Rising water level of river:ବଢୁଛି ଋଷିକୁଲ୍ୟା ନଦୀର ଜଳସ୍ତର,ପ୍ରଶାସନ ବାନ୍ଧିଲେ ନଦୀ ବନ୍ଧ
ବଢୁଛି ଋଷିକୁଲ୍ୟା ନଦୀର ଜଳସ୍ତର। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ପାଣି । ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାର ନଦୀକୂଳିଆ ସାହି ମଧ୍ୟକୁ ପଶିଛି ବନ୍ୟାଜଳ। ବିଶେଷ କରି ପୁରୁଷୋତ୍ତମପୁର ଏନଏସିର ୧୧ ନମ୍ବର ୱାର୍ଡରେ ନଦୀ ନିକଟରେ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି। ତେବେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ଅଛି ପ୍ରଶାସନ।
ଗଞ୍ଜାମ:ଲଗାଣ ବର୍ଷା ପରେ ଋଷିକୁଲ୍ୟା ନଦୀ ଫୁଲି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଫଳରେ ଗଞ୍ଜାମ ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ଦେଖାଦେଇଛି ଭୟ ଓ ଆଶଙ୍କା ।ପୁରୁଷୋତ୍ତମପୁର ଏନଏସିର ୧୧ ନମ୍ବର ୱାର୍ଡ ଋଷିକୁଲ୍ୟା ନଦୀ ନିକଟରେ ଥିବାରୁ ଏଠାରେ ବନ୍ୟାଜଳ ପଶିବା ନେଇ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି । ନଦୀକୂଳିଆ ସାହିରେ ପାଣି ପଶିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢିଛି ଚିନ୍ତା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ସ୍ଥାନୀୟ ତହସିଲଦାର ବିନୋଦ ବେହେରା । ନଦୀର ଜଳସ୍ତର ଓ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ଓଡ୍ରାଫ୍ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଏପଟେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବା ସହ ନଦୀ ଓ ବନ୍ୟାଜଳ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦେଇଛନ୍ତି,ଛତ୍ରପୁର ଉପ ଜିଲ୍ଲାପାଳ ସୁଭାଶିଷ ବରାଳ |
