Nuapada Canal: କେନାଲ ଭାଙ୍ଗିଲା, ଚାଷଜମି ବାଲିଚର
ନୂଆପଡ଼ା ଖଡ଼ିଆଳ ନରସିଂହପୁରରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶାଖା କେନାଲ ଭାଙ୍ଗି ଚାଷଜମି ବାଲିଚର। ନଷ୍ଟ ହେଲା ଧାନଫସଲ, କ୍ଷତିପୂରଣ ଦାବି କଲେ ଚାଷୀ।
ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନରସିଂହପୁର ନିକଟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶାଖା କେନାଲ ଭାଙ୍ଗିଯିବାରୁ ଚାଷଜମିରେ କେନାଲ ପାଣି ମାଡ଼ିଯାଇ ଧାନଫସଲ ନଷ୍ଟ ହେବା ସହ ଅନେକ ଜମି ବାଲିଚର ହୋଇଯାଇଛି। ଏହାକୁ ନେଇ ନରସିଂହପୁର ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି। ନରସିଂହପୁରରୁ ରିଷିଗାଁ ଦେଇ ତୁକଲାକୁ ଯାଇଥିବା ଶାଖା କେନାଲ ଗାଁ ନିକଟରେ ଭାଙ୍ଗିଯିବାରୁ ଏହି ସମସ୍ୟା ଉପୁଜିଛି। ଅନେକ ଚାଷୀ ଧାରଉଧାର ଓ ବ୍ୟାଙ୍କ ଋଣ କରି ଚାଷ କରିଥିବା ବେଳେ ଫସଲ ନଷ୍ଟ ହେବାରୁ ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି।
କେନାଲ ଭାଙ୍ଗିବାର ଦୁଇ ଦିନ ବିତିଥିଲେ ମଧ୍ୟ ଜଳସେଚନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରାଜସ୍ୱ ବିଭାଗର ଆରଆଇ କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରି କ୍ଷତିପୂରଣ ନେଇ ଆଶ୍ୱାସନ ଦେଇଛନ୍ତି। ତେବେ ଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
