ପ୍ରେମିକାଙ୍କ ଜନ୍ମଦିନରେ iPhone ଗିଫ୍ଟ ଦେବାକୁ ଯାଇ ଗଞ୍ଜେଇ ବେପାରୀ ହେଲେ ପ୍ରେମିକ!
ପ୍ରେମିକାଙ୍କ ଜନ୍ମଦିନରେ ଦାମୀ iPhone ଉପହାର ଦେବାର ଇଚ୍ଛା। କିନ୍ତୁ ପକେଟରେ ଟଙ୍କା ନଥିଲା। ଶେଷରେ ଟଙ୍କା ରୋଜଗାର ପାଇଁ ବେଆଇନ ରାସ୍ତା ବାଛି ଗଞ୍ଜେଇ ଚାଲାଣ କରିବାକୁ ଯାଇ ପୋଲିସ ହାତରେ ଧରାପଡ଼ିଲେ ଜଣେ ଯୁବକ। ଏହି ଘଟଣାରେ ଯୁବକଙ୍କ ସହ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ଗିରଫ କରିଛି ଖମ୍ମମ ପୋଲିସ।

ପ୍ରେମିକାଙ୍କ ଜନ୍ମଦିନରେ ଦାମୀ iPhone ଉପହାର ଦେବାର ଇଚ୍ଛା। କିନ୍ତୁ ପକେଟରେ ଟଙ୍କା ନଥିଲା। ଶେଷରେ ଟଙ୍କା ରୋଜଗାର ପାଇଁ ବେଆଇନ ରାସ୍ତା ବାଛି ଗଞ୍ଜେଇ ଚାଲାଣ କରିବାକୁ ଯାଇ ପୋଲିସ ହାତରେ ଧରାପଡ଼ିଲେ ଜଣେ ଯୁବକ। ଏହି ଘଟଣାରେ ଯୁବକଙ୍କ ସହ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ଗିରଫ କରିଛି ଖମ୍ମମ ପୋଲିସ। ପୋଲିସର ସୂଚନା ଅନୁସାରେ, ଗିରଫ ଯୁବକ ହେଉଛନ୍ତି ୨୧ ବର୍ଷୀୟ ମିଥ୍ରା ଚୈତନ୍ୟ ଏବଂ ତାଙ୍କ ପ୍ରେମିକା ୨୦ ବର୍ଷୀୟ ହେମଲତା। ଉଭୟେ ତେଲେଙ୍ଗାନାର ପେଦ୍ଦାପଲ୍ଲୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଉଭୟେ ଓଡ଼ିଶାକୁ ଯାଇ ପ୍ରାୟ ୧୨ କିଲୋ ଶୁଖିଲା ଗଞ୍ଜେଇ ପ୍ରାୟ ୧୬ ହଜାର ଟଙ୍କାରେ କିଣିଥିଲେ। ପରେ ବାଇକ୍ରେ ଗଞ୍ଜେଇ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ। ସେଠାରେ ଏହାକୁ ପ୍ରାୟ ୬ ଲକ୍ଷ ଟଙ୍କାରେ ବିକ୍ରି କରିବା ଯୋଜନା ଥିବା ପୋଲିସ କହିଛି। ଖମ୍ମମ ଜିଲ୍ଲାର ୱାୟରା ଅଞ୍ଚଳରେ ପୋଲିସ ଓ ଇଗଲ୍ ଫୋର୍ସ ଟିମ୍ ଗାଡ଼ି ଯାଞ୍ଚ କରୁଥିବା ବେଳେ ଚୈତନ୍ୟ ଓ ହେମଲତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଚୈତନ୍ୟ ଗାଡ଼ିର ବେଗ ବଢ଼ାଇ ଖସିଯିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପୋଲିସ ପିଛା କରିବା ବେଳେ ଗାଡ଼ି ଅସନ୍ତୁଳିତ ହୋଇ ଦୁର୍ଘଟଣା ଘଟିଥିଲା। ପରେ ୱାୟରା ପୋଲିସ ଉଭୟଙ୍କୁ ଗିରଫ କରି ତଲାସୀ କରିଥିଲା।

ସେମାନଙ୍କ ନିକଟରୁ ୧୨ କିଲୋ ଗଞ୍ଜେଇ, ଗୋଟିଏ ଗାଡ଼ି ଏବଂ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୋଲିସ କହିଛି। ପଚରାଉଚରା ବେଳେ ଚୈତନ୍ୟ ତାଙ୍କ ପ୍ରେମିକାଙ୍କ ଜନ୍ମଦିନରେ iPhone ଉପହାର ଦେବାକୁ ଚାହୁଁଥିବା କଥା କହିଥିବା ପୋଲିସ ଦାବି କରିଛି। ଏଥିପାଇଁ ଟଙ୍କା ଯୋଗାଡ଼ କରିବାକୁ ସେ ଗଞ୍ଜେଇ ଚାଲାଣରେ ସାମିଲ ହୋଇଥିବା ଜଣାପଡ଼ିଛି। ତଦନ୍ତ ବେଳେ ଚୈତନ୍ୟଙ୍କ ବିରୋଧରେ ପୂର୍ବରୁ ମଧ୍ୟ NDPS ଆଇନ ଅଧୀନରେ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ପେଦ୍ଦାପଲ୍ଲୀ, ଉପ୍ପଲ ଓ ମେଡଚାଲ ଅଞ୍ଚଳରେ ତାଙ୍କ ବିରୋଧରେ ମାମଲା ରହିଥିବା ଦାବି କରିଛି ପୋଲିସ। ଏହି ଗଞ୍ଜେଇ ଚାଲାଣ ନେଟୱର୍କରେ ଓଡ଼ିଶାର ଭଗବାନ ହନ୍ତାଲ ଏବଂ ହାଇଦ୍ରାବାଦର ରାଶି ଓ ନାଗୁର ଜଡ଼ିତ ଥିବା ପୋଲିସ କହିଛି। ଏମାନଙ୍କୁ ମାମଲାରେ ୱାଣ୍ଟେଡ୍ ଘୋଷଣା କରାଯାଇ ସନ୍ଧାନ ଜାରି ରହିଛି।
