ଡ୍ୟୁଟି ସାରି ଘରକୁ ଫେରୁଥିବା ଜେଲ୍ ୱାର୍ଡେନଙ୍କ ଉପରେ ମରଣାନ୍ତକ ଆକ୍ରମଣ |
ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବାଲିବାଡ଼ ମାନତ୍ରି ରାସ୍ତାରେ ତିନି ଜଣ ମୁଖାପିନ୍ଧା ଅଜଣା ଅପରାଧୀ ଏକ ମୋଟରସାଇକେଲରେ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଭୁଜାଲିରେ ଆକ୍ରମଣ କରିଥିଲେ।

ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ କେଶରୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ସୋରୋ ସବ-ଜେଲ୍ ୱାର୍ଡେନ୍ ସୁରେନ୍ଦ୍ର ସାମଲଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପୋଲିସ ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୬ ତାରିଖ ଅପରାହ୍ନ ପ୍ରାୟ ୨:୨୦ ସମୟରେ ସୁରେନ୍ଦ୍ର ସାମଲ ବାଇକ୍ ଯୋଗେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବାଲିବାଡ଼ ମାନତ୍ରି ରାସ୍ତାରେ ତିନି ଜଣ ମୁଖାପିନ୍ଧା ଅଜଣା ଅପରାଧୀ ଏକ ମୋଟରସାଇକେଲରେ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଭୁଜାଲିରେ ଆକ୍ରମଣ କରିଥିଲେ। ସେ ପ୍ରାଣରକ୍ଷା ପାଇଁ ହାତ ଆଗକୁ ବଢ଼ାଇବାରୁ ତାଙ୍କ ବାମ ପାପୁଲି ଏବଂ ଡାହାଣ ଗୋଡ଼ରେ ଗଭୀର ରକ୍ତାକ୍ତ ଆଘାତ ଲାଗିଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଦୌଡ଼ିଆସିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଆକ୍ରମଣ ପରେ ସାମଲଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଥିଲା | ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ଏହି ମାମଲାରେ ସୂଚନାଦାତା ତଥା ଆହତଙ୍କ ପତ୍ନୀ କମଳା ସାମଲଙ୍କ ଅଭିଯୋଗକୁ ଭିତ୍ତିକରି ସୋରୋ ପୋଲିସ ପକ୍ଷରୁ ବିଏନ୍ଏସ୍ (BNS) ଆଇନର ବିଭିନ୍ନଧାରା ଅଧୀନରେ କେସ୍ ନମ୍ବର ୬୪୨/୨୦୨୬ ରୁଜୁ କରାଯାଇଛି । ପୋଲିସ ତଦନ୍ତ କରି ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତେଲେଙ୍ଗା କଟୁରୀ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏହି ହତ୍ୟା ଉଦ୍ଧେଶ୍ୟ କରାଯାଇଥିବା ଆକ୍ରମଣ ପଛର ପରିସ୍ଥିତି ଏବଂ ଉଦ୍ଧେଶ୍ୟ ଜାଣିବାରେ ସହାୟତ କରିବ ବୋଲି ଆଶା କରୁଛି ପୋଲିସ | ପୂର୍ବରୁ ସନ୍ଦେହ କରଯାଉଥିଲା ଯେ, ଜେଲରେ ଥିବା କିଛି ଅପରାଧୀ ନିର୍ଦ୍ଧେଶରେ ଏହି ଆକ୍ରମଣ କରାଯାଇଥାଇପାରେ |
