Storm surge:ଅବପାତ ପ୍ରକୋପ ; ୨୦୦ ଫୁଟ କୂଳ ଲଙ୍ଘିଲା ସମୁଦ୍ର
କେନ୍ଦ୍ରାପଡ଼ାର ଚର୍ଚିତ ସାତଭାୟା ଗାଁରେ ତାଣ୍ଡବ ରଚିଲା ସମୁଦ୍ର | ରାତିରେ ସମୁଦ୍ର ଅଶାନ୍ତ ରହିବ ଜାଣିଥିଲେ ହେଲେ, ଗାଁ ଭିତରକୁ ପାଣି ମାଡି ଆସିବ ବୋଲି ଭାବି ନଥିଲେ ସ୍ଥାନୀୟ ବାସିନ୍ଦା | ସମୁଦ୍ର ଗର୍ଭରେ ଲୀନ ହେଇଛି ମା ପଞ୍ଚୁ ବରାହୀଙ୍କ ମନ୍ଦିର | ଯେଉଁଠି ଦିନେ ଗାଁ ଗଣ୍ଡା,ମନ୍ଦିର ଓ ଚାଷ ଜମି ଥିଲା ସେଠି ଏବେ କିଛି ଖଣ୍ଡ ଇଟା ନିଜ ସତ୍ତା ଜାହିର କରୁଛି | ଗାଁରେ ଲହଡି ଭାଙ୍ଗୁଛି ସମୁଦ୍ର ହେଲେ ହେନ୍ତାଳ ଜଙ୍ଗଲସୃଷ୍ଟି କରାଗଲେ ହେଇପାରିବ ସୁରକ୍ଷା |
କେନ୍ଦ୍ରାପଡ଼ା: ସାତଭାୟାରେ ଗଭୀର ଅବପାତର ତାଣ୍ଡବ। କୂଳ ଲଙ୍ଘି ୨୦୦ ଫୁଟ୍ ମାଡ଼ିଆସିଲା ସମୁଦ୍ର। ଉପୁଡ଼ିଲା ଗଛପତ୍ର, ଉପକୂଳରେ ଭୟର ବାତାବରଣ। ଝଟକା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ଅଶାନ୍ତ ବଙ୍ଗୋପସାଗରରେ ଉଚ୍ଚ ଜୁଆର। ସଜାଗ ରହିଛି ପ୍ରଶାସନ। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ସାତଭାୟା ଅଞ୍ଚଳରେ ପ୍ରକୃତିର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇ କୂଳ ଲଙ୍ଘିବା ସହ ପ୍ରାୟ ୨୦୦ ଫୁଟ୍ ଆଗକୁ ମାଡ଼ି ଆସିଛି। ପ୍ରଚଣ୍ଡ ଜୁଆର ମାଡ଼ରେ ଉପକୂଳ ସୁରକ୍ଷା ପାଚେରି ସଦୃଶ ଥିବା ବାଲିବନ୍ଧ ଧୋଇଯାଇଥିବା ବେଳେ ବେଳାଭୂମିରେ ଥିବା ବଡ଼ ବଡ଼ ଝାଉଁ ଓ ଅନ୍ୟାନ୍ୟ ଗଛ ଉପୁଡି ପଡ଼ିଛି। ସମୁଦ୍ର ଗର୍ଭରେ ଲୀନ ହେଇଯାଇଛି ପ୍ରସିଦ୍ଧ ମା ପଞ୍ଚୁ ବରାହୀଙ୍କ ମନ୍ଦିର, କିଛି ଖଣ୍ଡ ଇଟା ରହି ଯାଇଛି ଯାହା | ତୁହାକୁ ତୁହା ମୂଷଳଧାରାରେ ବର୍ଷା ସହିତ ପ୍ରବଳ ଝଟକା ପବନ ଜାରି ରହିଥିବାରୁ ସମଗ୍ର ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଭୀର ଅବପାତ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି। ଗାଁ ଭିତରେ ଭାଙ୍ଗୁ ଲହଡି | ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା | ସମୁଦ୍ରର ଲୁଣା ପାଣି ସ୍ଥଳଭାଗ ମଧ୍ୟକୁ ପ୍ରାୟ ଦୁଇ ଶହ ଫୁଟ୍ ପ୍ରବେଶ କରିବା ଫଳରେ ନିକଟସ୍ଥ ତଳିଆ ଅଞ୍ଚଳ ଏବଂ ସଂଯୋଗକାରୀ ରାସ୍ତାଘାଟ ଜଳମଗ୍ନ ହୋଇଛି। ଗାଈ ଗୋରୁ ଠୁ ନେଇ ଚାଷ ଜମି ଯାଏ ସବୁ ପ୍ରଭାବିତ | ସମୁଦ୍ର କୂଳିଆ ଜଙ୍ଗଲର ଅନେକ ଗଛ ଧରାଶାୟୀ ହୋଇପଡ଼ିଛି। ପବନର ବେଗ ଅଧିକ ଥିବାରୁ କେତେକ ସ୍ଥାନରେ ଗଛଡ଼ାଳ ଭାଙ୍ଗିଛି। ସମୁଦ୍ର କୂଳେ କୂଳେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରାଗଲେ ଏହି ବିପର୍ଯ୍ୟୟ ରୁ ରାଜନଗର ବାସୀଙ୍କୁ ସୁରକ୍ଷା ଦିଆଯାଇପାରିବ ବୋଲି ପରିବେଶବିତ୍ ମାନେ ଦାବି କରିଛନ୍ତି ।

