Rajpal Yadav Check Bounce: କୋର୍ଟରେ ଡ୍ରାମା କରୁଛନ୍ତି ରାଜପାଲ ଯାଦବ- ସିଜେଆଇ
ସେ ବଲିଉଡରେ ଯେମିତି ଡ୍ରାମା ଓ ଆକ୍ଟିଂ କରିବାରେ ମାହିର, ଏଠାରେ ବି ସେୟା କରୁଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୫ରେ ହେବ। ଚେକ୍ ବାଉନ୍ସ ମାମଲାରେ ସରେଣ୍ଡରରୁ ତ୍ରାହି ପାଇବାକୁ ହେଲେ ଗଲା ବୁଧବାର ସୁଦ୍ଧା ୫ କୋଟି ଟଙ୍କା କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଡ୍ରାମା କରିବାରେ ମାହିର, କୋର୍ଟରେ ବି କରୁଛ ଆକ୍ଟିଂ। ଏଭଳି ଶବ୍ଦରେ ରାଜପାଲଙ୍କୁ ଭର୍ତ୍ସନା କରିଛନ୍ତି ସିଜେଆଇ। କମେଡିଆନ ତଥା ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ରାଜପାଲଙ୍କ ଆଚରଣ ବିଶ୍ୱସନୀୟ ନୁହେଁ ବୋଲି ଟିପ୍ପଣୀ କଲେ ସର୍ବୋଚ୍ଚ ଅଦାଲତ। ଚେକ ବାଉନ୍ସ ମାମଲାରେ ରାଜପାଲଙ୍କୁ ଶେଷ ସୁଯୋଗ ଦେଲେ କୋର୍ଟ। ଏହା ସହ ପାସପୋର୍ଟ ସରେଣ୍ଡର କରିବାକୁ ଦେଲେ ନିର୍ଦେଶ, ଅକ୍ଟୋବର ୫ରେ ହେବ ପରବର୍ତ୍ତୀ ଶୁଣାଣୀ। ରାଜପାଲଙ୍କ ଓକିଲ କହିଥିଲେ, କିଛି ସମ୍ପତ୍ତି ବିକି ଟଙ୍କାର ଯୋଗାଡ଼ ଚାଲିଛି। ୨ ସପ୍ତାହ ଭିତରେ ୨ କୋଟି ଟଙ୍କାର ଡ୍ରାଫ୍ଟ ଜମା କରିବାକୁ କୋର୍ଟକୁ ଭରସା ଦେଲେ। ବାକି ଟଙ୍କା କେବେ ପରିଶୋଧ କରିବୁ, ତାହାର ଫାଇନାଲ ସିଡ୍ୟୁଲ୍ କହିବୁ। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ, ରାଜପାଲଙ୍କ ଅତୀତର ବ୍ୟବହାର ଦେଖି କେହି କେମିତି ତାଙ୍କ ଉପରେ ଭରସା କରିପାରିବ। ସେ ବଲିଉଡରେ ଯେମିତି ଡ୍ରାମା ଓ ଆକ୍ଟିଂ କରିବାରେ ମାହିର, ଏଠାରେ ବି ସେୟା କରୁଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୫ରେ ହେବ। ଚେକ୍ ବାଉନ୍ସ ମାମଲାରେ ସରେଣ୍ଡରରୁ ତ୍ରାହି ପାଇବାକୁ ହେଲେ ଗଲା ବୁଧବାର ସୁଦ୍ଧା ୫ କୋଟି ଟଙ୍କା କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଅଭିନେତା ତଥା କମେଡିଆନ ରାଜପାଲ ଯାଦବଙ୍କୁ ଗଲା ମଙ୍ଗଳବାର ଏହି ମହଲତ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ଏହି ସମୟସୀମା ଭିତରେ ରାଜପାଲ ଟଙ୍କା ଜମା କରିପାରିଲେନି। ଏ ମାମଲା ଫିଲ୍ମ ପ୍ରଡ୍ୟୁସର ତଥା ଫାଇନାନ୍ସର ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍ ସହ ଜଡ଼ିତ। ଜୁଲାଇ ୧୦ରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଡ଼ିଥିବା ରାଜପାଲଙ୍କ ପିଟିସନ ଉପରେ ସସର୍ତ୍ତ ନୋଟିସ ଜାରି କରିଥିଲେ। ହାଇକୋର୍ଟ ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟର ଧାରା ୧୩୮ ଆଧାରରେ ୭ଟି ମାମଲାରେ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ମାସର ସଜ୍ଜାକୁ କାଏମ ରଖିଥିଲେ। ବିଚାରପତି ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ବି.ମୋହନାଙ୍କ ଖଣ୍ଡପୀଠ ଯାଦବଙ୍କ ପିଟିସନ ଉପରେ ମୌଖିକ ଶୁଣାଣୀ ପରେ ଏହି ଆଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସଜ୍ଜା କାଟିବାକୁ ସରେଣ୍ଡର କରିବାକୁ କହିଥିଲେ। ଯାହାର ଅନ୍ତିମ ତାରିଖ ସେପ୍ଟେମ୍ୱର ୧୦ ଥିଲା। ଏ ମାମଲା ମୁରଲୀ ପ୍ରୋଜେକ୍ଟସ ପକ୍ଷରୁ ରାଜପାଲ ଯାଦବ, ତାଙ୍କ ପତ୍ନୀ ରାଧା ଯାଦବ ଓ ତାଙ୍କ ଫିଲ୍ମ ପ୍ରଡ଼କ୍ସନ କମ୍ପାନୀ ବିରୁଦ୍ଧରେ ଦାଏର ହୋଇଥିବା ୭ଟି ଅଭିଯୋଗ ଉପରେ ଆଧାରିତ। ଫିଲ୍ମ ଅତା ପତା ଲାପତା ପାଇଁ ଜାରି ହୋଇଥିବା ୭ଟି ଚେକ୍ ବାଉନ୍ସ ପରେ ଏ ଅଭିଯୋଗ ରୁଜୁ ହୋଇଥିଲା। ମାମଲାର ରେକର୍ଡ ଅନୁସାରେ, ମୁରଲୀ ପ୍ରୋଜେକ୍ଟସ ୨୦୧୦ରେ ଫିଲ୍ମ ପୁରା କରିବାକୁ ୫ କୋଟି ଟଙ୍କା ଦେଇଥିଲା। ଫିଲ୍ମ ରିଲିଜର ବିଳମ୍ୱରୁ ଦୁଇ ପକ୍ଷଙ୍କ ଭିତରେ ଅନେକ ବୁଝାମଣା ହୋଇଥିଲା ଓ ଅଲଗା ଅଲଗା ପର୍ଯ୍ୟାୟରେ ଟଙ୍କା ଫେରସ୍ତ ରାଶିରେ ପରିବର୍ତ୍ତନ କରାଯାଇଥିଲା। ରାଜପାଲ କହିଥିଲେ, ମୂଳ ନେଣଦେଣ ଫିଲ୍ମରେ ନିବେଶ ଥିଲା। ଏହା କୌଣସି କରଜ ନଥିଲା। ସିକ୍ୟୁରିଟି ଉଦ୍ଦେଶ୍ୟରେ ଚେକ୍ ଦିଆଯାଇଥିଲା। ଅଗଷ୍ଟ ୨୦୧୨ରେ ହୋଇଥିବା ତୃତୀୟ ସପ୍ଲିମେଣ୍ଟାରି ଏଗ୍ରିମେଣ୍ଟ ଆଧାରରେ ୮ଟି ପୋଷ୍ଟ ଡେଟେଡ୍ ଚେକ୍ ଜାରି ହୋଇଥିଲା। ବିବାଦ ବଢ଼ିବା ପରେ ୨୦୧୨ରେ ମୁରଲୀ ପ୍ରୋଜେକ୍ଟସ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ୨୦୧୮ରେ ଟ୍ରାଏଲ କୋର୍ଟ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରତି ମାମଲାରେ ୬ ମାସ ଯାଏଁ ଜେଲ୍ ଓ ୧.୬୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଥିଲେ। ପରେ ସଜ୍ଜା କମ୍ କରାଯାଇଥିଲା। ମେ ୨୨, ୨୦୧୯ରେ ତାଙ୍କୁ ୭ଟି ମାମଲାରେ ୩ ମାସର ସାଧାରଣ କଏଦ ଓ ପ୍ରତି ମାମଲାରେ ୧.୩୫ କୋଟି ଜରିମାନା ଦଣ୍ଡ ଦିଆଯାଇଥିଲା। ସେସନ କୋର୍ଟ ୨୦୨୪ରେ ଏହି ସଜ୍ଜାକୁ କାଏମ ରଖିଥିଲେ। ଏହା ପରେ ଦିଲ୍ଲୀ ହାଇକୋର୍ଟ ଜୁଲାଇ ୧୦, ୨୦୨୬ରେ ଏହି ରାୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ, ଟଙ୍କା ସୁଝିବାକୁ ଅନେକ ଥର ଆଶ୍ୱାସନା ଦେବା ସତ୍ତ୍ୱେ ତାକୁ ପୁରା କଲେନି ରାଜପାଲ। କାର୍ଯ୍ୟାନୁଷ୍ଠାନ ଅବସରରେ ସେ ୨.୨୫ କୋଟି ସୁଝିଦେଇଥିଲେ। କିନ୍ତୁ ପରେ ଧରାଛୁଆଁ ଦେଲେନି। ୫କୋଟି ଜମା କର, ନଚେତ ଜେଲ ଯାଅ। ଚେକବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ। ଗୋଟିଏ ତାରିଖ ଓ ଏତେ ବଡ଼ ପରିମାଣର ଅର୍ଥ। ସୁପ୍ରିମକୋର୍ଟ ଦେଇଥିବା ଏହି ଗୋଟିଏ ମଉକା ରାଜପାଲଙ୍କୁ ଆଶ୍ୱସ୍ତ କରିବ ନା ସେ ସରେଣ୍ଡର କରି ଜେଲ୍ ଯିବେ ବୋଲି ସମସ୍ତଙ୍କ ନଜର ଥିଲା। ଆଉ ଏ ଘଡ଼ିସନ୍ଧି ମୂହୂର୍ତ୍ତରେ ରାଜପାଲଙ୍କ ଭୂମିକାକୁ ନେଇ ସମସ୍ତଙ୍କର ନଜର ରହିଛି। କାରଣ ସେପ୍ଟେମ୍ୱର ୧୦ ଦିନ ତାଙ୍କ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ଲାଗି ବଡ଼ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇଥାଆନ୍ତା। ସରଳ ଭାଷାରେ କହିଲେ, ୫ କୋଟି ଟଙ୍କାର ଡ୍ରାଫ୍ଟ ହିଁ ତାଙ୍କ ଲାଗି ଜେଲର ଦ୍ୱାରକୁ ବନ୍ଦ ରଖିବାରେ ବଡ଼ ଚାବି ସାଜିବ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ସୁପ୍ରିମକୋର୍ଟ ପୁଣି ୨ ସପ୍ତାହର ମହଲତ ଦେଇଛନ୍ତି ଆଉ ଏହାକୁ ଶେଷ ସୁଯୋଗ ବୋଲି ବି ସଫା ସଫା ଶୁଣାଇଦେଇଛନ୍ତି।
