ୍ ପ୍ରସ୍ତୁତ କରିଥିବା ସଫ୍ଟୱେର୍ ଅନାବଶ୍ୟକ କାର୍ଯ୍ୟକୁ ପଛରେ ରଖି ଜରୁରୀ ନିର୍ଦ୍ଦେଶକୁ ପ୍ରାଥମିକତା ଦେଇଥିଲା। ଫଳରେ ଅବତରଣ ପ୍ରକ୍ରିୟା ଜାରି ରହିପାରିଥିଲା।
ମାର୍ଗାରେଟ୍ ସେହି ସମୟରେ କମ୍ପ୍ୟୁଟର ପ୍ରୋଗ୍ରାମିଂ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଯେତେବେଳେ ସଫ୍ଟୱେର୍ ଇଞ୍ଜିନିୟରିଂ ଆଜି ଭଳି ସ୍ୱୀକୃତି ଲାଭ କରିନଥିଲା। ନାସା (NASA)ର ଆପୋଲୋ ମିଶନ୍ ପାଇଁ ସଫ୍ଟୱେର୍ ବିକାଶ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ହିଁ "ସଫ୍ଟୱେର୍ ଇଞ୍ଜିନିୟର" ଶବ୍ଦର ପ୍ରଚଳନ କରିଥିଲେ। ୨୦୧୬ ମସିହାରେ, ତାଙ୍କର ଅବଦାନ ପାଇଁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ 'ପ୍ରେସିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍' ସମ୍ମାନରେ ସମ୍ମାନିତ କରିଥିଲେ। ମହାକାଶ ବିଜ୍ଞାନ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମିଂର ଇତିହାସରେ ମାର୍ଗାରେଟ୍ଙ୍କ କାର୍ଯ୍ୟ ସବୁବେଳେ ପ୍ରଶଂସନୀୟ ହୋଇ ରହିବ। ସେ ପ୍ରମାଣ କରିଥିଲେ ଯେ ଚନ୍ଦ୍ରକୁ ମଣିଷ ପଠାଇବା କେବଳ ରକେଟ୍ ଓ ମହାକାଶଚାରୀଙ୍କ ସହ ଜଡ଼ିତ ନୁହେଁ, ବରଂ ଏହି ଅଭିଯାନ ପାଇଁ ସଫ୍ଟୱେର୍ ପ୍ରସ୍ତୁତ କରିଥିବା ବ୍ୟକ୍ତିମାନଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
