Assembly Monsoon Session: ଶୋକପ୍ରସ୍ତାବରୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ
ବିଧାନସଭାରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମର୍ଥନ କଲେ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧୀ ଦଳର ନେତା ।

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ୧୧ଟାରୁ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଗୃହରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ଓ ଜାତୀୟ ସଙ୍ଗୀତ ଗାନରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଅଧିବେଶନ ଆରମ୍ଭରୁ ଗୃହରେ ଶୋକ ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିବଂଗତ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ଗୃହରେ ଶୋକ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂହ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟ ଭୂଷଣ ସାହୁ, ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗୋ, ସ୍ୱର୍ଗତ ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ସ୍ୱର୍ଗତ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣାଯାଇଛି। ସେହିପରି ନେପାଳରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏହା ସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ସହିତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ, ସରକାରଙ୍କ ବିଭିନ୍ନ ନୀତି ଓ ପଦକ୍ଷେପକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବାକୁ ପ୍ରସ୍ତୁତ ଥିବାବେଳେ ଶାସକ ଦଳ ମଧ୍ୟ ନିଜ ପକ୍ଷ ରଖିବ।

