Mutton Meal: ମଟନ୍ ଥାଳିରେ ଗୋମାଂସ ଅଭିଯୋଗ
ଜଗତପୁରର ଏକ ହୋଟେଲରେ ମଟନ୍ ମିଲ୍ରେ ଗୋମାଂସ ମିଶାଇ ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ।ସନ୍ଦେହଜନକ ହାଡ଼କୁ ପୁଲିସ୍ ଜବତ କରି ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଇଛି।
ମଟନ୍ ଥାଳିରୁ ମିଳିଲା ସନ୍ଦେହଜନକ ହାଡ଼ | କଟକ ଜିଲ୍ଲା ଜଗତପୁର ଖଣ୍ଢେଇ(ସଂଗ୍ରାମ )ହୋଟେଲରେ ମଟନ୍ ମିଲ୍ରେ ଗୋମାଂସ ମିଶାଇ ଖାଇବାକୁ ଦିଆଯାଉଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଏହି ଅଭିଯୋଗକୁ ନେଇ ହୋଟେଲରେ ଦେଖାଦେଇଥିଲା ଚାପା ଉତ୍ତେଜନା | ସୂଚନା ଅନୁସାରେ, ସାଲେପୁର ବ୍ଲକ୍ ପାଟପୁର ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଛୋଟ ପିଲାଙ୍କ ସହ ଏହି ହୋଟେଲକୁ ମଟନ୍ ମିଲ୍ ଖାଇବାକୁ ଆସିଥିଲେ | ଖାଇବା ସମୟରେ ତାଙ୍କ ଥାଳିରେ ଏକ ବଡ଼ ହାଡ଼ ପଡ଼ିଥିବା ଦେଖି ସେ ସନ୍ଦେହ ପ୍ରକାଶ କରିଥିଲେ । ହାଡ଼ଟି ମଟନ୍ ବା ଛେଳି ମାଂସର ନୁହେଁ ବୋଲି ସନ୍ଦେହ କରି ସେ ହୋଟେଲ କର୍ମଚାରୀଙ୍କୁ ଜଣାଇବା ସହ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ଜଗତପୁର ପୁଲିସ୍ ସହ ଜୋନ୍-୧ ଏସିପି ଅରୁଣ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ସନ୍ଦେହଜନକ ହାଡ଼ଟିକୁ ଜବତ କରି ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଇଥିବା ସୂଚନା ମିଳିଛି । ତେବେ ପ୍ରକୃତରେ ହାଡ଼ଟି କେଉଁ ପଶୁର, ତାହା ଫରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ଏସିପି ଅରୁଣ ସ୍ୱାଇଁ କହିଛନ୍ତି, ଯଦି ପରୀକ୍ଷାରେ ହାଡ଼ଟି ଗୋମାଂସର ବୋଲି ପ୍ରମାଣିତ ହୁଏ, ତେବେ ହୋଟେଲ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
