BIJU BABU STATUE VANDALISED: ଶିଆଳିରେ ବିଜୁ ପ୍ରତିମୂର୍ତ୍ତି ଭଙ୍ଗା: ପୁଲିସର ଖୋଳତାଡ଼
ଶିଆଳିରେ ବିଜୁ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା। କିଏ ଭାଙ୍ଗିଲା, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ତଦନ୍ତକୁ ଜୋରଦାର କରିଛି ପୋଲିସ। ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।
ଜଗତସିଂହପୁର: ଓଡ଼ିଶାର ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ନେଇ ଲଗାତାର ଅସମ୍ମାନ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମି ନିକଟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ସେହି ଅଞ୍ଚଳରେ ବରିଷ୍ଠ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କାଟି ନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଘଟଣାକୁ ନେଇ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶିଆଳିରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛି।
ଟିମ୍ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ବିଜେଡି ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନିଆଯାଇଥିବା ବେଳେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ପ୍ରତି ବାରମ୍ବାର ଏଭଳି ଅସମ୍ମାନକୁ ନେଇ ଦଳ ପ୍ରତିକ୍ରିୟାଶୀଳ ହୋଇଛି। ସୂଚନା ଅନୁସାରେ, ଗତ ଏପ୍ରିଲ ୨୪ ତାରିଖରେ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବାର ଦୁଇ ଦିନ ପୂର୍ବରୁ ଏହାକୁ ହାତୁଡ଼ିରେ ପିଟି ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଠିକ୍ ପ୍ରାୟ ଚାରି ମାସ ପରେ ସେହି ସମାନ ସ୍ଥାନରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଛି। ଲଗାତାର ଦୁଇ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସହ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ବୃଦ୍ଧି ପାଇଛି। ଘଟଣାକୁ ନେଇ ସ୍ଥାନୀୟ ପଦ୍ମପୁର ସରପଞ୍ଚ ପ୍ରତିଭା ରାଣୀ ପାତ୍ର ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଥିବା ଜଣାପଡ଼ିଛି। ଘଟଣା ପଛରେ କିଏ ରହିଛି ଏବଂ କେଉଁ ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତିକୁ କାଟି ନିଆଯାଇଛି, ସେନେଇ ତଦନ୍ତ ଜାରି ରହିଛି।
ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପ୍ରଶାସନ ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ତୁରନ୍ତ ପୁନଃସ୍ଥାପନ କରିବାକୁ ଦାବି କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରି ଉପଯୁକ୍ତ ଦଣ୍ଡ ଦେବାକୁ ମଧ୍ୟ ଦାବି କରାଯାଇଛି। ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଘଟଣାକୁ ନେଇ ସମଗ୍ର ଜଗତସିଂହପୁର ଜିଲ୍ଲାରେ ସାଧାରଣରେ ନିନ୍ଦା ପ୍ରକାଶ ପାଇଛି। ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତମାନେ ଖୁବଶୀଘ୍ର ଧରାପଡ଼ିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
