Minor Trafficking:ନାବାଳିକା ଚାଲାଣ ରାକେଟ୍ରେ ବଡ଼ ଆକ୍ସନ, ୧.୪୮ କୋଟି ଟଙ୍କା ଜବତ
ବାହାର ରାଜ୍ୟକୁ ନାବାଳିକାଙ୍କୁ ଚାଲାଣ କରି ଯୌନଶୋଷଣ କରାଯାଉଥିବା ଅଭିଯୋଗରେ ଏକ ରାକେଟ୍ର ପର୍ଦ୍ଦାଫାଶ କରିଛି ଛତିଶଗଡ଼ର ମହାସମୁନ୍ଦ ପୋଲିସ ।

ନାବାଳିକା ଚାଲାଣ ଓ ଯୌନଶୋଷଣ ଅଭିଯୋଗରେ ବଡ଼ ଖୁଲାସା । ବାହାର ରାଜ୍ୟକୁ ନାବାଳିକାଙ୍କୁ ଚାଲାଣ କରି ଯୌନଶୋଷଣ କରାଯାଉଥିବା ଅଭିଯୋଗରେ ଏକ ରାକେଟ୍ର ପର୍ଦ୍ଦାଫାଶ କରିଛି ଛତିଶଗଡ଼ର ମହାସମୁନ୍ଦ ପୋଲିସ । ନୂଆପଡ଼ା ପୋଲିସର ସହାୟତାରେ ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ୫ ଜଣଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଅଞ୍ଚଳର ମୁକେଶ ଚନ୍ଦ୍ରକାର, ଖରିଆରରୋଡ୍ର ନସୀମବାନୁ ଓରଫ ଲତା ପଟେଲ, ଛତିଶଗଡ଼ କୋମାଖାନ ଥାନା ଅଞ୍ଚଳର ମନୀଷ ଗୁପ୍ତା, ପିତୋରା ଅଞ୍ଚଳର ପିୟୁଷ ଅଗ୍ରୱାଲ ଏବଂ ନନ୍ଦକିଶୋର ମହାନ୍ତି । ଏମାନଙ୍କ ମଧ୍ୟରୁ ମୁକେଶ ଚନ୍ଦ୍ରକାରଙ୍କୁ ଏହି ରାକେଟ୍ର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ପୋଲିସ କହିଛି ।ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ନଗଦ ୧ କୋଟି ୪୮ ଲକ୍ଷ ୫୪ ହଜାର ୭୫୦ ଟଙ୍କା ଜବତ କରାଯାଇଛି । ଏହା ସହ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ପାସବୁକ୍ ଓ ବିଭିନ୍ନ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି ।ସୂଚନା ଅନୁସାରେ, ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଖଲ୍ଲାରୀ ଥାନାରେ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ମହାସମୁନ୍ଦ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତ ବେଳେ ନୂଆପଡ଼ା ସମେତ ଛତିଶଗଡ଼ର ପ୍ରାୟ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇ ରାକେଟ୍ର ତଥ୍ୟ ସାମ୍ନାକୁ ଆସିଥିବା ପୋଲିସ କହିଛି ।ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ରାକେଟ୍ ସହ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ଏବଂ ନାବାଳିକାମାନଙ୍କୁ କେଉଁ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେନେଇ ପୋଲିସ ଖୋଳତାଡ଼ କରୁଛି ।
