Puri Khaja Raid:ପୁରୀରେ ୫ ଖଜା ଭାଟି ସିଲ୍
ପାର୍ବଣ ପୂର୍ବରୁ ପ୍ରଶାସନର ବଡ଼ ଆକ୍ସନ୍, ୪ କ୍ୱିଣ୍ଟାଲ ଖଜା ସହ ୮ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ।
ପୁରୀ: ପାର୍ବଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଖଜା ଉପରେ ପ୍ରଶାସନର ବଡ଼ ଧରଣର ଚଢ଼ାଉ। ଶ୍ରୀମନ୍ଦିର ନିକଟ ଦୋଳମଣ୍ଡପ ସାହି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଖଜା ଭାଟି ଉପରେ ଖାଦ୍ୟ ଓ ଯୋଗାଣ ବିଭାଗ ସହ ପୋଲିସର ମିଳିତ ଟିମ୍ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୪ କ୍ୱିଣ୍ଟାଲ ଖଜା, ଚିନି ଶିରା ସହ ୮ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଏଥିସହ ୫ଟି ଖଜା ଭାଟିକୁ ସିଲ୍ କରାଯାଇଥିବା ବେଳେ ୨ଟି ଠେଲା ମଧ୍ୟ ଜବତ କରାଯାଇଛି। ଆଜି ସକାଳୁ ଏହି ମିଳିତ ଚଢ଼ାଉ କରାଯାଇଥିଲା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ବହୁ ସଂଖ୍ୟାରେ ଖଜା କିଣି ଘରକୁ ନେଉଥିବା ବେଳେ, କେତେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଆଧାର କରି ପ୍ରଶାସନ ପକ୍ଷରୁ ଯାଞ୍ଚ ଓ ଚଢ଼ାଉ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଯେପରି ଖେଳ ନ ହୁଏ ଏବଂ ଖାଦ୍ୟରେ ଅପମିଶ୍ରଣକୁ ରୋକାଯାଇପାରିବ, ସେଥିପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରଖିବାକୁ ଦାବି ହୋଇଛି। ପୁରୀ ଭଳି ଏକ ପ୍ରମୁଖ ଧାର୍ମିକ ସହରରେ ଖଜାର ଚାହିଦା ସବୁବେଳେ ଅଧିକ ରହିଥାଏ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଖଜା କିଣି ନେଉଥିବାରୁ ଏହାର ଗୁଣବତ୍ତା ଓ ପ୍ରସ୍ତୁତି ପରିବେଶ ଉପରେ ନିୟମିତ ଯାଞ୍ଚ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଅପମିଶ୍ରଣ ଓ ଅସ୍ୱାସ୍ଥ୍ୟକର ପ୍ରସ୍ତୁତି ନେଇ ଆସୁଥିବା ଅଭିଯୋଗ ଉପରେ ପ୍ରଶାସନ ଆଗକୁ ମଧ୍ୟ କିପରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ଏବେ ନଜର।
