Odisha DGP Appointment:ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ମାମଲା- ଆସିବ ରାୟ
ଓଡ଼ିଶା ସରକାର ପ୍ରଥମେ UPSCକୁ ତିନିଜଣ ଯୋଗ୍ୟ କ୍ୟାଡର୍ IPS ଅଧିକାରୀଙ୍କ ତାଲିକା ପଠାଇଥିଲେ। ପରେ ସରକାର ଅତିରିକ୍ତ DGP ପାହ୍ୟାର ଦୁଇ ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇ ଚୟନ ପାଇଁ ଅଧିକ ବଡ଼ ପୁଲ୍ ସୃଷ୍ଟି କରିଥିଲେ। ପରେ UPSCକୁ ୮ ଜଣଙ୍କ ନାମ ପଠାଯାଇଥିବା ନେଇ ବିବାଦ ହୋଇଥିଲା। ବରିଷ୍ଠ ଆଇପିଏସ ସୁଶାନ୍ତ କୁମାର ନାଥଙ୍କ ନାଁକୁ ନେଇ ଉଠିଥିଲା ପ୍ରଶ୍ନ।

ଓଡ଼ିଶାର ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଆଜି ଆସିବାର ଥିଲା ରାୟ। ସୁପ୍ରିମକୋର୍ଟ ଗଲା ମାସ ୨୯ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ରାଜ୍ୟ DGP ଚୟନ ପାଇଁ UPSC ଦ୍ୱାରା ଯୋଗ୍ୟ ଅଧିକାରୀଙ୍କ ପ୍ୟାନେଲ୍ ପ୍ରସ୍ତୁତ ହେବା କଥା। ଏହି ପ୍ୟାନେଲରେ ସେବା ଅବଧି, ଭଲ ସର୍ଭିସ୍ ରେକର୍ଡ ଓ ପୋଲିସ ବଳର ନେତୃତ୍ୱ ଅଭିଜ୍ଞତାକୁ ବିଚାର କରାଯାଏ। ଚୟନ ହୋଇଥିବା DGPଙ୍କୁ ସାଧାରଣତଃ ଅତି କମରେ ୨ ବର୍ଷର କାର୍ଯ୍ୟକାଳ ଦେବାର ନିର୍ଦ୍ଦେଶ ମଧ୍ୟ ରହିଛି। ଓଡ଼ିଶା ସରକାର ପ୍ରଥମେ UPSCକୁ ତିନିଜଣ ଯୋଗ୍ୟ କ୍ୟାଡର୍ IPS ଅଧିକାରୀଙ୍କ ତାଲିକା ପଠାଇଥିଲେ। ପରେ ସରକାର ଅତିରିକ୍ତ DGP ପାହ୍ୟାର ଦୁଇ ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇ ଚୟନ ପାଇଁ ଅଧିକ ବଡ଼ ପୁଲ୍ ସୃଷ୍ଟି କରିଥିଲେ। ପରେ UPSCକୁ ୮ ଜଣଙ୍କ ନାମ ପଠାଯାଇଥିବା ନେଇ ବିବାଦ ହୋଇଥିଲା। ବରିଷ୍ଠ ଆଇପିଏସ ସୁଶାନ୍ତ କୁମାର ନାଥଙ୍କ ନାଁକୁ ନେଇ ଉଠିଥିଲା ପ୍ରଶ୍ନ। ତାଙ୍କୁ Integrity Certificate ପ୍ରଥମେ ଦିଆଯାଇଥିଲା, ପରେ ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ପ୍ରଶ୍ନ ଉଠିଥିଲା। CBIର ଏକ ମାମଲା ସହ ଏହି ପ୍ରସଙ୍ଗ ଜଡ଼ିତ ଥିବା ନେଇ ମଧ୍ୟ ଶୁଣାଣି ସମୟରେ ଆଲୋଚନା ହୋଇଥିଲା। ତେବେ ନାଥଙ୍କୁ ଉକ୍ତ FIRରେ ଅଭିଯୁକ୍ତ କରାଯାଇନଥିବା ତାଙ୍କ ପକ୍ଷର ଓକିଲ କହିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନଜର ରହିଛି। ଏହି ରାୟ ଓଡ଼ିଶାର DGP ନିଯୁକ୍ତି ପ୍ରକ୍ରିୟା ସହିତ ଭବିଷ୍ୟତରେ ରାଜ୍ୟଗୁଡ଼ିକ କିପରି DGP ଚୟନ କରିବେ, ସେଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ କୋର୍ଟର ମୁଖ୍ୟ ପ୍ରଶ୍ନ ଥିଲା-ଯେତେବେଳେ UPSC ପୂର୍ବରୁ ପ୍ରକାଶ ସିଂହ ନିର୍ଦ୍ଦେଶ ଅନୁସାରେ ତିନିଜଣ ଯୋଗ୍ୟ କ୍ୟାଡର୍ ଅଧିକାରୀଙ୍କୁ ବିଚାର କରିଥିଲା, ସେତେବେଳେ ଏକ୍ସ-କ୍ୟାଡର୍ DGP ପଦ ସୃଷ୍ଟି କରି ଅଧିକ ଅଧିକାରୀଙ୍କୁ କାହିଁକି ଚୟନ ପ୍ରକ୍ରିୟାରେ ଯୋଡ଼ାଗଲା? ସୁପ୍ରିମକୋର୍ଟ ଏହା ମଧ୍ୟ ଯାଞ୍ଚ କରୁଛନ୍ତି ଯେ ଓଡ଼ିଶାର DGP ଚୟନ ପ୍ରକ୍ରିୟା ପ୍ରକାଶ ସିଂହ ରାୟର ନିର୍ଦ୍ଦେଶ ଅନୁସାରେ ସ୍ୱଚ୍ଛ ଓ ନିୟମସମ୍ମତ ଭାବେ ହୋଇଛି କି ନାହିଁ। ସେଥିଲାଗି ରାୟ ପ୍ରକାଶ ପାଇବା ପୂର୍ବରୁ ସମାନ ମାମଲା ଝାଡ଼ଖଣ୍ଡରୁ ଆସିଥିବାରୁ ଏହାର ବିଚାର କରିବାକୁ ଉଚିତ ମଣିଥିଲେ ସର୍ବୋଚ୍ଚ ଅଦାଲତ। ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ପୋଲିସ ସଂସ୍କାର ସମ୍ପର୍କରେ କିଛି ନିର୍ଦ୍ଦେଶ ଦେଇଥିଲେ। ଏହା ଅନୁସାରେ ରାଜ୍ୟ ସରକାର ସିଧାସଳଖ ଭାବେ ନିଜ ପସନ୍ଦର ଅଧିକାରୀଙ୍କୁ DGP ଭାବେ ନିଯୁକ୍ତ କରିବା ପରିବର୍ତ୍ତେ UPSC ଦ୍ୱାରା ଚୟନ ହୋଇଥିବା ଯୋଗ୍ୟ ଅଧିକାରୀଙ୍କ ପ୍ୟାନେଲରୁ DGP ଚୟନ କରିବାକୁ ପଡ଼ିବ।ସାଧାରଣତଃ UPSC ଦ୍ୱାରା ଯୋଗ୍ୟ ଅଧିକାରୀଙ୍କ ଏକ ପ୍ୟାନେଲ ପ୍ରସ୍ତୁତ ହୁଏ। ଏଥିରେ ଅଧିକାରୀଙ୍କ ସେବା ରେକର୍ଡ, ବରିଷ୍ଠତା ଓ ଅଭିଜ୍ଞତା ଭଳି ବିଷୟକୁ ବିଚାର କରାଯାଏ। ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା DGP ନିଯୁକ୍ତି ପାଇଁ ପ୍ରସ୍ତୁତ ନୂଆ ନିୟମ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ‘ପ୍ରକାଶ ସିଂହ’ ରାୟ ସହ ସମନ୍ୱୟରେ ଅଛି କି ନାହିଁ, ସେନେଇ କୋର୍ଟ ପ୍ରଶ୍ନ କରିଛନ୍ତି।ଏହି ମାମଲାରେ କେନ୍ଦ୍ର ସରକାର ଝାଡ଼ଖଣ୍ଡର ୨୦୨୫ ମସିହାର DGP ନିଯୁକ୍ତି ନିୟମ ଏବଂ ଅନୁରାଗ ଗୁପ୍ତା ଓ ତଦାଶା ମିଶ୍ରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛି।
ଝାଡ଼ଖଣ୍ଡ ମାମଲାରେ ବିବାଦ କ’ଣ?
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ଝାଡ଼ଖଣ୍ଡ ସରକାର ୨୦୨୫ରେ DGP ନିଯୁକ୍ତି ସମ୍ପର୍କରେ ଏପରି ନିୟମ ଆଣିଛନ୍ତି, ଯାହା ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସହ ବିରୋଧାଭାସ ସୃଷ୍ଟି କରୁଛି। କେନ୍ଦ୍ରର ଆବେଦନ ଅନୁସାରେ, ତଦାଶା ମିଶ୍ରଙ୍କୁ ୩୦ ଡିସେମ୍ୱର ୨୦୨୫ରେ DGP ଭାବେ ନିଯୁକ୍ତ କରାଯାଇଥିଲା, ଯେତେବେଳେ ତାଙ୍କ ଅବସର ତାରିଖ ଖୁବ ନିକଟରେ ଥିଲା। ଏହି ନିଯୁକ୍ତି ପାଇଁ ଝାଡ଼ଖଣ୍ଡର ନୂଆ ନିୟମକୁ ଆଧାର କରାଯାଇଥିବା କେନ୍ଦ୍ରର ଅଭିଯୋଗ। ମାମଲାର ଶୁଣାଣି ସମୟରେ ଝାଡ଼ଖଣ୍ଡ ସରକାର ନିଜ DGP ନିଯୁକ୍ତି ନିୟମକୁ ପୁନର୍ବିଚାର କରିବାକୁ ପ୍ରସ୍ତୁତ ଥିବା କଥା କୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ତଦାଶା ମିଶ୍ରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। କାରଣ ମାମଲାର ରାୟ ତାଙ୍କ DGP ପଦରେ ରହିବା ଉପରେ ପ୍ରଭାବ ପକାଇପାରେ
‘ପ୍ରକାଶ ସିଂହ’ ରାୟ କାହିଁକି ଗୁରୁତ୍ୱପୂର୍ଣ୍ଣ? - ରାଜ୍ୟ ପୋଲିସ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ କମାଇବା ଏବଂ ପୋଲିସର କାର୍ଯ୍ୟପ୍ରଣାଳୀରେ ସ୍ଥିରତା ଆଣିବା ପାଇଁ ସୁପ୍ରିମକୋର୍ଟ ‘ପ୍ରକାଶ ସିଂହ’ ମାମଲାରେ ଅନେକ ନିର୍ଦ୍ଦେଶ ଦେଇଥିଲେ। DGPଙ୍କୁ ସାଧାରଣତଃ ଅତି କମରେ ଦୁଇ ବର୍ଷର କାର୍ଯ୍ୟକାଳ ଦେବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି। ଏହି ପ୍ରକ୍ରିୟାରେ ଯୋଗ୍ୟ ଅଧିକାରୀଙ୍କ ଚୟନରେ UPSCର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେ ଝାଡ଼ଖଣ୍ଡର DGP ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ରାଜ୍ୟଗୁଡ଼ିକରେ DGP ନିଯୁକ୍ତି ପ୍ରକ୍ରିୟା ଉପରେ ବି ପ୍ରଭାବ ପକାଇପାରେ।
