Kaptipada Hospital : ଅକ୍ସିଜେନ ପାଇପ୍ ଖୋଲୁ ଖୋଲୁ ଜଳିଲା ଆମ୍ବୁଲାନ୍ସ
କପ୍ତିପଦା ଉପଖଣ୍ଡ ଡାକ୍ତରଖାନାରେ ଘରୋଇ ଆମ୍ବୁଲାନ୍ସରେ ନିଆଁ ଲାଗି ବିସ୍ଫୋରଣ। ଏଥିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି |
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଡାକ୍ତରଖାନା ପରିସରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେଫର ହୋଇଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱର ନେବା ସମୟରେ ଏକ ଘରୋଇ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିବା ସହ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଆମ୍ବୁଲାନ୍ସ ଚାଳକଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଡାବାଇ ଗ୍ରାମର ୪୦ବର୍ଷୀୟ ସୁଜଶ ବାରିକ ଅସୁସ୍ଥତା କାରଣରୁ କପ୍ତିପଦା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଚିକିତ୍ସା ଆବଶ୍ୟକ କରୁଥିବାରୁ ତାଙ୍କୁ ଭୁବନେଶ୍ୱରକୁ ରେଫର କରାଯାଇଥିଲା | ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ନିଆଯିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଅକ୍ସିଜେନ ପାଇପ୍ ଖୋଲିବା ପରେ ହଠାତ୍ ଧୂଆଁ ବାହାରିବା ସହ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ଏହାପରେ ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଆମ୍ବୁଲାନ୍ସର ଛାତ ଉଡ଼ିଯାଇ ଡାକ୍ତରଖାନାର ମେଡିସିନ ୱାର୍ଡ ସମ୍ମୁଖରେ ପଡ଼ିଥିଲା । ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ଆତଙ୍କ ଖେଳିଯାଇଥିଲା । ଦୁର୍ଭାଗ୍ୟବଶତଃ, ଏହି ଦୁର୍ଘଟଣାରେ ରୋଗୀ ସୁଜଶ ବାରିକଙ୍କ ମୃତ୍ୟୁ ଘଟିଥିବାବେଳେ ଆମ୍ବୁଲାନ୍ସ ଚାଳକ, ମୃତକଙ୍କ ଭାଇ ଏବଂ ଅନ୍ୟ ତିନିଜଣ ସମ୍ପର୍କୀୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ବିସ୍ଫୋରଣର ପ୍ରକୃତ କାରଣ କ’ଣ ଏବଂ ଅକ୍ସିଜେନ ପାଇପ୍ ଖୋଲିବା ପରେ କିପରି ନିଆଁ ଲାଗିଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
