ପ୍ରେମ ବିବାହର ଭୟଙ୍କର ପରିଣତି: ଭଉଣୀର ସ୍ୱାମୀଙ୍କୁ ହତ୍ୟା, ଜଣେ ଶଳା ଗିରଫ
ସମ୍ମାନ ପାଇଁ ହତ୍ୟା କରିଛି ଭାଇ ନିଜ ଭଉଣୀର ସ୍ୱାମୀକୁ | ଶୁଣିଲେ ଆଶ୍ଚଯ୍ୟ ଲାଗେ ବରଂ ସତ | ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି | ଏହି ହତ୍ୟାକାଣ୍ଡ ପଞ୍ଜାବର ତରନତାରଣା ଜିଲ୍ଲାର ବସଷ୍ଟାଣ୍ଡ ବାହାରେ ହୋଇଥିଲା |

ତରନତାରନ, ପଞ୍ଜାବ: ପ୍ରେମ ବିବାହକୁ ପରିବାରର ବିରୋଧ। ଆଉ ଏହାର ପରିଣତି ହେଲା ଭୟଙ୍କର ହତ୍ୟାକାଣ୍ଡ। ପଞ୍ଜାବର ତରନତାରନ ଜିଲ୍ଲାରେ ନିଜ ଭଉଣୀର ସ୍ୱାମୀଙ୍କୁ ଦୁଇ ଭାଇ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତରନତାରନ ବସଷ୍ଟାଣ୍ଡ ବାହାରେ ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ମୃତକଙ୍କ ପରିଚୟ ଜଗଜୀତ ସିଂହ ବୋଲି ହୋଇଛି। ପୋଲିସ ଅନୁସାରେ, ଜଗଜୀତ ପ୍ରାୟ ଏକ ମାସ ପୂର୍ବରୁ ଅଭିଯୁକ୍ତଙ୍କ ଭଉଣୀଙ୍କ ସହ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଝିଅର ପରିବାର ମଞ୍ଜୁର କରିନଥିବାରୁ ଦୁଇ ପରିବାର ମଧ୍ୟରେ ବିବାଦ ଥିବା ପୋଲିସ କହିଛି। ଘଟଣା ଦିନ ଜଗଜୀତଙ୍କ ଶାଶୂ ତାଙ୍କୁ ବସଷ୍ଟାଣ୍ଡକୁ ଡାକିଥିବା ଅଭିଯୋଗ ହୋଇଛି। ଶାଶୂଙ୍କୁ ଘରକୁ ନେବା ପାଇଁ ଜଗଜୀତ ବଜାରରୁ ଥଣ୍ଡା ପାନୀୟ ଓ ସ୍ନାକ୍ସ ନେଇ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ତାଙ୍କ ଦୁଇ ଶଳା ଯଶପ୍ରୀତ ସିଂହ ଓ ହରପ୍ରୀତ ସିଂହ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। ଜଗଜୀତ ପହଞ୍ଚିବା ପରେ ଦୁହେଁ ତାଙ୍କୁ ଘେରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଗଜୀତଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। କିଛି ରିପୋର୍ଟରେ ତାଙ୍କ ଶରୀରରେ ୬୦ରୁ ଅଧିକ ଆଘାତ ଲାଗିଥିବା ଦାବି କରାଯାଇଛି। ଆଉ କେତେକ ରିପୋର୍ଟରେ ୩୭ ସେକେଣ୍ଡରେ ୮୩ ଥର ଛୁରୀରେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଏହି ୮୩ ଥର ଆକ୍ରମଣର ଦାବି ସ୍ୱତନ୍ତ୍ର ଭାବେ ନିଶ୍ଚିତ ହୋଇନାହିଁ। ଘଟଣା ସମୟରେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ, ଜଣେ ପଥଚାରୀ ଗୁରବିନ୍ଦର ସିଂହ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ମଧ୍ୟ ଆହତ ହୋଇଥିଲେ। ଘଟଣା ପରେ ପୋଲିସ ଜଣେ ଅଭିଯୁକ୍ତ ଯଶପ୍ରୀତ ସିଂହଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ହରପ୍ରୀତ ସିଂହ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ ଓ ୩(୫) ଅନୁଯାୟୀ କେସ୍ ରୁଜୁ ହୋଇଛି।
ପୋଲିସ ଏହି ଘଟଣାକୁ ପ୍ରେମ ବିବାହକୁ କେନ୍ଦ୍ରକରି ହୋଇଥିବା ସମ୍ଭାବ୍ୟ ପ୍ରତିଶୋଧମୂଳକ ହତ୍ୟା ଭାବେ ତଦନ୍ତ କରୁଛି। ହତ୍ୟା ପଛରେ ଆଉ କିଏ ସାମିଲ ଅଛନ୍ତି କି, ଏହା ପୂର୍ବ ଯୋଜନା ଥିଲା କି ନାହିଁ—ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।
